Odiapua.com

ଦେଶ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଗାଁ କୁ ନାହିଁ ପକା ରାସ୍ତା, ମାଟି କାଦୁଆରେ ଯାତାୟାତ କରୁଛନ୍ତି ଦୁଇ ଗ୍ରାମବାସୀ

କୋରାପୁଟ : ୨୧/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଦେଶ ସ୍ୱାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଦୁଇ ଗାଁକୁ ପକା ରାସ୍ତା ନାହିଁ। ପକ୍କା ରାସ୍ତା ଦେଖିବାକୁ ସାତ ସପନ। ଏହା ହେଉଛି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଳକର ବାଲଡା ଗ୍ରାମପଞ୍ଚାୟତ ସ୍ଥିତ ଲୁଲୁବରୁ ଓ ଡାବାପୁଟର ବିକଳ ଦୃଶ୍ୟ। ବାଲଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ୭ ନଂ ୱାର୍ଡରେ ୭୫ରୁ ଉର୍ଦ୍ଧ୍ବ ଆଦିବାସୀ ସମ୍ପ୍ରଦାୟର ପରିବାର ଆଜକୁ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବସବାସ କରିଆସୁଛନ୍ତି। ସେଠାକାର ଗ୍ରାମବାସୀମାନେ ଗାଁ କୁ ଭଲ ପକା ରାସ୍ତାଟିଏ ପାଇଁ ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସେଠାକାର ଅଧିବାସୀମାନେ ଅଭିଯୋଗ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉକି ବିଧାନସଭା ନିର୍ବାଚନ ସମୟରେ ସେଠାକୁ ଭୋଟ ଭିକ୍ଷା କରିବାକୁ ଯାଇ ତୁମ ଗାଁ କୁ ରାସ୍ତା କରିଦେବୁ କହି କେବଳ ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକା ରାସ୍ତାଟିଏ ହୋଇ ପାରିନାହିଁ। ଏହା ବାସ୍ତବିକ ଚିନ୍ତାର ବିଷୟ। ବିଦ୍ୟାଳୟ ପାଠ ପଢିବାକୁ ହେଉ କି କାମଧନ୍ଦା ପାଇଁ ହେଉ ଆଦି କୌଣସି କାର୍ଯ୍ୟରେ ଗାଁ ବାହାରକୁ ଯିବାକୁ ହେଲେ ସେମାନଙ୍କୁ ୩ କିଲୋମିଟର ମାଟି କାଦୁଅ ରାସ୍ତା ଦେଇ ଯିବାକୁ ପଡିଥାଏ। ଅନ୍ୟପଟେ ଯଦି କାହାର ଦେହ ଅସୁସ୍ଥ ହେଲା କି ପ୍ରସୂତି ସମୟରେ ଏହି ଦୁଇ ଗ୍ରାମକୁ ଆମ୍ବୁଲାନ୍ସ କି ଅନ୍ୟଗାଡ଼ି ଯାଇପାରୁନଥିବାରୁ ସେଠାକାର ଲୋକମାନେ ରୋଗୀ ଓ ପ୍ରସୂତିଙ୍କୁ କାନ୍ଧରେ ଭାର ମାଧ୍ୟମରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହିବାକୁ ପଡିଥାଏ ବୋଲି ଗ୍ରାମର ଲୋକମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଯଦି ବାଲଡା ଗ୍ରାମ ପଞ୍ଚାୟତ ୭ନଂ ୱାର୍ଡ ର ଲୁଲୁବରୁ ଓ ଡାବାପୁଟ ଗ୍ରାମକୁ ପକା ରାସ୍ତା ନିର୍ମାଣ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିବେ ବୋଲି ଗୋପୀନାଥ କାର୍ତ୍ତୃଲ, ନିଲୁ କୀର୍ସାନି, ଜଗବନ୍ଧୁ ଜାନାମ, କେଶବ ବଡ଼ନାୟକ, ଦୀନବନ୍ଧୁ ଗୋଲାରୀ, ଭିମ ଜାନାମ, ସମରା ଏଚିଂ, ରୁକ୍ମଣୀ ହାନ୍ତାଳଙ୍କ ସମେତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।