Odiapua.com

ନାଲକୋକୁ ସେରୁବନ୍ଧ ପର୍ବତ ବକ୍ସାଇଟ ଖଣି ଖନନ କରିବାକୁ ଦେଲେ ଜନ ଆନ୍ଦୋଳନ ହେବ; ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ପୃଥକ ରାଜ୍ୟ କରିବାକୁ ଦାନା ବାନ୍ଧୁଛି !

କୋରାପୁଟ ୨୬-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକର ମାଳିପୁଟ, ନୂଆଗାଁ, ପଟ୍ଟାଙ୍ଗୀ ଓ କୋଟିଆରେ ହୋଇଥିବା ଗ୍ରାମସଭାରେ ସେରୁବନ୍ଧ ପର୍ବତ ବକ୍ସାଇଟ ଖଣି ଖନନ ଓ ଜଙ୍ଗଳ ଜମିକୁ ଅଣଜଙ୍ଗଳ ଜମିରେ ପରିବର୍ତ୍ତନ କରିବାକୁ ବିରୋଧ କରାଯାଇଥିଲା।ଯଦି ବିରୋଧ ସତ୍ୱେ ସରକାର ନାଲକୋକୁ ଖଣି ଖନନ କରିବାକୁ ଦିଅନ୍ତି ତେବେ ଜଣ ଆନ୍ଦୋଳନ କରାଯିବ ବୋଲି କୋରାପୁଟିଆ ଜନ ସୁରକ୍ଷା ସଂଘ ସଭାପତି ଦାସି ନନ୍ଦିବାଲି କୋରାପୁଟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।ଏତତବ୍ୟତୀତ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଏକ ପୃଥକରାଜ୍ୟ କରିବା ନିମନ୍ତେ ମଧ୍ୟ ଆଲୋଚନା ଜାରି ରହିଥିବା ସେ ସୂଚନା ଦେଇଥିଲେ। ଖଣି ଖନନ କରିବାକୁ ଦେବୁ ନାହିଁ ଯଦି ରାଜ୍ୟ ସରକାର ଉଦ୍ୟମ କରନ୍ତି ତେବେ ଆମ୍ଭେମାନେ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ପଳେଇଯିବୁ ବୋଲି ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଭାପତି ଭଗବାନ ଗଲୋରୀ ଧମକ ଦେଇଛନ୍ତି।ଆନ୍ଧ୍ରର ବିଧାୟକମାନେ ଖଣି ଖନନକୁ ବିରୋଧ କରୁଥିବା ବେଳେ ଆମ ରାଜ୍ୟର ବିଧାୟକମାନେ କାହିଁକି ଚୁପ ହୋଇ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।କୋରାପୁଟ ଜିଲ୍ଲାରେ ଅବେକ କଂପାନୀ ସ୍ଥାପନ ଯୋଗୁଁ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଉପଯୁକ୍ତ ଥଇତାନ ଏ ପର୍ଯ୍ୟନ୍ତ କରି ନ ଥିବା ସେ ଅଭିଯୋଗ କରିଥିଲେ।ତେଣୁ ଲୋକମାନେ ଆଉ ବିସ୍ଥାପିତ ହେବାକୁ ଭୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।ଉକ୍ତ ଅଂଚଳରେ ଖଣି ଖନନ ନ କରି ପର୍ଯ୍ୟଟନର ବିକାଶ ପ୍ରତି ଧ୍ୟାନ ଦେବାକୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଦାବି କରିଥିଲେ।ନାଲକୋ ୩୬ ବର୍ଷ ମଧ୍ୟରେ ପାରିପାର୍ଶିକ ଉନ୍ନତି କିଛି କରିନାହିଁ ବୋଲି ସେ ଅଭିଯୋଗ କରିଥିଲେ।ପାରିପାର୍ଶିକ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସାମାଜିକ କ୍ଷେତ୍ର ପ୍ରଭୃତିରେ କିଛି ହେଲେ ବି ଉନ୍ନତି ହେଉ ନାହିଁ ବରିଂ ସେହି ଅଂଚଳର ଲୋକମାନେ ଗରୀବ ହୋଇ ରହିଯାଇଛନ୍ତି ବୋଲି ସେ ସୂଚନା ଦେଇଥିଲେ।ଜିଲ୍ଲା ପ୍ରଶାସନ କଂପାନୀର ହାତ ବାରସି ହୋଇ କାର୍ଯ୍ୟ କରୁଛି ବୋଲି ସେ ଆହୁରୀ ଅଭିଯୋଗ କରିଥିଲେ।ଲୋକମାନେ ଆଉ ବିସ୍ଥାପିତ ହେବାକୁ ସାହସ କରୁ ନାହାନ୍ତି ବୋଲି ସେ ପ୍ରକାଶ କରିଥିଲେ।ଗ୍ରାମସଭା ବିରୁଦ୍ଧରେ ଯଦି ରାଜ୍ୟ ତଥା କେନ୍ଦ୍ର ସରକାର ଯାଅନ୍ତି ତେବେ ଜନ ଆନ୍ଦୋଳନ ହେବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଥିବା ଖଣି, ପାଣି ସବୁକୁ ବନ୍ଦ କରିଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।ଅବିଭିକ୍ତ କୋରାପୁଟ ଜିଲ୍ଲାକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ କରିବାକୁ ଯେଉଁ ଆଭାସ ଆାସୁଛି ସେଥିପ୍ରତି ରାଜ୍ୟ ସରକାର ତୀକ୍ଷଣ ଧ୍ୟାନ ଦିଅନ୍ତୁ ନତୁବା ଆନ୍ଦୋଳନ ଜୋରଦାର ହେବ ବୋଲି ସେ ପ୍ରକାଶ କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ବୈଦନାଥ ଗେମେଲ, ପୂର୍ଣ୍ଣଚନ୍ଦ୍ର ଜାନୀ, ତ୍ରିଲୋଚନ ମୁଦୁଲି, ରାମ ମୁଦୁଲି, ସୁନୀଲ ଖରା, ରବି ଖରା, ପିତାମ୍ଭର କିରସାନି, କର୍ପୁର ହନ୍ତାଲ, ଜଗଦୀଶ ବାଘ, ସହଦେବ ବାଘ, ଦେବ କୁମାର ଗୈାଡ, କୋଡିଙ୍ଗା ମାଳି ସୁରକ୍ଷା ମଂଚର କାହ୍ନୁଚରଣ କନ୍ଧପାଣ ଓ ପ୍ରଦୀପ କୁମାର ବାଘ ପ୍ରମୁଖ ଉପସ୍ଥିତ ଥିଲେ।