Odiapua.com

ଛତିଶଗଡ ସୀମା ସିଲ କଲା କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ ୧୦-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ପ୍ରତ୍ୟେକ ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନା ୨ ୟ ଲହରକୁ ପ୍ରତିହିତ କରିବା ନିମନ୍ତେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏକ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ,ଜିଲ୍ଲାର ସମସ୍ତ ବିଡିଓ,ତହସିଲଦାର ଓ ସହରାଂଚଳ ଅଧିକାରୀମାନେ ଉପସ୍ଥିତ ଥିଲେ ।ଆଜିଠାରୁ  ଜିଲ୍ଲା ପ୍ରଶାସନ ଛତିଶଗଡ ସୀମା  ସିଲ କରିଥିବା ଜଣାପଡିଛି ।ଯେଉଁ ଘରୋଇ ପରିବହନକାରୀ ଓଡିଶାକୁ ପ୍ରବେଶ କରିବେ ସେମାନେ ଭ୍ୟାକ୍ସିନେକ୍ସନ ସାର୍ଟିଫିକେଟ କିମ୍ବା ୭୨ ଘଂଟା ମଧ୍ୟରେ ଆରଟିପିସିଆର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।ଯଦି ସେମାନେ ଦାଖଲ କରିପାରିବେ ନାହିଁ ତେବେ ୭ ଦିନ ସଂଘରୋଧରେ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।କୋରାପୁଟ ସହୀଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କୋଭିଡ ହସପିଟାଲ ରହିଥିବା ବେଳେ ଜୟପୁରରେ ରହିଥିବା କୋଭିଡ ହସପିଟାଲକୁ ୪ ଦିନ ମଧ୍ୟରେ ଖୋଲାଯିବ ବୋଲି ନିଷ୍ପତି ନିଆଯାଇଥିଲା ।କୋରାପୁଟ ଓ ଜୟପୁରରେ ରହିଥିବା କୋଭିଡ କେୟାର କେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ।ଜିଲ୍ଲାର ପ୍ରତି ପଂଚାୟତରେ ରହିଥିବା ସଂଘରୋଧ ଗୃହଗୁଡିକ ବନ୍ଦ ରହିଥିବା ବେଳେଏହାକୁ ଏବେ କ୍ଲଷ୍ଟରଭାବେ ଆରମ୍ଭ କରାଯିବ ବୋଲି ବୈଠକରୁ ଜଣାପଡିଛି ।ସୁରଲିରେ ଏକ ଚେକ ପଏଂଟ ଖୋଲାଯାଇ କାର୍ଯ୍ୟକ୍ଷମ କରାଯାଇଥିବା ଜିଲ୍ଲାପାଳ ଅଖତର ସୂଚନା ଦେଇଛନ୍ତି ।ଚେକଜ ପଏଂଟରେ ବସ ,ଟ୍‌ରକ ,ଅଟୋ  ଓ ଟ୍ରେକର ଆଦି ପରିବହନକୁ ଅନୁମତି ଦିଆଯିବ ନାହିଁ  ବୋଲି ସେ ପ୍ରକାଶ କରିଛନ୍ତି ।କିନ୍ତୁ ମାଲ ପରିବହନ ଯେପରୁ ପୂର୍ବରୁ ରହିଛି ସେପରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।ହାଟ , ବଜାର ,ଯାତ୍ରା ଓ ମେଲନରେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ କଡାକଡି କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ନୀଳମାଧବ ଶତପଥି , ଡାକ୍ତର ଏସ.ଦାସ , ଡାକ୍ତର ଅରୁଣ କୁମାର ପାଢୀ ,ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ,ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର , କୋରାପୁଟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ହିମାଂଶୁ ଶତପଥି , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।