Odiapua.com

ବର୍ଦ୍ଧିତ ଭଡ଼ା ଆଦାୟ ପ୍ରକ୍ରିୟା ସ୍ଥଗିତ ରଖିଲେ ପୈାର କର୍ତ୍ତୃପକ୍ଷ ତାଳଚେର ମ୍ୟୁନିସିପାଲିଟି ବ୍ୟବସାୟୀ କ୍ରିୟାନୁଷ୍ଠାନ କମିଟିର ଧାରଣା ସ୍ଥଗିତ

ତାଳଚେର, ୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ଜାନୁଆରୀ ମାସଠାରୁ ତାଳଚେର ପୈାର ପରିଷଦ ଦ୍ୱାରା ନିର୍ମିତ ଓ ଆବଂଟିତ ସମସ୍ତ ଦୋକାନଘର ଗୁଡ଼ିକର ବର୍ଗଫୁଟ ପ୍ରତି ଭଡ଼ା ରାଣୀପାର୍କ ବସଷ୍ଟାଣ୍ଡରେ ୩ଗୁଣ, ହାଟତୋଟାରେ ୪ଗୁଣ ଓ ବଡ଼ବଜାର ଅଂଚଳରେ ୨ଗୁଣ ଭାବରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବୃଦ୍ଧି କରିଥିଲେ। ମାତ୍ର ଏହି ଭଡ଼ା ବୃଦ୍ଧି ବିରୋଧରେ ସମସ୍ତ ବ୍ୟବସାୟୀ ଏକଜୁଟ ହୋଇ ଦୀର୍ଘ ୨ମାସ ଧରି ଅତ୍ୟଧିକ ଭଡ଼ାବୃଦ୍ଧି ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲା, ଉପଖଣ୍ଡ ଓ ପୈାର ଅଧିକାରିଣୀଙ୍କୁ ନିବେଦନ କରି ଆସୁଥିଲେ। ଶେଷରେ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତିକ୍ରମେ ମାର୍ଚ୍ଚ ୧ତାରିଖରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ବ୍ୟବସାୟୀ ଧାରଣା ଦେବାପାଇଁ ଏକ ନୋଟିସ୍ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ଗତ ତା୨୭/୦୨/୨୦୧୯ ରିଖରେ ତାଳଚେର ପୈାର କାଉନସିଲର ଏକ ଜରୁରୀ ବୈଠକ ବସି ବର୍ଦ୍ଧିତ ଭଡ଼ାକୁ ଆଗାମୀ କାଉନସିଲ ବୈଠକ ପର୍ଯ୍ୟନ୍ତ ସ୍ଥଗିତ ରଖି ପୂର୍ବସୂତ୍ରେ ନିଆଯାଇଥିବା ଘର ଭଡ଼ାକୁ ବଳବତର ରଖିବାକୁ ନିଷ୍ପତି ନିଆଯାଇ କ୍ରିୟାନୁଷ୍ଠାନ କମିଟିର ସଭାପତି ଧୀରମୋହନ ରାୟଙ୍କୁ ତା୨୮/୦୨/୨୦୧୯ରିଖ ଅପରାହ୍ନରେ ଏ ସମ୍ପର୍କରେ ଅବଗତ କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୧ତାରିଖରେ ତାଳଚେର ପୈାର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଧାରଣାକୁ ସାମୟିକ ଭାବେ ସ୍ଥଗିତ ରଖାଗଲା। ଏହି ସଫଳତା ପାଇଁ ସର୍ବାଗ୍ରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ, ସମସ୍ତ ବ୍ୟବସାୟୀମାନଙ୍କ ଆନ୍ତରିକ ସହଯୋଗ ଏବଂ ପୈାର ପ୍ରଶାସକ, ପୈାର ଅଧିକାରିଣୀଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଗାମୀ ଦିନରେ ସାର୍ବଜନୀନ ସକାରାତ୍ମକ ଉଦ୍ୟମକୁ ସଫଳ କରିବା ପାଇଁ ମଧ୍ୟ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ତାଳଚେର ମ୍ୟୁନିସିପାଲିଟି ବ୍ୟବସାୟୀ କ୍ରିୟାନୁଷ୍ଠାନ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି।