Odiapua.com

ବାଲ୍ୟବିବାହ କ୍ଷେତ୍ରରେ ଓଡିଶାରେ କୋରାପୁଟର ସ୍ଥାନ ୨ୟ ; ବାଲ୍ୟବିବାହ ହେଉଥିବା ଖବର ନ ଦେଲେ ଅଙ୍ଗନବାଡି କର୍ମି, ସୁପରଭାଇଜର ଓ ସିଡିପିଓଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ-ଜିଲ୍ଲାପାଳ

କୋରାପୁଟ ; ତା୧୩-୦୯-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଜିଲ୍ଲାର ଯେ କୋଣସି ସ୍ଥାନରେ ବାଲ୍ୟବିବାହ ହେଉଥିବା ଖବର ଯଦି ନ ମିଲେ ତେବେ ଅଙ୍ଗନବାଡି କର୍ମି, ସୁପରବାଇଜର ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଡିପିଓ)ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜିଲ୍ଲା ସ୍ତରୀୟ ଟାକ୍ସଫୋର୍ସ ବୈଠକରେ ପ୍ରକାଶ କରିଛନ୍ତି।କୋରାପୁଟ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ବାଲ୍ୟବିବାହ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାକ୍ସଫୋର୍ସ ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଯୋଗଦେଇ କେବଳ ସଚେତନତା କରାଇ ବାଲ୍ୟବିବାହ କିପରି ରୋକାଯାଇପାରିବ ସେଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଲରେ ପିଲାମାନେ ଅଧାରୁ ପାଠ ଛାଡୁଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଥିଲେ।ଜିଲ୍ଲାରେ ରହିଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀ ପାଠ ପଢିବାପରେ ପାଠ ଛାଡି ଦେଉଥିବା ସେ ପ୍ରକାଶ କରିଥିଲେ।ଶୋବା, ଓାର୍ଡ ଓ ଏକତା ଅନୁଷ୍ଠାନ ଦ୍ୱାରା ଚାଲିଥିବା ଚାଇଲଡଲାଇନର କର୍ମକର୍ତାମାନଙ୍କ ଦ୍ୱାରା ଅନେକାଂଶରେ ବାଲ୍ୟ ବିବାହ ରୋକାଯାଇ ପାରୁଛି ବୋଲି ସେ ସୂଚନା ଦେଇଥିଲେ।ରାଜ୍ୟରେ ବାଲ୍ୟବିବାହ ହାର ୨୧.୩ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ୩୪.୭ ପ୍ରତିଶତ ରହିଥିବା ଓ ବାଲ୍ୟବିବାହ କ୍ଷେତ୍ରରେ ଓଡିସାରେ କୋରାପୁଟ ଜିଲ୍ଲା ୨ ୟ ରହିଥିବାରୁ ଏହା ଏକ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି ବୋଲି ଆକ୍ସନଏଡର ରାଜ୍ୟ ପରିଚାଳକ ବି.ଏନ.ଦୁର୍ଗା ପ୍ରକାଶ କରିଥିଲେ।ବାଲ୍ୟବିବାହ ସମସ୍୍ୟାକୁ ସାମୁହିକ ପ୍ରଚେଷ୍ଟାରେ ରୋକାଯାଇ ପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲା କାର୍ଯ୍ୟଖସଡା ଆଧାରରେ ବାଲ୍ୟବିବାହ ରୋକାଯାଇପାରିବ ବୋଲି ସେ ସୂଚନା ଦେଇଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଡା. ବି.ଗାୟତ୍ରୀ ଯୋଗଦେଇ କୋରାପୁଟ ଜିଲ୍ଲାର ଆଦିବାସୀ ଉତ୍ସବ ପରବରେ ବାଲ୍ୟବିବାହ ସମ୍ବନ୍ଧୀୟ ଆଇନ ଉପରେ ସଚେତନତା କରାଇବାକୁ ପ୍ରସ୍ତାବ ରଖିଥିଲେ। ଆସନ୍ତା ନଭେମ୍ଭର ୧୪ ତାରିଖରେ କୋରାପୁଟଠାରେ ବାଲ୍ୟବିବାହ ରୋକିବା ସଂପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଏଥିରେ ସ୍କୁଲର ଶିକ୍ଷକ, ଛାତ୍ର, ଏସଏଚଜି ଗୋଷ୍ଠିର ମହିଳାମାନେ ଯୋଗଦେବେ ବୋଲି ନିଷ୍ପତି ନିଆଯାଇଥିଲା।ଏହି ବୈଠକରେ ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଥିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ, ପିଓ ସ୍ୱର୍ଣ୍ଣଭା ଦାସ, ଶୋଭାର ସଂଜିତ ପଟନାୟକ, ଓାର୍ଡର ଆର.ରାୟକୁମାରୀ, ଗୀତାର ପି.ସିଏଚ.ଦାସ, ଜିଲ୍ଲା କର୍ମନିୟୋଜନ ଅଧିକାରୀ କେ.ସି.ବେହେରା, ମମତା କାର୍ଯ୍ୟକ୍ରମର ଡିପିସି ସୀମା ବେହେରା, ସଖିର ଶିବାନୀ ପାତ୍ର ସ୍ୱଧାରର ତପସ୍ୱିନୀ ପଣ୍ଡା, ୟୁନିସେଫର ସନ୍ତୋଷ ବେହେରା, ଏସଡିସିର ଡିପିସି କାଶିପ୍ରସାଦ ନାୟକ, ଏଡିଏଫ ଦିବାକର ମହାପାତ୍ର, ଓଏଲଏମର ଡିପିଏମ ସୁସ୍ମିତା ସାମାନ୍ତରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସଂଯୋଜିକା ରାଜଲକ୍ଷ୍ମୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।