କୋରାପୁଟ ୪-୧୨(ଓଡିଆ ପୁଅ /ରଂଜନ ଦାସ) କୁପନ ସ୍କ୍ରାଚ ମାଧ୍ୟମରେ ଖମ୍ବେଶ୍ୱରୀ ହୋମ ଆପ୍ଲିଆନସ ନାରେ ସାମଗ୍ରୀ ଦେବାକୁ କହି ଲୋକଙ୍କୁ ଠକିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୋରାପୁଟ ଟାଉନଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ ପଟ୍ଟନାୟକ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ଭଦ୍ରକ ଜିଲ୍ଲା ତିହିଡିର ନିଗମାନନ୍ଦ କର ଓ ଦୀନବନ୍ଧୁ ପରିହାରୀ ବୋଲି ସେ ସୂଚନା ଦେଇଛନ୍ତି । ଗତମାସ ୨୮ରେ ନିଗମାନନ୍ଦ ଓ ଦୀନବନ୍ଧୁ କୋରାପୁଟ ଜୁଡିସିଆଲ କଲୋନୀରେ ରହୁଥିବା ବିଜୟ କୁମାର ରାଉତ ଏବଂ କୃତିବାସ ଓଝାଙ୍କ ଘରକୁ ଯାଇ ମା ଖମ୍ବେଶ୍ୱରୀ ହୋମ ଆପ୍ଲିଆନସ ନାରେ ଥିବା ଏକ କାର୍ଡ ଦେଖାଇ କୁପନ ସ୍କ୍ରାଚ ମାଧ୍ୟମରେ ଜିନିଷ ଦେବାକୁ କହିଥିଲେ । କୁପନ ସ୍କ୍ରାଚ କରିବା ପରେ ବିଜୟ ରାଉତ ଏବଂ କୃତିବାସ ଓଝାଙ୍କର ଗ୍ରାଇଣ୍ଡର ଏବଂ ଇଣ୍ଡକସନ କୁକୋର ବାହାରିବାରୁ ସେମାନେ ୧୪ ହଜାର ୫୦୦ ଟଙ୍କା ଉକ୍ତ ଯୁବକ ମାନଙ୍କୁ ଗୁଗୁଲ ପେ କରିଥିଲେ । ଟଙ୍କା ନେଇକି ଚାଲି ଯିବା ପରେ ସେମାନଙ୍କ ଫୋନ ସୁଇଚ ଅପ ଦେଖାଇବା ପରେ ବିଜୟ ରାଉତ ଓ କୃତିବାସ ଓଝା ଗତକାଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଆଇପିସି ୪୨୦ ଓ ୩୪ ରେ ଏକ ମାମଲା(କେସ ନଂ-୨୯୭/୨୦୨୧) କରି ସେମାନଙ୍କ ମୋବାଇଲ ଫୋନ ନମ୍ବର ଟ୍ରାକିଂ କରି ଦୁଇଜଣ ଠକକୁ ଗିରଫ କରିଥିବା ଶ୍ରୀ ପଟନାୟକ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୧୦ ହଜାର ଟଙ୍କା,୨ଟି ମୋବାଇଲ ଫୋନ ,ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜ ଜବତ କରିଛି । ସେମିଲିଗୁଡା ସହରର ତଳ ସାହି ମାଛ ବଜାର ନିକଟ ଭଡା ଘରେ ରହି କୋରାପୁଟ ଆସି ଲୋକମାନଙ୍କୁ ୨ ଯୁବକ ଠକୁଥିଲେ ।ତୁରନ୍ତ ଗିରଫ କରାଯାଇଥିବାରୁ ଅନେକ ବ୍ୟକ୍ତି ଠକାମୀରୁ ବଂଚିତ ହୋଇଯାଇଥିବା ଶ୍ରୀ ପଟନାୟକ ପ୍ରକାଶ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆଇଆଇସି ଶଙ୍କର ପ୍ରସାଦ ମାଝି ଉପସ୍ଥିତ ଥିଲେ ।
କୋରାପୁଟ ଟାଉନ ପୋଲିସ ଲୋକଙ୍କୁ ଠକିବା ଅଭିଯୋଗରେ ୨ ଯୁବକଙ୍କୁ ଗିରଫ କଲା
