Odiapua.com

ଗ୍ରାଉଣ୍ଡ ଜିରୋରୁ ବିଜେପୁର ଉପନିର୍ବାଚନ: ଚିତ୍ର ଅସ୍ପଷ୍ଟ। ଆତ୍ମ ସମର୍ପଣ କରିଛି କଂଗ୍ରେସ !

ଭୁବନେଶ୍ୱର ୨୨-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆଜି ପ୍ରଚାରର ଶେଷ ଦିନ। ରାଜନୈତିକ ଚଳଚଂଚଳ ଆଶାତୀତ ଭାବରେ ବୃଦ୍ଧି ପାଇଛି ବିଜେପୁରରେ। କେବଳ ଓଡିଶା କାହିଁକି ସାରା ଦେଶରେ ଏବେ ରାଜନୈତିକ କେନ୍ଦ୍ରବିନ୍ଦୁ ସାଜିଛି ବିଜେପୁର। କଣ ହେବ ଫଳାଫଳ ? ଆସନ୍ତା ୨୪ ତାରିଖ ଦିନ ଭୋଟ। ୨୮ ତାରିଖ ଦିନ ଗଣତି। ମାତ୍ର ଆଜି ପର୍ଯ୍ୟନ୍ତ ଚିତ୍ର ଅସ୍ପଷ୍ଟ। କୌଣସି ରାଜନୈତିକ ଦଳ ନିଜ ଭିତରେ ଦୃଢ ବିଶ୍ୱାସ ରଖି ପାରୁ ନାହିଁ ଯେ, ଏହି ଉପ ନିର୍ବାଚନରେ ସେ ବିଜୟୀ ହେବ। ଆଶା ଓ ଆଶଙ୍କା ଭିତରେ ସବୁ ରାଜନୈତିକ ଦଳର ବଡ ପଣ୍ଡାମାନେ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁର ଛାଡିବେ। ସମସ୍ତଙ୍କର ଭବିଷ୍ୟତ ନିର୍ଭର କରୁଛି ବିଜେପୁରବାସୀଙ୍କ ମତଦାନ ଉପରେ।

