Odiapua.com

ଦଶମନ୍ତପୁରରେ ମଦମୃତ୍ୟୁ ଅଭିଯୋଗ

କୋରାପୁଟ ; ତା୦୬-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗିରିଲିଗୁମ୍ମା ପଂଚାୟତର କିରାଆମ୍ବ ଗ୍ରାମରେ ମଦପିଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ କିରାଆମ୍ବ ଗ୍ରାମର ଅନାମ ମୁଦୁଲି (୫୦) ବୋଲି ଜଣାପଡିଛି। ମୃତ ଅନାମଙ୍କ ସ୍ତ୍ରୀ ରୁକୁ ମୁଦୁଲିଙ୍କ କହିବା ଅନୁଯାୟୀ ଅନାମ ଗୁରୁବାର କୌଣସି କାମରେ ଗଦଲା ଗାଁକୁ ଯାଇ ଫେରିନଥିଲେ। ତେବେ ସେ ସବୁ ଦିନ ମଦ ପିଉ ଥିବା ହେତୁ ମଦ ପିଇ କେଉଁଠି ରହି ଯାଇଥିବା ପରିବାର ଲୋକ ଭାବିଥିଲେ। ଶନିବାର ସକାଳେ ମୃତ ଅନାମଙ୍କ ସଢୁ ଗୋରା ମୁଦୁଲି ଜାମୁରୁ ଗାଁକୁ ଯାଉଥିବା ସମୟରେ ଅନାମଙ୍କ ମୃତଦେହ ଶ୍ମାଶାନ ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ। ଅନାମଙ୍କ ହାତରେ ଏକ ଗୁଟକା ପୁଡିଆ ଥିବା ଦେଖିବାକୁ ମିଳିଛି। ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲେ। ମୃତ ଅନାମଙ୍କ ପୁତୁରା କୈଳାଶ ମୁଦୁଲି ଦଶମନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଅନାମ ମଦ ପିଇ ମୃତ୍ୟୁ ବରଣ କରିଥିବା ଅଭିଯୋଗକୁ ଅବକାରୀ ନିରୀକ୍ଷକ ଏମ୍.ଡି.ମାଝି ଅସ୍ୱୀକାର କରିବା ସହ ବିଭିନ୍ନ ସମୟରେ ବିଭାଗ ସେହି ଅଂଚଳରେ ଚଢଉ କରୁଥିବା କହିଛନ୍ତି।