Odiapua.com

ପଦ୍ମପୁର ଉପନିର୍ବାଚନ : ଆତ୍ମବିଶ୍ୱାସର ବିଜୟ

ପଦ୍ମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ଅଭୁତପୂର୍ବ ବିଜୟ ପରେ ପୁଣି ଥରେ ପ୍ରମାଣିତ ହେଲା ଯେ, ଓଡ଼ିଶାରେ ନବୀନଙ୍କ ଯାଦୁ ଆଗରେ ସବୁ ତୁଛ। ଜାତୀୟ ରାଜନୀତିର ଧାରା ସମୟାନୁସାରେ ପରିବର୍ତ୍ତନ ହେଲେ ମଧ୍ୟ ଓଡ଼ିଶାରେ ଏକମାତ୍ର ନବୀନ ଯାଦୁ ଆଗରେ ସବୁ ଦଳର ରଣନୀତି ଫେଲ ତାହା ପୁଣିଥରେ ପ୍ରମାଣିତ ହୋଇଛି। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତାହା ବିଜେପିର ଆସନ ଥିଲା। ତେଣୁ ସେହି ନିର୍ବାଚନରେ ବିଜେପି ବିଜୟ ଲାଭ କରିବାକୁ ସକ୍ଷମ ହୋଇଥିଲା। ଶାସକ ବିଜେଡ଼ି ଧାମନଗର ଆସନ ମଧ୍ୟ ଛଢାଇ ଆଣିବାକୁ ସକ୍ଷମ ହୋଇଥାନ୍ତା। ମାତ୍ର ରଣନୀତିରେ ସାମାନ୍ୟ ଭୁଲ ନିଷ୍ପତି ଦଳକୁ ଘାଟାରେ ପକାଇ ଦେଇଥିଲା। ଧାମନଗର ପରାଜୟ ପରେ ଶାସକ ଦଳ ପୁଣି ଦୃଢ଼ ଆତ୍ମବିଶ୍ୱାସର ସହିତ ଲଢ଼ିଲା ଓ ବାଜିମାତ୍ କଲା।

