ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ରବି ଧାନ ସଂଗ୍ରହ ବ୍ୟବସ୍ଥାରେ ଚରମ ଅବ୍ୟବସ୍ଥା ଓ ମିଲର-ସେକ୍ରେଟେରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଣେ ଚାଷୀ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଚାଷୀ ଜଣକ ହେଲେ ଧୂଷୁରୀ ଥାନା ଅନ୍ତର୍ଗତ ବମକୁରା ଖଡ଼ିମାହାରା ଘାଟସାହି ଅଂଚଳର ଚିତରଞ୍ଜନ ମଲ୍ଲିକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବର୍ତମାନ ଧୂଷୁରୀ ମେଡ଼ିକାଲରେ ଭର୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମିଳିଥିବା ସୂଚନା ମୁତାବକ, ଅଂଚଳରେ ରବି ଧାନ ଅମଳ ହୋଇ ସାରିଥିଲେ ମଧ୍ୟ ସରକାରୀ ସ୍ତରରେ ମଣ୍ଡି ଅଦ୍ୟାବଧି ଖୋଲାଯାଇ ନାହିଁ । ଯେଉଁ ଚାଷୀମାନେ ନିୟମିତ ଭାବେ ଅନଲାଇନ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ଧାନ ବିକ୍ରି ପାଇଁ କୌଣସି ସୁଯୋଗ ବା ଟୋକନ ମିଳୁନାହିଁ । ଅନ୍ୟପଟେ, ସୋସାଇଟି ସେକ୍ରେଟେରୀ ଓ କେତେକ ଅସାଧୁ ବ୍ୟାପାରୀ ମିଳିତ ଭାବେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ପ୍ରକୃତ ଚାଷୀଙ୍କ ଠାରୁ କୁଇଂଟାଲ ପ୍ରତି ୨୪ ରୁ ୨୫ କିଲୋ ପର୍ଯ୍ୟନ୍ତ ଅତ୍ୟଧିକ କଟନୀ-ଛଟନୀ (ପୋଡ଼ା) କାଟିବା ପାଇଁ ବାଧ୍ୟ କରାଯାଉଛି । ନିଜର କଷ୍ଟଅର୍ଜିତ ଧାନ ବିକ୍ରି କରିନପାରି ଏବଂ ଦଲାଲ ଓ ଅଧିକାରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଚାଷୀ ଚିତରଞ୍ଜନ ମଲ୍ଲିକ ବମକୁରା ସୋସାଇଟି ଅଫିସ ସାମ୍ନାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧୂଷୁରୀ ଡାକ୍ତରଖାନାକୁ ନେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ତୁରନ୍ତ ସରକାରୀ ମଣ୍ଡି ଖୋଲା ନଯାଏ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ସମଗ୍ର ଧାମନଗର ଓ ଧୂଷୁରୀ ଅଂଚଳରେ ଚାଷୀମାନେ ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।