Odiapua.com

ବିଶ୍ୱ ରକ୍ତଦାତା ଦିବସ ;ବିଏସଏଫ ବାଟ୍ଟାଲିୟନରେ ମେଗା ରକ୍ତଦାନ ଶିବିର

କୋରାପୁଟ ୧୪-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ସୀମା ସୁରକ୍ଷା ବଳ(ବିଏସଏଫ୍) କୋରାପୁଟ ବାଟ୍ଟାଲିୟନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ରକ୍ତଦାନ ସମ୍ପର୍କିତ ସଚେତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବିଏସଏଫ ଡିଆଇଜି ପ୍ରକାଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦଧି ବାମନ ତ୍ରିପାଠୀ, ବିଏସଏଫ୍ କମାଣ୍ଡାଂଟ ସାଜ୍ଜନ ସିଂହ ପାନୱାର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ସମ୍ପର୍କରେ ମତବ୍ୟକ୍ତ କରିବା ସହ ରକ୍ତାଦାତଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଯବାନ ଦେଶର ସୁରକ୍ଷା ସହ ରକ୍ତଦାନ ଭଳି ମହାନ କାର୍ଯ୍ୟ କରୁଥିବାରୁ ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡା.ରତିକାନ୍ତ ଖଟୁଆ ପ୍ରଶଂସା କରିଥିଲେ ଏବଂ ଜିଲା ରକ୍ତ ଭଣ୍ଡାରରେ ଦେଖା ଦେଇଥିବା ରକ୍ତର ଅଭାବ ଯବାନ ମାନଙ୍କ ସହଯୋଗରେ ପୂରଣ କରା ଯାଇ ପାରୁଛି ବୋଲି ମତବ୍ୟକ୍ତ କରିଥିଲେ। ଶିବିରରେ ମୋଟ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା। ଡା. ରତିକାନ୍ତ ଖଟୁଆ ଶିବିର ପରିଚାଳନା କରିଥିବାବେଳେ ଜିଲା ରକ୍ତ ଭଣ୍ଡାର କର୍ମଚାରୀମାନେ ସହାୟତା କରିଥିଲେ।