Odiapua.com

ଟ୍ରେନ ଲାଇନରେ କଟି ବୃଦ୍ଧ ମୃତ

କୋରାପୁଟ : ୧୦/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ବାଲଡା ଦେଇ ଯାଇଥିବା କିରୋଣ୍ଡଳ ବିଶାଖାପାଟଣାମ ନୂତନ ରେଳ ଲାଇନରେ କଟି ବୃଦ୍ଧ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ବାଲଡା ଗ୍ରାମ ନିବାସୀ ଲୋଚମୁ ସେଠୀ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଚିହ୍ନଟ କରିଛନ୍ତି। ମୃତ ଦେହକୁ ଦେଖିଲା ପରେ ବାଲଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ଓ ଗ୍ରାମବାସୀ ଆର.ପି.ଏଫ୍ ରେଳବାଇ ପୋଲିସ କୋରାପୁଟକୁ ଖବର ଦେଇଥିଲେ। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସ୍ଥିତ ରେଳବାଇ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ କରୁଥିବା ବେଳେ ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କର ବୟସ ୬୩ ବର୍ଷ ବୋଲି ପରିଚୟ ପତ୍ରରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ସେ ପରିବାର ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି କି ଶୌଚ ପାଇଁ ଆସୁଥିବା ସମୟରେ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି ତାହା ଜଣାପଡ଼ିନାହିଁ। ଟେନ ଲାଇନ ଉପରେ ଚାଲିବା ସମୟରେ ଅସାବଧାନତା ହେତୁ ବହୁ ମୂଲ୍ୟ ଜୀବନ ଚାଲିଯାଉଛି। ମୃତ ଲୋଚମୁ ସେଠୀ ଗରିବ ଶ୍ରେଣୀର ହୋଇଥିବା ବେଳେ ଗାଈ ଚରେଇ ଜୀବିକା ନିର୍ବାହ କରୁଥିଲେ। ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ପରିବାର ଓ ଗ୍ରାମବାସୀଙ୍କୁ ଶବ ହସ୍ତାନ୍ତର କରିଥିଲେ। ଆମ୍ବୁଲାନ୍ସ ଦ୍ୱାରା ଗ୍ରାମ ଶ୍ମଶାନକୁ ନେଇ ଶବ ସତ୍କାର କରିଥିଲେ।