Odiapua.com

ପଟ୍ଟାଙ୍ଗିରୁ କାଡାମ, କୋଟପାଡରୁ ଚନ୍ଦ୍ରଶେଖରଙ୍କ ନାମାଙ୍କନ ଦାଖଲ

କୋରାପୁଟ, ଜୟପୁର, ୨୦/୩(ଓଡ଼ିଆ ପୁଅ)/ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ତୃତୀୟ ଦିନରେ କୋରାପୁଟ ଜିଲା ପଟ୍ଟାଙ୍ଗି (ଏସ୍ଟି-୧୪୫)ବିଧାନସଭା ଆସନରୁ କଂଗ୍ରେସ୍ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ କୋଟପାଡ(ଏସ୍ଟି-୧୪୨) ଆସନ ନିମନ୍ତେ ବିଧାୟକ ଚନ୍ଦ୍ରଶେଖର ମାଝି ନିଜ ସମର୍ଥକଙ୍କ ଗହଣରେ ଜୟପୁର ଉପ-ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ପଟ୍ଟାଙ୍ଗି ଆସନରୁ ୧୯୯୫ ଓ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ କାଡାମ ବୁଧବାର ପୂର୍ବାହ୍ନରେ ସେମିଲିଗୁଡା ଗଙ୍ଗା ମାଁ ମନ୍ଦିରରେ ପୂଜାର୍ଟ୍ଟନା କରି ହଜାର ହଜାର ସମର୍ଥକଙ୍କ ଗହଣରେ କୋରାପୁଟରେ ପହଂଚିଥିଲେ। ରେଳବାଇ ଛକରୁ ଆଦିବାସୀ ନୃତ୍ୟ ବାଜା ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପ-ଜିଲାପାଳ ତଥା ନିର୍ବାଚନ ଅଧିକାରୀ ଲଳିତ କୁମାର କହଁରଙ୍କ ନିକଟରେ ୪ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପଟ୍ଟାଙ୍ଗିରେ ସ୍ୱଚ୍ଛ ଦୁର୍ନୀତିମୁକ୍ତ ଶାସନ, ଅଂଚଲର ଉନ୍ନତିକୁ ସେ ପ୍ରାଧାନ୍ୟ ଦେବା ସହ ଲୋକ ମାନଙ୍କ ପ୍ରତିନିଧି ନହୋଇ ସେବକ ଭାବେ କାମ କରିବି ବୋଲି କାଡାମ୍ ବକ୍ତବ୍ୟ ଦେଇଥିଲେ। ଶ୍ରୀ କାଡାମଙ୍କ ସହ କଂଗ୍ରେସ ନେତା ଶଶି ଭୂଷଣ ବେହେରା, ଗୋପାଳ ମାଟ୍ଟାମ୍, ରମେଶ ପାଡାଲ୍, ନରସିଂହ ବେହେରା, ଶୁକ୍ରା ଖରା, ଗୋବିନ୍ଦ ଖୀଲ, ବିମଳା ପାଙ୍ଗି, ମଧୁ ବଡ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଲିଆ ଉପସ୍ଥିତ ରହି ନିର୍ବାଚନ ଅଧିକାରୀଙ୍କୁ ସହାୟତା କରିଥିଲେ। ସେହିପରି କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି ମଣି ପଟ୍ଟନାୟକ, ରାଜେନ୍ଦ୍ର ମହାପାତ୍ର, ମନୋହର ବିଷୋୟୀ, ରାଜେନ୍ଦ୍ର ନାୟକଙ୍କ ସମେତ ଶତାଧିକ ସମର୍ଥକଙ୍କ ସହ ଜୟପୁରରେ ପହଂଚି ଶୋଭାଯାତ୍ରା କରିବା ସହ ଉପ-ଜିଲାପାଳ ତଥା ନିର୍ବାଚନ ଅଧିକାରୀ ଲୋକନାଥ ଦଳବେହେରାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନା ଥାଉକି, କଂଗ୍ରେସ ଘୋଷଣା କରିଥିବା ପ୍ରଥମ ପ୍ରାର୍ଥୀ ତାଲିକାରେ ଚନ୍ଦ୍ରଶେଖରଙ୍କୁ ବାଦ ଦିଆ ଯାଇଥିବା ଘଟଣାକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ଭିତରେ କଥା କଟାକଟି ଚାଲିଥିବାବେଳେ ବାହିନୀପତିଙ୍କ ସମର୍ଥକ ବିଧାୟକ ଚନ୍ଦ୍ରଶେଖରଙ୍କୁ ଆଜି ତରବରିଆ ଭାବେ ନାମାଙ୍କନ ଦାଖଲ କରିବା ସମସ୍ତଙ୍କୁ ସ୍ତମ୍ବିଭୂତ କରିଛି। କଂଗ୍ରେସ ଯଦି ଚନ୍ଦ୍ରଶେଖରଙ୍କ ବଦଳରେ କୋଟପାଡରେ ଅନ୍ୟ କାହାକୁ ଟିକଟ ଦିଏ ତାହେଲେ ସେ ସ୍ୱାଧୀନ ଭାବେ ଲଢିବା ଏକ ପ୍ରକାର ନିଶ୍ଚିତ ବୋଲି ଆଲୋଚନା ଆରମ୍ଭ ହେଲାଣି।