ବିଜେପୁର ବିଧାନସଭାରେ ଥିବା ତିନୋଟି ବ୍ଲକରୁ ବିଜେପୁର ବ୍ଲକରେ ବିଜେଡିର ପଲା ଭାରି ଅଛି। ବରପାଲି ବ୍ଲକ ଓ ଏନ୍ଏସିରେରେ ବିଜେପି ମଜଭୁତ ସ୍ଥିତିରେ ଅଛି। ମାତ୍ର ଗାଇସିଲଟ୍ ବ୍ଲକରେ ଖେଳ ଓଲଟା ହୋଇଛି। ପୂର୍ବରୁ ଅନୁମାନ ଥିଲା ଯେ, ଏହି ବ୍ଲକ ହେଉଛି କଂଗ୍ରେସ ପ୍ରାର୍ଥô ପ୍ରଣୟ ସାହୁଙ୍କ ଘର। ତେଣୁ ଏଠାରେ କଂଗ୍ରେସ ନିର୍ଣ୍ଣାୟକ ମୋଡରେ ରହିବ। ମାତ୍ର ସେଠାକାର ସ୍ଥିତି ଯାହା ଦେଖିବାକୁ ମିଳିଲା, ସେଠାରେ ମଧ୍ୟ କଂଗ୍ରେସ ତୃତୀୟ ସ୍ଥାନରେ ରହିବ। ନିର୍ବାଚନରେ ଫଳାଫଳ ଯାହା ହେଉନା କାହିଁକି, ମାତ୍ର ସାରା ନିର୍ବାଚନ ମଣ୍ଡଳୀରେ ଗୋଟିଏ ସ୍ପଷ୍ଟ ଚିତ୍ର ଉପଲବ୍ଧି ହେଲା ଯେ, କଂଗ୍ରେସର ଗଡ ଥିବା ବିଜେପୁର ବିଧାନସଭା ସତେ ଯେପରି କଂଗ୍ରେସ ବିହୀନ ହୋଇ ଯାଇଛି। ଚାରି ଆଡେ ବିଜେଡି ଓ ବିଜେପିର ଦବ୍ଦବା। କଂଗ୍ରେସ ଯେପରି ଶୋଇ ପଡିଛି। ବିଜେଡି ଓ ବିଜେପିର ପୋଷ୍ଟର ବ୍ୟାନରରେ ସାରା ନିର୍ବାଚନମଣ୍ଡଳୀ ଛାଇ ହୋଇ ପଡିଛି। ମାତ୍ର କଂଗ୍ରେସର କାଁଭାଁ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଥିଲା। କଂଗ୍ରେସ ନିଶ୍ଚିତ ଭାବରେ କାହା ସହିତ ସଲାସୁତୁରା କରିଛି। ସେ ବିଜେଡି ହେଉ ବା ବିଜେପି। ସୁବଳ ସାହୁଙ୍କ ପରିବାର କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଯେଉଁ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଅଛନ୍ତି ସେହିମାନେ ହିଁ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁରର। ଏମାନଙ୍କ ସଂଖ୍ୟା ୧୫ ରୁ ୨୦ ହଜାର ଭିତରେ ହେବ। ପ୍ରଥମରୁ ଆଶା କରାଯାଉଥିଲା ଏଠାରେ ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେବ। ମାତ୍ର ଏବେ ଏଠାରେ ବିଜେଡି ଓ ବିଜେପି ଭିତରେ ଲୈଢଇ ହେବ ଓ ଏହି ଦୁଇ ଦଳ ମଧ୍ୟରୁ କିଏ ଜଣେ ବିଜେପୁର ଆସନ ହାତେଇବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରରେ ଯିବା ପୂର୍ବରୁ ବ୍ୟାକ୍ଫୁଟ୍ରେ ଥିଲା ବିଜେଡି। ମାତ୍ର ନବୀନଙ୍କ ପ୍ରଚାର ପରେ ବେଶୀ ଉତ୍ସାହିତ ହୋଇ ପଡିଛି ବିଜେଡି ଶିବିର। କାରଣ ବିଜେପୁରରେ ଶାସକ ବିଜେଡିର ୭୦ରୁ ଉର୍ଦ୍ଧ୍ୱ ବିଧାୟକ, ମନ୍ତ୍ରୀ ସେମାନଙ୍କ ଚେଲା ଚାମୁଣ୍ଡା ଧରି ସେଠାରେ ଡେରା ପକାଇ ଥିଲେ। ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରି ନିଜ ଇଛା ମୁତାବକ ନିର୍ବାଚନ ଦାୟିତ୍ୱ ସଂପନ୍ନ କରୁଥିଲେ। ଯାହା ଏହି ସ୍ଥାନୀୟ ନେତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ବିଶେଷ କରି ବରପାଲି ବ୍ଲକ ଓ ଏନଏସିରେ ବିଜେଡି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିଲା। କାରଣ ବିଜେପି ପ୍ରାର୍ଥô ଅଶୋକ ପାଣିଗ୍ରାହୀଙ୍କ ଘର ହେଉଛି ବରପାଲିରେ। ତେଣୁ ବିଜେଡି ସଭାପତି ନବୀନଙ୍କ ନିର୍ବାଚନୀ ପ୍ରଚାର ବରପାଲିରୁ ଆରମ୍ଭ କରିବା ପାଇଁ ଦଳ ସ୍ଥିର କରିଥିଲା। ମାତ୍ର ଏହି ଷ୍ଟ୍ରାଟେଜିରେ ଦଳ ଫେଲ୍ ମାରିଥିଲା। ନବୀନଙ୍କ ବରପାଲି ସଭାରେ ଜନତାଙ୍କ ସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ତା ସହିତ ୨୦ ତାରିଖ ସନ୍ଧ୍ୟାରେ ରୋଡ୍ ଶୋ”ରେ ନବୀନଙ୍କ ଉପରକୁ ଜୋତା ଫିଙ୍ଗିବା ଘଟଣା ଦଳକୁ ବେଶୀ ବିବ୍ରତ କରିଥିଲା। ସାରା ରାଜ୍ୟକୁ ଗୋଟିଏ ବାର୍ତ୍ତା ଗଲା ଯେ, ନବୀନଙ୍କ ଲୋକପ୍ରିୟତା ଆଉ ନାହିଁ। ମାତ୍ର ତା ପରଦିନ ଗାଇସିଲଟ୍ ଓ ବିଜେପୁରରେ ନବୀନଙ୍କ ସଭାରେ ପ୍ରବଳ ଜନଗହଳି ହୋଇଥିଲା। ପରିସ୍ଥିତିରେ ସୁଧାର ଆସି ଯାଇଥିଲା।

