Odiapua.com

ପୁସିଂ ବ୍ରିଜ ନିର୍ମାଣ ନିମନ୍ତେ ଅର୍ଥ ମଂଜୁରୀ କର ନତୁବା ୨୬ରେ ରେଳରୋକ କରିବାକୁ ଚେତାବନୀ

କୋରାପୁଟ ୨୨-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ବ୍ଲକ ଅନ୍ତର୍ଗତ ମୁସୁରିଆଗୁଡା ନିକଟ ରେଳ ଲାଇନରେ ଏକ  ପୁସିଂ ବ୍ରିଜ  ନିର୍ମାଣ ନିମନ୍ତେ  ଅର୍ଥ ମଂଜୁରୀ ପ୍ରଦାନ କର ନତୁବା ଆସନ୍ତା ୨୬ ତାରିଖ ସକାଳ ୬ ଘଟିକାରୁ ରେଳରୋକ କରାଯିବ ବୋଲି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ନିମାଇଁ ସରକାର , କଂଗ୍ରେସ ନେତା ରୁପକ ତୁରୁକ , ରମେଶ ବାଙ୍କିଆ ,ଗୋପୀନାଥ ପଳେଇ ଓ  ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।ଗତ ୧୫ ତାରିଖ ଦିନ ଗ୍ରାମବାସୀମାନେ ପୁସିଂ ବ୍ରିଜ ନିର୍ମାଣ କରିବାକୁ କୋରାପୁଟ ଜିଲ୍ଲାପାଳ , ଏସପି ଓ ରେଳବାଇ ଡିଆରଏମଙ୍କୁ ଦାବିପତ୍ର ଦେଇଥିଲେ କିନ୍ତୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ରେଳବାଇ କିମ୍ବା ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରି ଆଜି ପୁନଃଶ୍ଚ ଦାବିପତ୍ର ପ୍ରଦାନ କରି ୨୬ ତାରିଖଦିନ ରେଳରୋକ କରିବାକୁ ଚେତାବନୀ ଦେଇଛନ୍ତି । ଗତ ୧୫ ତାରିଖ ଦିନ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ଅନେକ ବିଜେଡି ଏବଂ କଂଗ୍ରେସ ନେତାମାନେ ଏକାଠି ହୋଇ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରିଥିଲେ ।
ସୂଚନା ଯୋଗ୍ୟ ଯେକୋରାପୁଟ-ରାଣିଗଡ ରାସ୍ତାର ମୁସୁରିଆଗୁଡା ଛକରୁ ଲେଳ ଲାଇନ ପାରି ହୋଇ ମୁସୁୁରିଆଗୁଡା,ନାରିଆଗୁଡା,ମେଣ୍ଢାଗୁଡା,ଲାଟିଗୁଡା,ଛଡପଦର ଓ ଜର୍ଟି ଗ୍ରାମବାସୀ ନିଜ ନିଜ ଗାଁକୁ ଯିବା ଆସିବା କରି ଆସୁଥିଲେ । ଉପରୋକ୍ତ ଗ୍ରାମବାସୀ ଶହ ଶହ  ବର୍ଷ ପୂର୍ବରୁ ସେଠାରେ ବସବାସ କରି ଆସୁଛନ୍ତି,କୋତାବାଲସା-କେରଣ୍ଡୁଲ ରେଳ ଲାଇନ ୬୦ ଦଶକରେ ନିର୍ମାଣ ହେବା ପରେ  ଗ୍ରାମବାସୀମାନେ ରେଳ ଧାରଣା ଦେଇ ଅତି ବିପଦ ଜନକ ସ୍ଥିତିରେ ଯାତାୟତ କରନ୍ତି ।ସବୁ ଗାଁ  ଗୁଡିକ ଜିଲ୍ଲା ସଦର ମହକୁମା କୋରାପୁଟ ଠାରୁ ମାତ୍ର  ୫-୭ କିଲୋମିଟର ଦୂରରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ସେମାନେ କୋରାପୁଟ ସହର ଉପରେ ନିର୍ଭର କରି ଥାଆନ୍ତି । ଲୋକଙ୍କ ଜୀବନ ଜୀବିକା ଠାରୁ ଆରମ୍ଭ କରି ପିଲା ମାନଙ୍କ ପାଠ ପଢା ଓ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ଲୋକେ କୋରାପୁଟ ସହର ଉପରେ ନିର୍ଭର କରନ୍ତି ।କିନ୍ତୁ ଗତ ୧୦ ତାରିଖରୁ କୌଣସି  କାରଣ ବଶତଃ ରେଳବାଇ କର୍ତୂପକ୍ଷ ବିନା ପୂର୍ବ ସୂଚନାରେ ଗ୍ରାମବାସୀ ଯାତାୟତ କରୁଥିବା ରେଳ ଲାଇନ ନିକଟରେ ବେରିକେଡ କରିବା ସହ ଉଭୟ ପାଖେ ନାଳ ଖୋଳି ରାସ୍ତା ବନ୍ଦ କରି ଦେଇଥିଲେ । ଫଳରେ ୬ଖଣ୍ଡ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ି । ରେଳବାଇ କର୍ତୂପକ୍ଷ ଅଚାନକ ରାସ୍ତା ବନ୍ଦ କରିବାରୁ ଗ୍ରାମବାସୀ ଏବେ ଏକ ପ୍ରକାର  ବାହ୍ୟ ଜଗତରୁ ବିଚ୍ଛିନ୍ନ  ହୋଇ ପଡିଥିବା କହିଛନ୍ତି । ତେଣୁ  ରେଳ ବିଭାଗ  ପୁସିଂ ବ୍ରୀଜ କରିବା ଯାଏ  ପୂର୍ବ ରାସ୍ତା ଖୋଲା ରଖିବା ଓ ସମସ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଯଥାଶିଘ୍ର ପୁସିଂ ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ ।