Odiapua.com

ଥୁରିଆ ଆଶ୍ରମ ସ୍କୁଲର ୨ ଛାତ୍ର ମୃତ୍ୟୁ ଘଟଣା; ବାରହା ଶିକାର ପାଇଁ ପଥର ରଖିଥିବା ଲୋକକୁ ଖୋଜୁଛି ପୋଲିସ

କୋରାପୁଟ;ତା୧୪-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଥୁରିଆ ଆଶ୍ରମର ଦୁଇ ଛାତ୍ର ପଥର ଚାପି ହୋଇ ମୃତ୍ୟୁ ବରଣ କରିବା ଘଟଣାର ଗୁମର ଧୀରେ ଧୀରେ ପଦାକୁ ଆସୁଛି। ରବିବାର ଜିଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ ଓ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଘଟଣା ସ୍ଥଳକୁ ଯାଇ ଆମୂଳଚୂଳ ତଦନ୍ତ କରିଥିବାବେଳେ ଜଣା ପଡିଛି ଯେ କୌଣସି ବ୍ୟକ୍ତି ବାରହା ଶିକାର ପାଇଁ ସଜେଇ ରଖିଥିବା ପଥର ଚାପି ହୋଇ ଦୁଇ ଛାତ୍ର ପ୍ରାଣ ହରାଇଛନ୍ତି। ଅନ୍ୟ ପକ୍ଷରେ ଆଶ୍ରମରୁ ଛାତ୍ରମାନେ କିପରି ପାଚେରୀ ଡେଇଁ ଜଙ୍ଗଲକୁ ଯାଇଥିଲେ ସେ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ତଦନ୍ତ କରିଥିଲେ। ବାରହା କିମ୍ବା ଅନ୍ୟ ବନ୍ୟଜନ୍ତୁ କନ୍ଦମୂଳ ଖାଇବାକୁ ଆସି ମାଟି ଖୋଳିବା ମାତ୍ରେ ଭରା ଦେଇଥିବା କାଠ ହଲିଲେ ପଥର ଗୁଡିକ ସେମାନଙ୍କ ଉପରେ ପଡିବା ଭଳି ଯୋଜନା କରା ଯାଇଥିଲା। ହେଲେ ଉକ୍ତ ଯୋଜନାରେ ବାରହା ଓ ବନ୍ୟଜନ୍ତୁ ବଦଳରେ ଦୁଇଛାତ୍ର ଫସି ଯାଇଥିଲେ ବୋଲି ତଦନ୍ତ ସମୟରେ ଜଣା ପଡିଛି। ତେଣୁ ପୁଲିସ ବର୍ତମାନ କନ୍ଦମୂଳ ଲଗାଇଥିବା ଲୋକକୁ ଖୋଜୁଛି।ବର୍ତମାନ ତଦନ୍ତ ଚାଲିଛି ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁନାବେଡା ଏସଡିପିଓ ନିରଞନ ବେହେରା ସୂଚନା ଦେଇଛନ୍ତି।