ବିଜେଡି କଣ ଭୋଟ ପାଇବ ନ ପାଇବ ତାହା ପରକଥା। ମାତ୍ର ସେଠରେ ଡେରା ପକାଇ ଥିବା ବିଧାୟକ ଓ ମନ୍ତ୍ରୀଙ୍କ ଉପରେ ସ୍ଥାନୀୟ ବିଜେପୁରବାସୀ ଅତ୍ୟନ୍ତ କ୍ଷୁବ୍ଧ। କାରଣ ସେମାନେ ସାଥିରେ ଧରି ଯାଇଥିବା ଚେଲା ଚାମୁଣ୍ଡାଙ୍କ ଆଚରଣ ସେମାନଙ୍କୁ ଗ୍ରହଣୀୟ ହେଉ ନାହିଁ। ବିଜେପୁରବାସୀଙ୍କ ଧାରଣା ଏମାନେ ଏଠାକୁ ନିର୍ବାଚନ ପ୍ରଚାରରେ ଆସି ନାହାଁନ୍ତି ବରଂ ପିକ୍ନିକ୍ କରିବାକୁ ଆସିଛନ୍ତି। ଅପରପକ୍ଷରେ ବିଜେପି ମଧ୍ୟ ମଇଦାନରେ ଭଲ ଟକ୍କର ଦେଉଛି ବିଜେଡିକୁ। ଗତ ପଂଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲା ବରଗଡ ଜିଲ୍ଲାରେ। ଝାଡଖଣ୍ଡ ଓ ଚତିଶଗଡରୁ ଆସି ବିଜେପି ପ୍ରଚାରରେ ସାମିଲ ହୋଇଥିବା ଆରଏସଏସ୍ କର୍ମୀଙ୍କ ଆଚାର, ବ୍ୟବହାର ବିଜେପୁର ଭୋଟରଙ୍କୁ କେତେକାଂଶରେ ପ୍ରଭାବିତ କରୁଛି। ତା ଛଡା ଦଳ ମଧ୍ୟ ନବୀନଙ୍କୁ ଟକ୍କର ଦେବା ପାଇଁ ଅନେକ ଷ୍ଟାର ପ୍ରଚାରକଙ୍କୁ ଆଣି ପ୍ରଚାରରେ ସାମିଲ କରିଛି। ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ ସେଠାରେ ଡେରା ପକାଇଛନ୍ତି। ମାତ୍ର ସେଠାରେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଦେଖିବାକୁ ମିଳିଥିଲା କଂଗ୍ରେସର ପ୍ରଚାର ଶୈଳୀକୁ ଦେଖି। କୌଣସି ବଡ ସଭା ନାହିଁ। ମାତ୍ର ସବୁ ବଡ ପଣ୍ଡାଙ୍କ ଉପସ୍ଥିତି ଏଠାରେ ଉପଲବ୍ଧ। ଏମାନଙ୍କ କାମ ହେଉଛି ବଡ ବଡ ଗାଡିରେ ବୁଲିବା। କାଁଭାଁ କଂଗ୍ରେସ ପାଇଁ ମିଟିଙ୍ଗ କରିବା। ସନ୍ଧ୍ୟା ହେଲେ ଖାଇ ପିଇ ହୋଟେଲ୍ରେ ଯାଇ ଶୋଇବା। ସାରା ବିଜେପୁରବାସୀ ଏହି ବଡ ବଡ କଂଗ୍ରେସ ନେତାଙ୍କ ଗତିବିଧିକୁ ନଜର ରଖୁଛନ୍ତି। ସ୍ପଷ୍ଟ ଭାବରେ କହୁଛନ୍ତି, କଂଗ୍ରେସ ବିକ୍ରି ହୋଇ ଯାଇଛି।

ତେଣୁ ଏକ ଅସ୍ପଷ୍ଟ ଚିତ୍ର ମଧ୍ୟରେ ଆଜି ସରୁଛି ବହୁଚର୍ଚ୍ଚିତ ବିଜେପୁର ଉପ ନିର୍ବାଚନର ପ୍ରଚାର। ଆଉ ଦୁଇ ଦିନ ଭିତରେ ବିଜେପୁରବାସୀ ତାଙ୍କ ମନ ସ୍ଥିର କରିବେ। କାହାକୁ ଦେବେ ଭୋଟ। ମାତ୍ର ଗୋଟାଏ କଥା ସ୍ପଷ୍ଟ ଯାହା ବି ଫଳଫଳ ହେବ ତାର ବ୍ୟବଧାନ ବହୁତ କମ୍ ରହିବ ଏଥିରେ ସନ୍ଦେହ ନାହିଁ।