ପଦ୍ମପୁର ଉପନିର୍ବାଚନରେ ମୁଖ୍ୟତଃ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ହେଉଥିଲା। କଂଗ୍ରେସ ଲଢୁଥିଲା ନାମକୁ ମାତ୍ର। ଓଡ଼ିଶାରେ କଂଗ୍ରେସର ସ୍ଥିତି ଯାହା ଥିଲା ସେହି ହିସାବରେ ଭୋଟ ପାଇଲା କଂଗ୍ରେସ। ଯଦିଓ ୨୦୧୯ ନିର୍ବାଚନରେ କଂଗ୍ରେସର ସତ୍ୟଭୁଷଣ ସାହୁ ୩୨ ହଜାରରୁ ଅଧିକା ଭୋଟ ପାଇ ବିଜୟୀ ହୋଇଥିଲେ ମାତ୍ର ଉପନିର୍ବାଚନରେ ସେହି ସତ୍ୟଭୁଷଣଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଲା। ପ୍ରାରମ୍ଭରୁ ଜଣାପଡୁଥିଲା ସତେ ଯେପରି କଂଗ୍ରେସ ପରାଜୟକୁ ସ୍ୱୀକାର କରି ନାମକୁ ମାତ୍ର ନିର୍ବାଚନ ଲଢୁଛି। ତେଣୁ ୨୦୧୯ରେ କଂଗ୍ରେସ ପାଇଥିବା ସମସ୍ତ ଭୋଟ ବିଜେଡ଼ି ଖାତାକୁ ଚାଲି ଯାଇଛି ଏହା ନିଃସନ୍ଦେହ। କାହିଁକି ଓ କିପରି ଗଲା ତାହା ଏକ ବିରାଟ ପ୍ରଶ୍ନବାଚୀ। ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ ବିଜୟର ବ୍ୟବଧାନ ୫, ୫୫୦ ମଧ୍ୟରେ ସିମୀତ ଥିଲା। ତେଣୁ ଉପନିର୍ବାଚନରେ ମଧ୍ୟ ବ୍ୟବଧାନ ସେଇଆ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ବିଜେଡ଼ି ସୁପ୍ରିମୋ ନବୀନଙ୍କ ଜାଦୁ ବ୍ୟବଧାନକୁ ଶତଗୁଣ କରି ଦେଇଛି। ପୂର୍ବରୁ ଯେତେ ନିର୍ବାଚନ ହୋଇଛି ବିରୋଧି ବିଜେପି ଓ କଂଗ୍ରେସ ଅଭିଯୋଗ କରନ୍ତି ଅର୍ଥ ଓ ଶାସନ କଳକୁ ପ୍ରୟୋଗ କରି ବିଜେଡ଼ି ନିର୍ବାଚନ ଜିତୁଛି। ମାତ୍ର ଏଥର ସେହି ଅଭିଯୋଗ ବିଜେପି କରି ପାରିବ ନାହିଁ। କାରଣ ବିଜେପି ମଧ୍ୟ ସମ ପରିମାଣରେ ଅର୍ଥବଳ ଓ ବାହୁବଳକୁ ପଦ୍ମପୁର ଉପନିର୍ବାଚନରେ ପ୍ରୟୋଗ କରିଛି ବୋଲି ଗଣମାଧ୍ୟମରେ ପ୍ରମାଣିତ ହୋଇଛି। ଶାସକ ବିଜେଡ଼ିର ୬୦ରୁ ଉର୍ଦ୍ଧ୍ୱ ବିଧାୟକ ଓ ୧୧ ମନ୍ତ୍ରୀ ପଦ୍ମପୁରରେ ଡେରା ପକାଇଥିଲେ। ସମାନ ବ୍ୟବସ୍ଥା ବିଜେପିରେ ମଧ୍ୟ ଦେଖିବାକୁ ମିଳିଥିଲା। ୪ଜଣ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟର ସବୁ ବିଧାୟକ, ସାଂସଦ ପଦ୍ମପୁରରେ ଡେରା ପକାଇଥିଲେ। ତେଣୁ ସମସ୍ତ ତଥ୍ୟକୁ ଯଦି ବିଚାରକୁ ନିଆଯାଏ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଏକମାତ୍ର ବ୍ରହ୍ମାସ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ନିର୍ବାଚନ ପ୍ରାରମ୍ଭରୁ ଧାମନଗର ହାୱା ପଦ୍ମପୁରରେ ବହିବା ଆରମ୍ଭ ହେଉଥିଲା। ବିଜେଡ଼ି ନେତା ଓ କର୍ମୀମାନେ ସେତେଟା ଉତ୍ସାହିତ ନଥିଲେ। ଡର ଥିଲା କାଳେ ଧାମନଗର ଭଳି ପରିସ୍ଥିତି ହୋଇ ଯିବନିତ ? ପରିସ୍ଥିତିରେ ଯଦି ସୁଧାର ଆସିବ ତେବେ ନବୀନ କାର୍ଡ ପ୍ରୟୋଗ କରିବାର ଆବଶ୍ୟକତା ପଡ଼ି ନପାରେ। ଅପରପକ୍ଷେ ଧାମନଗର ପରାଜୟ ପରେ ଯଦି ପଦ୍ମପୁରରେ କିଛି ଅଘଟଣ ଘଟେ ତେବେ ୨୦୨୪ ନିର୍ବାଚନ ଶାସକ ଦଳ ପାଇଁ ଘୋର ସମସ୍ୟା ସୃଷ୍ଟି କରିପାରେ। ତେଣୁ ସବା ଶେଷରେ ମାଷ୍ଟର କାର୍ଡ ଖେଳିଲା ବିଜେଡ଼ି। ଗୋଟିଏ ଦିନରେ ପଦ୍ମପୁରରେ ତିନୋଟି ନିର୍ବାଚନ ପ୍ରଚାରରେ ନବୀନ ପଟ୍ଟନାୟକଙ୍କୁ ନେଇ ଦଳ ଛିଡା କଲା ଓ ନିର୍ବଚନରେ ବାଜିମାତ୍ କଲା। ପୂର୍ବ ଉପନିର୍ବାଚନ ଭଳି ନବୀନଙ୍କ ଭର୍ଚୁଆଲ ପ୍ରଚାର କରିବାକୁ ଦଳ ଆଉ ଉଚିତ ମନେ କଲା ନାହିଁ। ଧାମନଗର ପରେ ରିସ୍କ ଫାକ୍ଟର ରହୁଥିଲା। ପଦ୍ମପୁର ପ୍ରଚାରରେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କ ଦୃଢ ଆତ୍ମବିଶ୍ୱାସ ଓ ନବୀନ ଜାଦୁ ହିଁ ପଦ୍ମପୁର ଉପନିର୍ବାଚନର ଏକତରଫା ବିଜୟର ମୁଖ୍ୟ କାରଣ।

ପ୍ରିୟରଂଜନ ସାହୁ