ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ହଟାଇ ଡ. ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ କରାଯାଇଛି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ। ମନମୋହନଙ୍କ ନୂଆ ଟିମରେ ସ୍ମୃତି ପଟ୍ଟନାୟକଙ୍କୁ କେଉଁଠି ସ୍ଥାନ ମିଳିନି। ନୂଆ ଟିମ୍ ଘୋଷଣା ପରଠାରୁ ସ୍ମୃତି ପଟ୍ଟନାୟକ କାହା ସହିତ ସମ୍ପର୍କରୁ ଏକ ପ୍ରକାର ଦୂରେଇ ରହିଥିଲେ। ତେବେ, ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ନେଇ ଶନିବାର ଦିନ ସେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ସୂଚନା ଦେଲେ। ଏହାପରେ ବିଜେପି ସଂଖ୍ୟାଲଘୁ ସେଲ୍ ପୂର୍ବତନ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରି ଲେଖିଲେ “ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅପାଙ୍କ ଆଶୁ ଆରୋଗ୍ୟ କାମନା କରୁଛି! ଡେଙ୍ଗୁ ହେଇଛି ବୋଲି ଖବର ପାଇଲି! କଟକିଆ ମଶାଙ୍କ ଏତେ ସାହସ କେବେ ଠୁ ହେଲା ମ’ ..”! ସିକନ୍ଦରଙ୍କ ଏପରି ପୋଷ୍ଟକୁ ନେଇ ଦଳ ଭିତରେ ଅନେକ କାର୍ଯ୍ୟକର୍ତ୍ତା ନାପସନ୍ଦ କରିଛନ୍ତି। ସିକନ୍ଦର ଏପରି ପୋଷ୍ଟ୍ କରି ସ୍ମୃତି ପଟ୍ଟନାୟକଙ୍କୁ କଟାକ୍ଷ, ଥଟା- ପରିହାସ କରିଛନ୍ତି ବୋଲି ଅନେକ ଭାବୁଛନ୍ତି। ସିକନ୍ଦରଙ୍କ ପୋଷ୍ଟ୍ ଉପରେ କଡ଼ା ଜବାବ୍ ଦେଇ ଅର୍ଚ୍ଚନା ମହାନ୍ତି ଲେଖିଛନ୍ତି, “ବିଜେପି ନେତା ମହିଳା ସମ୍ମାନର କଥା ନୀତି ଆଦର୍ଶ ପଢ଼ାନ୍ତି, କିନ୍ତୁ ନିଜ ଦଳର ପୂର୍ବତନ ରାଜ୍ୟ ସଭାନେତ୍ରୀ ସର୍ବୋପରି ନିଜ ଦଳର ମହିଳାଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି।” ସେହିପରି ରଞ୍ଜିତା ନାୟକ ଲେଖିଛନ୍ତି, “ତମେ ଯୋଉ ଦଳର କର୍ମୀ, ସିଏ ମଧ୍ୟ ସେଇ ଦଳର କର୍ମୀ ତା’ ସହିତ ସେ ଜଣେ ନାରୀ। ଜଣେ ମହିଳାଙ୍କୁ ଦେହ ଅସୁସ୍ଥ ସମୟରେ ଏହିପରି ଥଟା କରି ଲେଖିବାଟା ଘୋର ନିନ୍ଦନୀୟ। ତୁମର ଏହି ମନ୍ତବ୍ୟ ଦ୍ବାରା ଭାରତୀୟ ଜନତା ପାର୍ଟିର ବହୁ ପରିମାଣରେ କ୍ଷତି ହୋଉଛି। ଗୋଟେ କର୍ମୀ ହିସାବରେ ଦଳର କ୍ଷତି ହେଲେ ବର୍ଦାସ କରିବୁ ନାହିଁ।” ସେହିପରି ସଞ୍ଜୀବ ଚିନ୍ନାରା ଲେଖିଛନ୍ତି, ତମେ ଯୋଉ ଦଳର କର୍ମୀ, ସ୍ମୃତି ପଟ୍ଟନାୟକ ମଧ୍ୟ ସେଇ ଦଳର କର୍ମୀ। ତା’ ସହିତ ସେ ଜଣେ ନାରୀ। ସେ ଜଣେ ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ। ଜଣେ ମହିଳାଙ୍କୁ ଦେହ ଅସୁସ୍ଥ ସମୟରେ ଏହି ପରି ଥଟା କରି ଲେଖିବାଟା ଘୋର ନିନ୍ଦନୀୟ। ତୁମର ଏହି ମନ୍ତବ୍ୟ ଦ୍ବାରା ଭାରତୀୟ ଜନତା ପାର୍ଟିର ବହୁ ପରିମାଣରେ କ୍ଷତି ହେଉଛି। ଭବିଷ୍ୟତରେ ଏହିଭଳି ପୋଷ୍ଟରୁ ଦୁରେଇ ରୁହନ୍ତୁ”।
-/DevD®ath