Odiapua.com

କୋରାପୁଟ ସହରରେ ଜଣ୍ଡିସ ରୋଗର ଆତଙ୍କ !

କୋରାପୁଟ ୧୬-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ଦିନକୁ ଦିନ ଜଣ୍ଡିସ ରୋଗ ବ୍ୟାପିଥିବାରୁ ଲୋକମାନେ ଆତଙ୍କିତ ହୋଇ ପଡିଥିବା ଜଣାପଡିଛି। ଇତି ମଧ୍ୟରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ପ୍ରାୟ ୩୦ ଜଣ ଲୋକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ପଢୁଥିବା ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି। ଫାଷ୍ଟଫୁଡ ଏହାର ମୁଖ୍ୟ କାରଣ ହୋଇଥିବା କୁହାଯାଉଥିବା ବେଳେ ସହରରେ ଛତୁ ଫୁଟିଲା ଭଳି ଫାଷ୍ଟଫୁଡ ଖୋଲିବାରେ ଲାଗିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚୁପ ବସିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ରୋଗୀମାନେ ଡାକ୍ତରମାନେ ଲେଖିଥିବା ମେଡିସିନ ଖାଉଥିବା ବେଳେ ଦେଶୀ ମେଡିସିନ ମଧ୍ୟ ଖାଉଥିବା ଜଣାପଡିଛି। ପୂଜାରୀ ପୁଟ ଅଂଚଳରେ ସର୍ବାଧିକ ଜଣ୍ଡିସ ରୋଗୀ ଥିବା ଜଣାପଡିଛି। ଏ ସଂପର୍କରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀଙ୍କୁ ପଚାରିବାରେ ସେ ଜାଣି ନ ଥିବା ପ୍ରକାଶ କରିବା ସହ କୋରାପୁଟ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଜଣାଇ ନ ଥିବା ପ୍ରକାଶ କରିଥିଲେ। କର୍ତ୍ତୃପକ୍ଷ ଜଣାଇଲେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେହି ଅଂଚଳକୁ ଗସ୍ତ କରି ତଦାରଖ କରିବେ ବୋଲି ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟକର ପରିବେଶରେ ଫାଷ୍ଟଫୁଡ ଦୋକାନ ରହିଛି କି ନାହିଁ ତାହା ତଦାରଖ କରିବାକୁ ସାଧାରଣରେ ଦାବି ହେଉଛି।