Odiapua.com

ନୂଆଁଖାଇ ସମୟରେ କୌଣସି ବିଭ୍ରାଟ ସୃଷ୍ଟି ନ କରିବାକୁ ଓଡ଼ିଶା ପ୍ରଶାସନକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ପରାମର୍ଶ

ବଲାଙ୍ଗିର ୮-୮ (ଓଡ଼ିଆ ପୁଅ/ ସନ୍ତୋଷ ନାୟକ) ନୂଆଁଖାଇ ହେଉଛି କୋଶଳାଂଚଳର ମହାନ ଗଣପର୍ବ। ଏହି ପର୍ବ ସହ କୋଶଳାଂଚଳର ଦୁଇ କୋଟି ଜନସାଧାରଣଙ୍କ ଭାବ ପ୍ରବଣତା ସହ ଓତଃପ୍ରୋତଃ ଭାବରେ ଜଡ଼ିତ ହୋଇଛି। ତେଣୁ ନୂଆଁଖାଇ ପାଳନ ସମୟରେ କୋଭିଡ଼-୧୯ ଆଳରେ ପ୍ରଶାସନ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ କରି ଏହି ପର୍ବ ପାଳନ ପାଇଁ ସହଯୋଗ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଅନୁରୋଧ କରିଛି। ଏଠାରେ ସ୍ମରଣଯୋଗ୍ୟ ଯେ, ରଜ ପର୍ବ ପାଳନ ପାଇଁ ଓଡ଼ିଶା ପ୍ରଶାସନ ପ୍ରସ୍ତାବିତ ସଟ୍ ଡାଉନ୍ ସମୟରେ ମଧ୍ୟ ଅନେକ ପ୍ରକାର ରିହାତି ଦେଇଥିଲେ। ତେଣୁ ନୂଆଁଖାଇ ସମୟରେ ମଧ୍ୟ ରାଜ୍ୟ ସରକାର କୋଶଳାଂଚଳର ଜନସାଧାରଣଙ୍କୁ ଆବଶ୍ୟକୀୟ ରିହାତି ଦେବା ସହ ଏହି ପର୍ବ ପାଳନ ପାଇଁ ସହଯେଗା କରିବା ଆବଶ୍ୟକ। କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସଦା ସର୍ବଦା କୋଶଳାଂଚଳକୁ ଆଂଚଳିକ ବୈଷମ୍ୟର ଶିକାର କରି ଆସିଛନ୍ତି। ଏ ଅଂଚଳର ଭାଷା, ସଂସ୍କୃତି ଓ ଐତିହ୍ୟକୁ ଅବମାନନା କରି ଆସିଛନ୍ତି। ଉପକୂଳ ଓଡ଼ିଶାର ପର୍ବ ପର୍ବାଣୀକୁ ରାଜ୍ୟ ପ୍ରଶାସନ ତରଫରୁ ଯେଉଁ ଭଳି ସମ୍ମାନ ଓ ପ୍ରୋତ୍ସାହନ ଦିଆଯାଇଛି, କୋଶଳାଂଚଳର ପର୍ବପର୍ବାଣୀକୁ ସେଭଳି ପ୍ରୋତ୍ସାହନ ଦିଆ ଯାଇନାହିଁ। ତେଣୁ ଏ ଅଂଚଳର ଜନ ସାଧାରଣଙ୍କ ମନରେ ସଦା ସର୍ବଦା ଓଡ଼ିଶା ପ୍ରଶାସନ ପ୍ରତି ସଂଦେହ ରହିଛି। ତେଣୁ ନୂଆଁଖାଇ ଭଳି ଏକ ମହାନ ଗଣପର୍ବକୁ କ୍ଷତି କଲା ଭଳି କୌଣସି ପଦକ୍ଷେପ ଯଦି ରାଜ୍ୟ ସରକାର ନିଅନ୍ତି, ତେବେ କୋଶଳାଂଚଳର ଦୁଇ କୋଟି ଜନ ସାଧାରଣ ସରକାରଙ୍କୁ କ୍ଷମା କରିବେ ନାହିଁ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସଂପାଦକ ସୁନୀଲ କୁମାର ପୁରୋହିତ ମତବ୍ୟକ୍ତ କରିଛନ୍ତି। ନୂଆଁଖାଇର ସଠିକ୍ ପାଳନ ଓ ସଂଚାଳନ ପାଇଁ ଅନ୍ୟୁନ ଚାରି ଦିନ ପୂର୍ବରୁ ଓ ଦୁଇ ଦିନ ପର ପର୍ଯ୍ୟନ୍ତ ପ୍ରଶାସନିକ ବ୍ୟବସ୍ଥାରେ କୋହଳ କରିବା ପାଇଁ କୋଶଳ ରାଜ୍ୟ ସମନ୍ୱୟ ସମିତି ଦାବି କରିଛି। ଏହାଛଡ଼ା ସାମାଜିକ ଦୂରତ୍ୱକୁ ଆଖି ଆଗରେ ରଖି କୋଶଳାଂଚଳର ଜନ ସାଧାରଣ ଏହି ମହାନ ଉତ୍ସବକୁ ପାଳନ କରିବା ପାଇଁ କୋଶଳ ରାଜ୍ୟ ସମନ୍ୱୟ ସମିତି କୋଶଳାଂଚଳର ଦୁଇ କୋଟି ଜନ ସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛି।