Odiapua.com

ତରୁଣକାନ୍ତି ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର ୧୮-୧୨ (ଓଡ଼ିଆ ପୁଅ) ବିଶିଷ୍ଟ କଥାକାର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା କରାଯାଇଛି। ଗଳ୍ପ ସଂକଳନ ଭାସ୍ୱତୀ ପାଇଁ ପାଇବେ ଏହି ପୁରସ୍କାର।

ତରୁଣକାନ୍ତି ମିଶ୍ରଙ୍କର ୧୫ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି। ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି। ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି। ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଜୀବନୀ
ତରୁଣକାନ୍ତି, ୧୯୫୦ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ସ୍କୁଲ ଆଦି ବିଭିନ୍ନ ସ୍କୁଲରୁ ସ୍କୁଲ ଶିକ୍ଷାଲାଭ କରିଥିଲେ। ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସେ “ବ୍ୟବହାରିକ ଅର୍ଥନୀତି”ରେ ସ୍ନାତକ ଓ ସେ ଇଂଲଣ୍ଡର “ଇଷ୍ଟ ଆଙ୍ଗ୍ଳିଆ ବିଶ୍ୱବିଦ୍ୟାଳୟ”ରୁ ଅର୍ଥନୀତିରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ।

୧୯୭୫ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ୨୦୦୯ମସିହା ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ। ୨୦୧୦ମସିହା ଅଗଷ୍ଟ ମାସରେ ସେ ସେବାନିବୃତ ହୋଇଥିଲେ। ସେହି ବର୍ଷ ନଭେମ୍ବର ମାସରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ସୁଚନା କମିଶନର ଭାବରେ ନିଯୁକ୍ତ କରିଥିଲେ। ୨୦୧୫ମସିହା ଫେବୃଆରୀ ୧୨ତାରିଖରେ ସେ ରାଜ୍ୟ ସୂଚନା କମିଶନର ପଦବୀରୁ ଇସ୍ତଫା ଦେଇଥିଲେ।

ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି। ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି।

ତାଙ୍କର ରଚନାବଳୀ ଗୁଡ଼ିକ ମଧ୍ୟରେ “ଆବର୍ତ୍ତର ଦୁଇଟି ସ୍ୱର”, “ନିସଙ୍ଗତାର ସ୍ୱର”, “କୋମଳ ଗାନ୍ଧାର”, “ବହୁବ୍ରୀହି”,”ପାରାଡାଇଜ ପକ୍ଷୀ”,”ଜଣେ ନିରସ୍ତ୍ର ଆତତାୟୀ”,”ବୀତଂସ””ପ୍ରଜାପତିର ଡେଣା ନାହିଁ”,”ଆକାଶ ସେତୁ”,”ଲୁବ୍ଧକର ରାତି” ଅନ୍ୟତମ।

ତରୁଣକାନ୍ତି ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ଏହା ବ୍ୟତୀତ ସେ, ଶାରଳା ପୁରସ୍କାର,
ଝଙ୍କାର ପୁରସ୍କାର ରେ ମଧ୍ୟ ସମ୍ମାନୀତ ହୋଇସାରିଛନ୍ତି।