Odiapua.com

ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡରେ “ଗରିବ କଲ୍ୟାଣ ସମାବେଶ”ରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ଯୋଗଦେବେ
– ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ
– ବଲାଙ୍ଗୀରରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ
– ଭୁବନେଶ୍ୱରରେ ‘ଜନଜାତୀୟ ଖେଳ ମହୋତ୍ସବ’ରେ ହେବେ ସାମିଲ

ଭୁବନେଶ୍ୱର, ଜୁନ ୦୭ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତର ପ୍ରଥମ ଦିନରେ ଶ୍ରୀ ପ୍ରଧାନ ଢେଙ୍କାନାଳର କଙ୍କଡାହାଡ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ। କାମାକ୍ଷାନଗରରେ କମ୍ୟୁନିଟି ରେଡିଓ- “ରେଡିଓ ବସୁଧା”ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ। କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଠାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ ପ୍ରଶ୍ନତ୍ତୋର ପ୍ରତିଯୋଗିତା କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବ- ୨୦୨୩ରେ ସାମିଲ ହେବେ। ତୃତୀୟ ଦିନରେ ଶ୍ରୀ ପ୍ରଧାନ ଦେବଗଡର ବଡବଗିଚା ଏବଂ ସମ୍ବଲପୁର ରେଙ୍ଗାଲି ବ୍ଲକରେ ଆୟୋଜିତ ପୃଥକ ପୃଥକ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ସହ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।

ଜୁନ ୧୧ ତାରିଖ ଗସ୍ତର ଶେଷ ଦିନରେ ଶ୍ରୀ ପ୍ରଧାନ ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବା ସହ ବଲାଙ୍ଗୀର ଟାଉନ ଠାରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ। ବରଗଡ ନୃସିଂହନାଥ ପାଇକମାଲ ଠାରେ ଗରିବ କଲ୍ୟାଣ ସମାବେଶ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।