Odiapua.com

ତଦନ୍ତ ପାଇଁ ଆସିଥିବା ସିଏଲସିକୁ ଗ୍ରାମବାସୀଙ୍କ ବିରୋଧ

କୋରାପୁଟ ୧୮-୦୫-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ଏନକାଉଟଂରରେ ଗତ ୮ ତାରିଖ ଦିନ୫ଜଣ ମାଓବାଦୀ ମୃତ୍ୟୁ ବରଣ କରିବା ଘଟଣାର ତଦନ୍ତ କରିବାକୁ ଆସିଥିବା ଆନ୍ଧ୍ର ପ୍ରଦେଶର ସିଭିଲ୍ ଲିବେରେସନ କମିଟି(ସିଏଲସି)ର ୫ ଜଣିଆ ସଦସ୍ୟ ମାନଙ୍କୁ ନାରାୟଣପାଟଣା ବିସ୍ଥାପିତ ଲୋକମାନେ ପ୍ରବଳ ବିରୋଧ କରିଛନ୍ତି। ସିଏଲସିର ଏକ ୫ଜଣିଆ ଟିମ ସଭାପତି ଭି .ଚିଟ୍ଟିବାବୁଙ୍କ ନେତୃତ୍ୟରେ ଶନିବାର ପୂର୍ବାହ୍ନରେ ସେମିଲିଗୁଡାରୁ ନନ୍ଦପୁର ବ୍ଲକ ବାଡେଲ ପଂଚାୟତର କିତୁବା ଗ୍ରାମକୁ ଯାଉଥିବାବେଳେ ଶତାଧିକ ଆଦିବାସୀ ମହିଳା ପୁରୁଷ ଜାନିଗୁଡା ଠାରେ ପ୍ରତିରୋଦ୍ଧ କରିଥିଲେ। ସିଏଲସି ଫେରି ଯାଓ, ମାଓବାଦୀଙ୍କ ଦ୍ୱାରା ଭିଟା ମାଟି ଛାଡି ଆମେ ହଇରାଣ ହେଉଛୁ, ସେଥିପାଇଁ ସିଏଲସି କଣ କରିଛି ବୋଲି କମିଟି ସଦସ୍ୟ ମାନଙ୍କୁ ପ୍ରତିବାଦ କରିବା ସହ ଗ୍ରାମବାସୀ ମାଓବାଦୀ ଓ ସିଏଲସି ବିରୋଦ୍ଧି ପ୍ଲାକାର୍ଡ, ବେନର ପ୍ରଦର୍ଶନ କରିଥିଲେ। ମାଓବାଦୀଙ୍କ ଦ୍ୱାରା ନିହତ ହୋଇଥିବା ନିରୀହ ଆଦିବାସୀ ଲୋକଙ୍କ ସପକ୍ଷରେ ନାରାବାଜି କରିବା ସହ ଗ୍ରାମବାସୀ ମାଓବାଦୀ ଓ ସିଏଲସି ସଦସ୍ୟ ମାନଙ୍କ ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲେ। ଗ୍ରାମବାସୀଙ୍କ ବିରୋଦ୍ଧ ଯୋଗୁଁ ସିଏଲସି ସଦସ୍ୟମାନେ ବାଧ୍ୟ ହୋଇ ଅଧା ବାଟରୁ ଫେରି ଯାଇଥିବା ଜଣା ପଡିଛି। ସୂଚନା ଥାଉକି ଗତ ୮ ତାରିଖ ଅପରାନ୍ନରେ କିତୁବା ଜଙ୍ଗଲରେ ଡିଭିଏଫ୍-ଏସଓଜି ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ୩ ମହିଳା କ୍ୟାଡରଙ୍କ ସମେତ ୫ଜଣ ମାଓବାଦୀ ପ୍ରାଣ ହରାଇଥିଲେ। ଏହା ଏକ ପ୍ରକୃତ ଏନକାଉଂଟର ନାଁ ଫେକ୍ ଏନକାଉଂଟର ତାର ଅନୁଧ୍ୟାନ କମିଟି ପକ୍ଷରୁ କରା ଯାଇ ପରବର୍ତି ପଦକ୍ଷେପ ନିଆ ଯିବ ବୋଲି ସିଭିଲ୍ ଲିବର୍ଟି କମିଟିର ଆନ୍ଧ୍ର ପ୍ରଦେଶ ରାଜ୍ୟ ସଭାପତି ଭି.ଚିଟ୍ଟିବାବୁ ସେତେବେଳେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ସିଭିଲ୍ ଲିବେରେସନ କମିଟିର ସଭାପତି ଚିଟ୍ଟିବାବୁ, ସହ-ସମ୍ପାଦକ ଏନ.ଶ୍ରୀମାନ ନାରାୟଣ, କମିଟି ସଦସ୍ୟ ଜି.ରଘୁବାବୁ, ଏବିଏମଏସ ସଦସ୍ୟ ଏଲ.ରାଓ.କଣ୍ଡେଲ ରାଓ ପ୍ରମୁଖ ଡିଭିଏଫ୍-ଏସଓଜି ଯବାନଙ୍କ ଏନକାଉଂଟରକୁ ସହଜରେ ଗ୍ରହଣ କରି ପାରୁନଥିବା ଗଣ ମାଧ୍ୟମକୁ କହିଥିଲେ।