Odiapua.com

ବାଡେଲ ଗ୍ରାମପଞ୍ଚାୟତର ମସୁରୀ ଗାଁ ଜଙ୍ଗଲରେ ପୁଲିସର ଚଢ଼ାଉ: ଅଦା ବୋଝେଇ ଟ୍ରକ ଓ ଅଟୋରୁ ଗଞ୍ଜେଇ ଜବତ, ଦୁଇ ଗିରଫ

– ମୁସୁରି ଗାଁ ନିକଟ ଜଙ୍ଗଲରେ ପୁଲିସର ଚଢ଼ଉ
– ଅଦା ବୋଝେଇ ଟ୍ରକ ଓ ଅଟୋରୁ ଗଞ୍ଜେଇ ଜବତ, ୨ଜଣ ଗିରଫ

କୋରାପୁଟ : ୩/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା। ମୁସୁରି ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଲୋଡିଙ୍ଗ ହେଉଥିବା ଖବର ପାଇ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ଚଢ଼ାଉ କରିଥିଲେ। ଅଦା ବୋଝେଇ ଆଇଚର ଟ୍ରକ ଓ ଗୋଟିଏ ଅଟୋ ଗାଡିକୁ ପୁଲିସ ଜବତ କରିଛି। ତା’ ସହିତ ଡ୍ରାଇଭର ଓ ଜଣେ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବିଳମ୍ବିତ ରାତ୍ରରେ ମୁସୁରି ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ମାଫିଆମାନେ ଏକ ଅଦା ବୋଝେଇ ଆଇଚର ଟ୍ରକରେ ଗଞ୍ଜେଇ ଲୋଡିଙ୍ଗ କରୁଥିବା ନେଇ ପୁଲିସ ଖବର ପାଇଥିଲେ। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ଭାବରେ ମଧ୍ୟ ରାତ୍ରରେ ମୁସୁରି ଗାଁ ଜଙ୍ଗଲରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି କିଛି ଗଞ୍ଜେଇ ମାଫିଆମାନେ ଆଇଚର ଟ୍ରକ ଓ ଅଟୋକୁ ଛାଡ଼ି ଫେରାର ହୋଇଥିଲା। ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି। ପରେ ଜବତ ଟ୍ରକ ଓ ଅଟୋ ଗାଡିରୁ ୨୧୨ କେଜି ଗଞ୍ଜେଇ ପୁଲିସ ଜବତ କରିଛି। ଏହି ମାମଲାରେ ଉତ୍ତରପ୍ରଦେଶରେ ଅଂଚଳର ନିଜାମ ଉଦ୍ଦିନ ଓ ନନ୍ଦପୁର ବ୍ଲକର ପାଙ୍ଗିପୁଟ ଗାଁର ବସୁଦେବ ବୈରାଗିକୁ ପୁଲିସ ଗିରଫ କରିବା ସହ ୨ ଟି ଗାଡ଼ିକୁ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଦା ବୋଝେଇ ଟ୍ରକ ମାଧ୍ୟମରେ ମୁସୁରି ଅଞ୍ଚଳରୁ ଲମତାପୁଟ ଓ ଜୟପୁର ରାସ୍ତା ଦେଇ ଉତ୍ତର ପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଗଞ୍ଜେଇ ମାଫିଆମାନେ ଯୋଜନା କରିଥିଲେ। ଗଞ୍ଜେଇ ମାଫିଆମାନଙ୍କ ଯୋଜନାକୁ ମାଛକୁଣ୍ଡ ପୁଲିସ ପଣ୍ଡ କରିବାରେ ସଫଳ ହୋଇଛି। ଅନ୍ଧାରର ସୁଯୋଗ ନେଇ ଅନ୍ୟ କେତେକ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାଛକୁଣ୍ଡ ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।