Odiapua.com

ପୋଲିସର ଶକ୍ତି ଆଗରେ ଗଞ୍ଜେଇ ବେପାରୀଙ୍କ ଅଭିନବ ଉପାୟ ଫେଲ ମାରିଲାବଲେରୋ ଗାଡି ଛାତରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ

କୋରାପୁଟ ୦୨-୦୧ (ଓଡିଆ ପୁଅ /ରଂଜନ ଦାସ) ପୋଲିସର ଧୀଶକ୍ତି ଆଗରେ ଗଞ୍ଜେଇ ବେପାରୀଙ୍କ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ଫେଲ ମାରିଥିବା ଦେଖିବାକୁ ମିଳିଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ସଦର ଥାନା ଅଂଚଳରେ। ବଲେରୋ ଛାତରେ ସ୍ୱତନ୍ତ୍ର କେବିନ କରି ଅତି ଚତୁରତାର ସହ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଜୟପୁର ସଦର ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁଁ ୨ଜଣ ଚୋରା ଗଞ୍ଜେଇ ମାଫିଆ ଗିରଫ ହୋଇଥିବାବେଳେ ୧୦୧ କିଲୋ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି। ଏକ ନମ୍ବର ବିହୀନ ଧଳା ରଙ୍ଗର ବଲେରୋ ଜିପରେ କୋରାପୁଟ ଆଡୁ ଜୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଜୟପୁର ସଦର ଥାନା ଓଆଇସି ଏ ମହାଙ୍କୁଡଙ୍କୁ ଖବର ମିଳିଥିଲା। ସୂଚନା ମୂତାବକ ଏ .ମହାଙ୍କୁଡ, ଏଏସଆଇ ଏସ କେ ସାମଲ ଓ ଅନ୍ୟମାନେ ଉମୁରୀ ନିକଟ ରେଳୱେ ଓଭରବ୍ରୀଜ ନିକଟରେ ଗାଡିକୁ ଅପେକ୍ଷା କରି ରହିଥିଲେ। ବୋଲେର ଆସିବା ମାତ୍ରେ ଅଟକାଇ ଯାଂଚ କରିବା ବେଳେକୁ ବଲେରୋ ଛାତରେ ସ୍ୱତନ୍ତ୍ର ଭାବେ କରାଯାଇଥିବା କେବିନରେ ଗଞ୍ଜେଇ ଭର୍ତି ହୋଇଥିଲା। ପୋଲିସ ଟିମ ଘଟଣାରେ ବିହାର ରାଜ୍ୟର ପାଟଣା ଜିଲ୍ଲା ନୟାତାଲା ଅଂଚଳର ସୁରେନ୍ଦ୍ର ପ୍ରସାଦ(୪୧) ଏବଂ ବାଦଲ କୁମାର(୨୩)କୁ ଗିରଫ କରିଛି। ଗାଡିରୁ ୧୦୧ କିଲୋ ଗଞ୍ଜେଇ ଜବତ କରିଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବଲେରୋ ଜିପ ସହ ଗଞ୍ଜେଇ ଓ ୨ଟି ମୋବାଇଲ୍ ଫୋନ ପୋଲିସ ଜବତ କରିଥିବା ଜଣାପଡିଛି।