Odiapua.com

ଦିନ ମଜୁରିଆ ଗରିବ ଆଦିବାସୀ ଙ୍କୁ ବାସ ଗୃହ ମିଳିବ କେବେ ?

ବରଗଡ, ୧୮-୬ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି। ଯାହା ଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଭାଗ୍ୟ କୁ ଆଦରି ନେଉଛନ୍ତି। ସରକାରଙ୍କ ନିୟମାନୁସାରେ ସାମାଜିକ ଅର୍ଥନୈତିକ ସର୍ଭେରେ ନାମ ରହିଥିବା ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଘର ପାଇବା ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଇଥାଏ। ହେଲେ ହିତାଧିକାରୀ ଚୟନ ପ୍ରକିୟା ରେ ମଧ୍ୟ ପାତର ଅନ୍ତର କରା ଯାଉଥିବା ସହ ଅଧିକାରୀଙ୍କ ଅର୍ଥ ର ଲୋଲୁପ ମନୋଭାବ ଯୋଗୁଁ ମଧ୍ୟ ବହୁ ଗରିବ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବରଗଡ ଜିଲ୍ଲା ପଦ୍ମପୁର ପାଇକମାଲ ବ୍ଳକ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଅବସ୍ଥିତ ଜର୍ଜଗଡ ଗ୍ରାମର ଗରିବ ଆଦିବାସୀ ଦିନ ମଜୁରିଆ ବାସୁଦେବ ଧରୁଆ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଧରୁଆ ଏବଂ ଦୁଇ ପୁଅ ଝିଅ ଚାରି ଜଣ ସଦସ୍ୟ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ ହେବ ଏକ ଭଙ୍ଗା ଦଦରା ମାଟି ଘରେ ଜରି ଛାଉଣୀ କରି ରହୁଛନ୍ତି। ଚାରି ପ୍ରାଣୀ କୁଟୁମ୍ବ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ବାସୁଦେବ ଧରୁଆ ଜଣେ ଦିନ ମଜୁରୀଆ ହୋଇଥିବାରୁ ଅନ୍ୟର ମୂଳ ଲାଗି ନିଜ ପରିବାର ପ୍ରତିପୋଷଣ ସହ ଗୁଜୁରାଣ ମେଣ୍ଟାଇଥାନ୍ତି। ବସୁଦେବ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁବା ପାଇଁ ବହୁ ବାର ଆବେଦନ ନିବେଦନ କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗରିବ ଆଦିବାସୀ ଦିନ ମଜୁରିଆ ବାସୁଦେବ ଧରୁଆ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।