Odiapua.com

ପଶ୍ଚିମ ଓଡିଶାବାସୀଙ୍କ ସହ ପ୍ରତାରଣା ହୋଇଛି:ବିଜେପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନକୁ ପ୍ରତ୍ୟାଖାନ କରିବା ପ୍ରସଙ୍ଗରେ
– ନବୀନବାବୁ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ?
– ୨୦୧୮ ମସିହା ବିଜେପୁର ଉପ ନିର୍ବାଚନ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଏବଂ ଆସନ୍ନ ଉପ ନିର୍ବାଚନ ପାଇଁ ପ୍ୟାକେଜ ଘୋଷଣା ନାଁରେ ବିଜେପୁରବାସୀଙ୍କୁ ନବୀନ ପଟ୍ଟନାୟକ ପ୍ରତାରିତ କରିଛନ୍ତି
– ରାଜ୍ୟ ସରକାରଙ୍କ ପଂଚମ ପାଳିରେ ପ୍ରଥମ ପ୍ରତାରଣା
– କେବଳ ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କ ସମେତ ପଶ୍ଚିମାଂଚଳବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ

ଭୁବନେଶ୍ୱର, ତା.୦୩/୦୬ (ଓଡ଼ିଆ ପୁଅ) : ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧ ଏବଂ ନିଜର ପଶ୍ଚିମ ଓଡିଶା ପାଇଁ ଥିବା ଆନ୍ତରିକତା କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ବିଜେପୁର ବିଧାନସଭାରୁ ନିର୍ବାଚନ ଲଢିଥିଲେ। ନବୀନବାବୁ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିଲେ ଏବଂ ଜିତିଲେ। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଅନେକ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ମାତ୍ର ବର୍ତମାନ ସେହି ନବୀନବାବୁ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ, ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ବିଜେପି ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି।

୨୦୧୮ ମସିହା ବିଜେପୁର ଉପ ନିର୍ବାଚନ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଏବଂ ଆସନ୍ନ ଉପ ନିର୍ବାଚନ ପାଇଁ ପ୍ୟାକେଜ ଘୋଷଣା ନାଁରେ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି। ଗୋଟିଏ ମଧ୍ୟ ପ୍ରତିଶୃତି ପାଳନ କରାଯାଇ ନାହିଁ। କେବଳ ଗୋଟିଏ ଘୋଷଣାକୁ ବାରମ୍ବାର କହି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ସମେତ ସମଗ୍ର ପଶ୍ଚିମାଂଚଳବାସୀଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ବିଜେପୁର ହେବାକୁ ଥିବା ଉପ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ପଂଚମ ପାଳିରେ ପ୍ରଥମ ପ୍ରତାରଣା ବୋଲି ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର୍ର କହିଛନ୍ତି ଯେ, ୨୦୧୮ ମସିହାରେ ବିଜେପୁର ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନବାବୁ ବିଜେପୁର ପାଇଁ ଯାହା ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ ଏବେ ଯାଏ କେଉଁ ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ପୂର୍ବରୁ ବାରମ୍ଭାର ମିଥ୍ୟା ପ୍ରତିଶୃତି ଦେଇ ପ୍ରତରଣା କରିବାରେ ମାହିର ଥିବା ନବୀନ ବାବୁ ନିଜେ ବିଜେପୁରରୁ ଲଢି ଆଉ ମିଥ୍ୟା ପ୍ରତିଶୃତି ଦେଇ ବିଜେପୁର ବାସୀଙ୍କୁ ଅପମାନିିତ କରି ଚାଲିଛନ୍ତି। ନବୀନବାବୁ ଘୋଷଣା କରିଥିବା ପ୍ୟାକେଜ୍ ବିଜେପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ। ଏହି ପ୍ୟାକେଜରେ ନୁଆ କଥା କିଛି ନାହିଁ। କେବଳ ପୁରୁଣା ଘୋଷଣାକୁ ଆଉ ଥରେ ଘୋଷଣା କରିଛନ୍ତି। ପୂର୍ବରୁ ଘୋଷଣା କରିଥିବା ଗଙ୍ଗାଧର େଙ୍କେହର ଜଳ ପ୍ରକଳ୍ପ କୁଆଡେ ଗଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ?

ପଶ୍ଚିମ ଓଡିଶାରେ ତୈଳ ବିଶୋଧନାଗାର, ଆଇଆଇଏମ୍ ଶିକ୍ଷାନୁଷ୍ଠାନ, ବୁର୍ଲାରେ ସୁପରସ୍ପେଷାଲିଷ୍ଟ ହସ୍ପିଟାଲ ଏବଂ ଝାରସୁଗୁଡାରେ ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କିନ୍ତୁ ପଶ୍ଚିମ ଓଡିଶାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଜନହିତକର ପଦକ୍ଷେପ ନେଇନାହାନ୍ତି ଯେଉଁଥିରେ ପଶ୍ଚିମ ଓଡିଶାବାସୀ ଖୁସି ହେବେ। କେବଳ ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ? ଆଗାମୀ ଦିନରେ ଏଭଳି ପ୍ରତାରଣାର ଜବାବ୍ ବିଜେପୁରବାସୀ ନିଶ୍ଚିତ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ।