କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ) ବୈପାରିଗୁଡା ବ୍ଲକ ଚେରେକା ପଂଡାୟତର କାଙ୍ଗୁଗୁଡା,ଅଟଳଗୁଡା ଓ ଝାଲିଆଗୁଡା ଗ୍ରାମବାସୀମାନେ ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ା ବୈପାରିଗୁଡା ବ୍ଲକ ସଦର ମହକୁମା ଠାରୁ ସିନ୍ଧିଗାଁକୁ ପକ୍କା ରାସ୍ତା ଥିବାବେଳେ ସିନ୍ଧିଗାଁ ଠାରୁ ଝାଲିଆଗୁଡାକୁ ଆଜି ଯାଏଁ ରାସ୍ତା କିମ୍ବା ବାଟରେ ପଡୁଥିବା ପାରିଆଝୋଡି ନାଳରେ ପୋଲଟିଏ ହୋଇ ପାରି ନାହିଁ । ନିର୍ବାଚନ ସମୟରେ ସବୁ ଦଳର ନେତା ସମସ୍ୟାର ସମାଧାନ ନିମନ୍ତେ କେବଳ ପ୍ରତିଶୃତି ଦେଇ ଥାଆନ୍ତି ଓ ପରେ ଭୁଲି ଯାଉଛନ୍ତି । ପକ୍କା ରାସ୍ତା ନଥିବା ହେତୁ ୩ ଖଣ୍ଡ ଗ୍ରାମର ଲୋକେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏପରିକି ବର୍ଷାରୁତୁରେ ତିନୋଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡୁଥିବାରୁ ସେହି ସମୟରେ ଲୋକେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଂଚିତ ରହୁଛନ୍ତି । ନାଳରେ ପ୍ରବଳ ବର୍ଷାଜଳ ଭରି ରହିବାରୁ ସେହି ସମୟରେ ଶିକ୍ଷକ ଓ ଅଙ୍ଗନୱାଡି କର୍ମି ଗାଁକୁ ଯିବା କଷ୍ଟସାଧ୍ୟ ହୋଇ ପଡୁଛି । ତେଣୁ ଛାତ୍ରଛାତ୍ରୀ ପାଠ ପଢାରୁ ବଂଚିତ ହେଉଥିବାବେଳେ ଶିଶୁ,ଗର୍ଭବତୀ ଓ ପ୍ରସୂତୀ ମାନେ ମଧ୍ୟ ସରକାରୀ ଯୋଜନାର ସୁଫଳ ପାଇ ପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଯଥାଶିଘ୍ର ରାସ୍ତା ଓ ପୋଲ ନିର୍ମାଣ ଦିଗରେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ସମାଜସେବୀ ଚନ୍ଦ୍ରଶେଖର ରଥ ଓ ନରେନ୍ଦ୍ର କାନ୍ଦିଲିଆଙ୍କ ନେତୃତ୍ୟରେ ବନସିଂହ ମାଝି,ଲକିନାଥ ମାଝି,ଶ୍ରୀରାମ ଗୌଡ,ମଦନ ଗୌଡ,ରୁକମଣି କାଉଡିଆ, ଦହନା କାଉଡିଆ,ଶଶି ଗୁମିଆ,ଭବଦେଇ ଗୁମିଆ,କୁସୁମା ଗୁମିଆଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଦାବିପତ୍ର ଗ୍ରହଣ କରିଥିଲେ ।