Odiapua.com

ବିଧାୟକ ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ କଥା କଟାକଟି , ଭୟରେ ପଳାଇଲେ ଆନ୍ଧ୍ର ଅଧିକାରୀ

କୋରାପୁଟ ୧୩-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞରେ ଆନ୍ଧ୍ରପ୍ରଦେଶ ବିଧାୟକ ଆସୁଥିବା ଖବର ପାଇଥିଲେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ । କୋଟିଆ ଗ୍ରାମପୁଞର ଫଗୁଣସେନେରୀ ଗ୍ରାମରେ ବିଧାୟକ ଶ୍ରୀ ପାଢୀ ପହଂଚିଲା ବେଳକୁ ସାଲୁର ପିଏ ଆଇଟିଡିଏ  କୁର୍ମାନାଥ ଲୋକମାନଙ୍କୁ ନେଇ ସଭା କରୁଥିଲେ ।ଏହାପରେ ଅନେକ ସମୟ ପର୍ଯ୍ୟନ୍ତ ବିଧାୟକ ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।ଓଡିଶା ମାଟିରେ କାହିଁକି ତୁମ୍ଭେମାନେ ପହଂଚି ଲୋକମାନଙ୍କୁ ବିଭ୍ରାନ୍ତ କରୁଛ ବୋଲି ବିଧାୟକ ଶ୍ରୀ ପାଢୀ ପ୍ରଶ୍ନ କରିଥିଲେ ।ଏହା ଆନ୍ଧ୍ରପ୍ରଦେଶର ଫଗୁଣଚେନେରୀ ପଂଚାୟତ ବୋଲି ଉକ୍ତ ଅଧିକାରୀ ଉତର ଦେଇଥିଲେ ।ଏଠାରେ ଓଡିଶାର ବିକାଶ କାର୍ଯ୍ୟ ଚାଲୁଛି ଓ ଲୋକମାନେ ଓଡିଶା ନିର୍ବାଚନରେ ଭାଗ ନେଉଛନ୍ତି ବୋଲି ବିଧାୟକ ଶ୍ରୀ ପାଢୀ ପ୍ରକାଶ କରିଥିଲେ ।ତୁରନ୍ତ ଏହି ସ୍ଥାନ ଛାଡିବାକୁ ସେ ଉକ୍ତ ଅଧିକାରୀଙ୍କୁ କହିଥିଲେ ।ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ପାଟିତୁଣ୍ଡ କରୁଥିବା ଲକ୍ଷ୍ୟ କରାଯାଇଥିଲା ।ଆନ୍ଧ୍ରକୁ ଆମ୍ଭେ ସବୁ ଯିବୁ ଓଡିଶାରେ ଚାକିରୀ ନାହିଁ ବୋଲି ସେଠାରେ ଥିବା ଲୋକମାନେ କୁହୁଥିବା  ଜଣାପଡିଛି । ଆନ୍ଧ୍ର ସ୍ୱାସ୍ଥ୍ୟ ଶିବିର କରୁଛନ୍ତି ,ପେନସନ ଦେଉଛନ୍ତି ବୋଲି ଲୋକମାନେ ପ୍ରକାଶ କରିବା ସହ ଆମ୍ଭେ ସମସ୍ତେ ଆନ୍ଧ୍ର ଯିବୁ ବୋଲି କହିଥିଲେ ବୋଲି ଜଣାପଡିଛି ।ଓଡିଶାର ପଂଚାୟତ ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି ଲୋକମାନେ କହିଥିବା ସୂଚନା ମିଲୁଛି ।