Odiapua.com

ବିନା ପଲ୍ଲୀସଭାରେ ଚିନାମାଟି ଖନନକୁ ବିରୋଦ୍ଧ

କୋରାପୁଟ ;ତା୧୩-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ଲମତାପୁଟ ବ୍ଲକ କୁମାରଗନ୍ଧଣା ପଂଚାୟତର ହାଟସୁକୁ ଗ୍ରାମରେ ଚିନାମାଟି ଖନନକୁ ବିରୋଧ କରାଯାଇଛି । ପେସା ଆଇନ ବ୍ୟବସ୍ଥା ଅନୁଯାୟୀ ପଲ୍ଲୀସଭା ବିନା ଅନୁମୋଦନରେ ସେଡ୍ୟୁଲ୍ଡ ଅଂଚଳରେ ସରକାର କୌଣସି ପ୍ରକଳ୍ପ ଆରମ୍ଭ କରି ପାରିବେନି କିମ୍ବା ଖଣି ଲିଜ୍ ଦେଇ ପାରିବେନି କିନ୍ତୁ ହାଟସୁକୁର ଚିନାମାଟି ଖୋଳା ଯିବାକୁ ଜିଲା ପ୍ରଶାସନ କୌଣସି ପଲ୍ଲୀସଭା ନକରି ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀକୁ ଲିଜ ଦେବା ଆଇନ୍ ବିରୋଧ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ନିମନ୍ତେ କୋରାପୁଟରେ ଉପ-ଜିଲାପାଳ ଅଫିସରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ,ଉପ-ଜିଲାପାଳ ଲଳିତ କୁମାର କହଁର,ଅତିରିକ୍ତ ଏସପି ଭି.ଆର.ରାଓ,ଗ୍ରାମବାସୀଙ୍କ ପକ୍ଷରୁ ସମାଜସେବୀ କର୍ପୂର ହନ୍ତାଳ,ହରି ଖେମୁଣ୍ଡୁ, ତ୍ରିଲୋଚନ ମୁଦୁଲି,ଦାସି ନନ୍ଦିବାଲି,ତିଳକ ଗୁଂଜିଆ,ବଳଭଦ୍ର ପାଂଗି,ନବୀନା ଯାନୀ,ଜଗା ଯାନୀ,କୁମ ଯାନୀ,ଜଗନ୍ନାଥ ଯାନୀ ଓ ସମ୍ପୃକ୍ତ କମ୍ପାନୀ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହିଥିଲେ । ଚୀନାମାଟି ଖୋଳା ଯାଉ କିନ୍ତୁ ପଲ୍ଲୀସଭାର ଅନୁମୋଦନ ପରେ କମ୍ପାନୀକୁ ଅନୁମତି ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ । ତେବେ ପ୍ରଶାସନ ପଲ୍ଲୀସଭା ପାଇଁ ସହମତି ପ୍ରକାଶ କରିଥିଲା କିନ୍ତୁ ପଲ୍ଲୀସଭା କୋରାପୁଟରେ କରିବାକୁ କହିଥିଲା । ଅନ୍ୟ ପକ୍ଷରେ ଗ୍ରାମବାସୀ କହିଛନ୍ତି,ଯଦି କୌଣସି ପରିସ୍ଥିତିରେ ପ୍ରଶାସନ କମ୍ପାନୀକୁ ଖଣି ଲିଜ ଦେବାକୁ ବାଧ୍ୟ ହେଉଛି ତାହାଲେ କମ୍ପାନୀ କଂଚାମାଲ୍ ନେବା ବଦଳରେ ସ୍ଥାନୀୟ ଅଂଚଳରେ କାରଖାନା ପ୍ରତିଷ୍ଠା କରି ସେହି ଅଂଚଳର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।