Odiapua.com

ଜୁଆ ଆଡ୍ଡାରେ ଚଢଉ, ୫ ଗିରଫ, ୧୦ ବାଇକ ଜବତ

କୋରାପୁଟ ୦୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ସୁନାବେଡା ଏସଡିପିଓ ନିରଂଜନ ବେହେରାଙ୍କ ନେତୃତ୍ୱରେ ପଟ୍ଟାଙ୍ଗି ପୁଲିସର ଏକ ଟିମ କୁନ୍ଦୁଲିର ଏକ ଜୁଆଆଡ୍ଡା ଉପରେ ଚଢଉ କରି ୫ ଜୁଆଡିଙ୍କୁ ଗିରଫ କରିଥିବାବେଳେ ୧୦ଟି ବାଇକ ଜବତ କରିଛି। କୁନ୍ଦୁଲି ଡାକ୍ତରଖାନା ପଛ ପାଖ ଏକ ସ୍ଥାନରେ ବଡ ଧରଣର ଜୁଆ ଖେଳ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା। ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ନିରଂଜନ ବେହେରାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗୁରୁବାର ବିଳମ୍ବିତ ରାତିରେ ଚଢଉ କରିଥିଲା। ୨୦ରୁ ଉର୍ଦ୍ଧ୍ୱ ଜୁଆଡି ଥିଲେ ମଧ୍ୟ ପୁଲିସ ଏସ.ନାରାୟଣ ରାଓ, ଗୌର ହନ୍ତାଳ, ମହେନ୍ଦ୍ର ଭାଲୁ, ସଦନ ମାଝି ଓ ରତ୍ନା ଏଣ୍ଡେକାକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ଜୁଆ ଆଡ୍ଡାରୁ ୧୦ଟି ବାଇକ,  ୪ଟି ମୋବାଇଲ ଫୋନ ଏବଂ ନଗଦ ୧୩ ହଜାର ୭୦୦ ଟଙ୍କା ଜବତ କରା ଯାଇଥିବା ପଟ୍ଟାଙ୍ଗି ଥାନା ଅଧିକାରୀ ଗୋଲକ ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି।