Odiapua.com

ଗିର୍ଲିଗୁମ୍ମା ପଂଚାୟତର ୫ ଟି ଗ୍ରାମର ଗ୍ରାମବାସୀଙ୍କ ଚେତାବନୀ- ନିର୍ବାଚନପୂର୍ବରୁ ରାସ୍ତାକାମ ଆରମ୍ଭ କର ନଚେତ ଗ୍ରାମବାସୀ ଭୋଟ ବର୍ଜନ କରିବେ

କୋରାପୁଟ ; ତା୦୧-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଂଚାୟତର ମରିଚଗୁଡା,ଫୁଣ୍ଡାଗୁଡା ,ଡେଙ୍ଗାଗୁଡା ,କାଳିଆମ୍ବ ଓ ଭଣ୍ଡିଶିଲ ଗ୍ରାମର ଗ୍ରାମବାସୀମାନେ ନିର୍ବାଚନ ପୂର୍ବରୁ ମରିଚଗୁଡାଠାରୁ ଭଣ୍ଡଶିଲ ପର୍ଯ୍ୟନ୍ତ ପ୍ରାଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତାକାମ ଆରମ୍ଭ କରିବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ନିକଟରେ ଦାବି ଜଣେଇଥିଲେ ।ଯଦି ନିର୍ବାଚନ ପୂର୍ବରୁ ରାସ୍ତାକାମ ଆରମ୍ଭ ନ ହୁଏ ତେବେ ଆସନ୍ତା ନିର୍ବାଚନରେ ୫ ଟି ଗ୍ରାମର ଗ୍ରାମବାସୀମାନେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଦାସ ମାଣ୍ଡିଙ୍ଗି ,ନବିନ ମାଣ୍ଡିଙ୍ଗୀ , ଶଙ୍କର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଗ୍ରାମବାସୀ ଜିଲ୍ଲାପ୍ରଶାସନଙ୍କୁ ଚେତାବନୀ ଦେଇଥିଲେ ।ରାସ୍ତା ନ ଥିବା ବେଳେ ନଦୀରେ ପାର ହୋଇ ଦଶମନ୍ତପୁର ଓ ଗିର୍ଲିଗୁମା ଯିବା କଷ୍ଟକର ହେଉଥିବା ଡେଙ୍ଗାଗୁଡାର ଦାସ ମାଣ୍ଡିଙ୍ଗୀ ପ୍ରକାଶ କରିଥିଲେ ।ନଦୀରେ ଗ୍ରାମବାସୀମାନେ ନିଜସ୍ୱ ଚେଷ୍ଟାରେ ଏକ କାଠପୋଲ ନିର୍ମାଣ କରି ଯିବା ଆସିବା କରୁଥିଲେ କିନ୍ତୁ ନଦୀରେ ପାଣି ଆସି ଉକ୍ତ କାଠପୋଲ ଭସେଇ ନେଇଯାଇଥିବାର ଗର୍ଭବତୀ ମହିଳାମାନେ ଡାକ୍ତରଖାନା ଯିବା ପାଇଁ ଅନେକ କଷ୍ଟ ହେଉଥିବା ବେଳେ କେତେ ଗର୍ଭବତୀ ନଦୀପାର ହେଉଥିବା ବେଳେ ପ୍ରସବ କରିଥିବା ସେ ସୂଚନା ଦେଇଥିଲେ ।ଲକ୍ଷ୍ମିପୁର ବିଧାୟକ କୈଳାସ କୁଲସିକା ଓ ଜିଲ୍ଲା ପ୍ରଶାସନଙ୍କୁ ଅନେକବାର ଦାବି ଜଣେଇଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ଦାବି ପତ୍ର ଦେଲୁ ଓ ଜିଲ୍ଲାପାଳ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ ।ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର ରାସ୍ତା କାମଠାରୁ ଆରମ୍ଭ କରି ରହିଥିବା ଅନେକ ସମସ୍୍ୟାକୁ ନେଇ ଅନେକବାର ବିଧାନସଭାରେ ଉପସ୍ଥାପନା କରିଛି ବୋଲି ଲକ୍ଷ୍ମିପୁର ବିଧାୟକ କୈଳାସ କୁଲସିକା ପ୍ରକାଶ କରିଥିଲେ ।ଫୁଣ୍ଡାଗୁଡାଠାରେ ପୋଲ ନିର୍ମାଣ ନିମନ୍ତେ ଅଟକଲ ହୋଇସାରିଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଗ୍ରାମବାସୀମାନଙ୍କୁ କହିଥିଲେ ବୋଲି ବିଧାୟକ ଶ୍ରୀ କୁଲସିକା ପ୍ରକାଶ କରିଥିଲେ ।ଟେଣ୍ଡର ପ୍ରକ୍ରୀୟା ସରିବା ପରେ କାମ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଥିଲେ ।ରାସ୍ତାକାମ ନ କରି ବିଜେଡି ସରକାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କେବଳ କଲ୍ୟାଣ ମଣ୍ଡପ କଲେ କଣ ରାଜ୍ୟର ତଥା ଜିଲ୍ଲାର ବିକାଶ ହେବ କି ! ବୋଲି ସେ କଟାକ୍ଷ କରିଥିଲେ ।