Odiapua.com

‘ଚନ୍ଦ୍ରଭାଗା’ ଆନୁକୂଲ୍ୟରେ ପୁସ୍ତକ ଲୋକାର୍ପଣ

ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): ସାରସ୍ୱତ ଅନୁଷ୍ଠାନ ‘ଚନ୍ଦ୍ରଭାଗା’ର ଅନ୍ୟତମ ଆକର୍ଷଣ ହେଉଛି ପୁସ୍ତକ। ବର୍ଷର ବିଭିନ୍ନ ସମୟରେ ‘ଚନ୍ଦ୍ରଭାଗା’ ଦ୍ୱାରା ବହୁ ସାରସ୍ୱତ ସାଧକଙ୍କର ପୁସ୍ତକ ଲୋକାର୍ପିତ ହୋଇଥାଏ। ସାରସ୍ୱତ ସାଧକ ଲେଖକ ପରମାନନ୍ଦ ତ୍ରିପାଠୀଙ୍କ ପୁସ୍ତକ ‘ଶେଷେ ସ୍ନାନକଲି ଧୋବଣି ତୁଠେ’ (ଉପନ୍ୟାସ), ‘ଚାରିଚକ୍ଷୁର ମିଳନ ପରେ’ (ଉପନ୍ୟାସିକା), ‘ଅନୁଢ଼ା ମାଆକୁ ଅଜନ୍ମା କନ୍ୟାର ଚିଠି’ (ଉପନ୍ୟାସିକା), ‘ମନର ଭୂତ’ (ଉପନ୍ୟାସିକା) ଏବଂ ‘ଅହି ସୁଲକ୍ଷଣୀ’ (ଆଲୋଚନା) ପୁସ୍ତକସମୂହକୁ ରାଜ୍ୟର ଭାଷାସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉନ୍ମୋଚନ କରିଥିବାବେଳେ କବୟିତ୍ରୀ ଶୁଭାସିନି ଜୀ’ଙ୍କ କବି କବିତା ସଙ୍କଳନ ‘ଶାଣିତ ସ୍ୱର’କୁ ଯଶସ୍ୱୀ କବି ଓ କଥାକାର ହରପ୍ରସାଦ ଦାସ ଉନ୍ମୋଚନ କରିଥିଲେ। ଏହି ଅବସରରେ ନୂତନ ପ୍ରତିଭାମାନଙ୍କର ସୃଷ୍ଟି ସର୍ବାଦୌ ସ୍ୱାଗତଯୋଗ୍ୟ ବୋଲି ଅତିଥିମାନେ ନିଜନିଜର ମତପ୍ରକାଶ କରିଥିଲେ। ପୁସ୍ତକଗୁଡ଼ିକର ପାଠକୀୟ ଆଦୃତି ବ୍ୟାସକବିଙ୍କ ଜନ୍ମମାଟିରେ ନିଶ୍ଚିତ ଭାବରେ ଗ୍ରହଣୀୟ ହେବ ବୋଲି ସୂଚନା ଦେଇଥିଲେ। ତେବେ ଯୁଲେଖକମାନଙ୍କ ଗୁଣାତ୍ମକ ଅଭିବୃଦ୍ଧି ଘଟିପାରିଲେ ଓଡ଼ିଆ ଭାଷା ସାହିତ୍ୟର ସାରସ୍ୱତ ଭଣ୍ଡାର ସମୃଦ୍ଧଶାଳୀ ହେବା ଅବଶ୍ୟମ୍ଭାବୀ ବୋଲି ଅତିଥିମାନେ ଆଶା ପ୍ରକଟ କରିଥିଲେ। ବିଶିଷ୍ଟ କବି ପ୍ରଭାକର ଶତପଥୀ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ. ହୁସେନ୍ ରବି ଗାନ୍ଧୀ ନିଜେ ନିଜର ବକ୍ତବ୍ୟରେ ବାଲେଶ୍ୱର ପରି ସାରସ୍ୱତ ସାଧନାର ପୀଠସ୍ଥଳକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଗବେଷକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଡ. ହରିଶ୍ଚନ୍ଦ୍ର ବେହେରା ପୌରୋହିତ୍ୟ କରିଥିଲେ। ସଭା ସଞ୍ଚାଳନରେ କବି ଶ୍ରୀଦେବ, ଆଡ଼ଭୋକେଟ୍ ପର୍ଶୁରାମ ପ୍ରଧାନ, ଅଧ୍ୟାପକ ଆର୍ଯ୍ୟବ୍ରତ ଦାସ, ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।