Odiapua.com

ଛୁରା ଦେଖାଇ ଟ୍ରକ ଡ୍ରାଇଭର ଠାରୁ ଟଙ୍କା ଲୁଟ

କୋରାପୁଟ ୦୪-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ୨୬ ନଂ ଜାତୀୟ ରାଜପଥର ଡୁମୁରିପୁଟ ପାର୍କିଂ ସ୍ଥାନରେ କେତେକ ଦୁର୍ବୂତ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଛୁରା ଦେଖାଇ ଟଙ୍କା ଓ ୨ଟି ମୋବାଇଲ ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏପି୩୫ଟି-୬୪୬୬ ନମ୍ବର ଏକ ଟ୍ରକ ବିଶାଖାପାଟଣାରୁ ରାୟପୁରକୁ କୋଇଲା ବୋଝେଇ କରି ଯାଉଥିଲା। ରାତି ହେବାରୁ ଡୁମୁରିପୁଟ ପାର୍କିଂ ସ୍ଥାନରେ ଟ୍ରକ ରଖି ଡ୍ରାଇଭର ପି.ତ୍ରିପତି ରାଓ ଏବଂ କ୍ଲିନର୍ ଏନ୍.ପୁରୁଷୋତମ ଗାଡିରେ ଶୋଇଥିଲେ। ରାତି ପ୍ରାୟ ସାଢେ ତିନିଟା ସମୟରେ ଏକ ଧଳା ବଲେରୋ ଜିପରେ ୬ଜଣ ବ୍ୟକ୍ତି ଆସି ସେମାନଙ୍କୁ ଉଠାଇ ଡୋର ଖୋଲିବାକୁ କହିଥିଲେ। କବାଟ ଖୋଲିବା ମାତ୍ରେ ଦୁର୍ବୂତମାନେ ତାଙ୍କ ବେକରେ ଏକ ଛୁରା ଲଗାଇ ପାଖରେ ଥିବା ୧୨ହଜାର ଟଙ୍କା ଏବଂ ୨ଟି ମୋବାଇଲ ଫୋନ ନେଇ ସେମିଲିଗୁଡା ଅଭିମୁଖେ ପଳାଇଥିବା ଡ୍ରାଇଭର ପି.ତ୍ରିପତି ରାଓ ଡୁମୁରିପୁଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସେହିପରି ଗତକାଲି ରାତିରେ କୋରାପୁଟ-ସୁନାବେଡା ରାସ୍ତାର ଡୁରୁଗୁଡା ନିକଟରେ ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ଅନ୍ୟ ଏକ ଟ୍ରକକୁ ଅଟକାଇ ଡ୍ରାଇଭର ଠାରୁ ଟଙ୍କା ନେଇଯାଇଥିବା କୋରାପୁଟ ଟାଉନଥାନାରେ ଅଭିଯୋଗ ହୋଇଛି। କୋରାପୁଟ-ସୁନାବେଡା ରାଜପଥ ମଧ୍ୟରେ ଦିନକୁ ଦିନ ଚୋରି, ଲୁଟ୍ ଓ ଦୁର୍ଘଟଣା ବଢୁଥିବାରୁ ପୁଲିସ୍ ନିୟମିତ ପେଟ୍ରୋଲିଂ ଡୁମୁରିପୁଟ ଫାଣ୍ଡିରେ ଏକ ଗାଡି ରଖାଯିବାକୁ ସାଧାରଣରେ ଦାବି ହେଉଛି।