କୋରାପୁଟ ୧୫-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୫ଜଣ ମହିଳାଙ୍କ ସମେତ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ଖାଲ ସାହି,ଆଦର୍ଶର୍ ନଗର,ଇନ୍ଦିରା ଛକ,ସୁନାରୀ ସାହି ଓ ଲିଙ୍ଗରାଜ ନଗରରୁ ଜଣେ ଲେଖାଏଁ ଚିହଟ୍ନ ହୋଇଥିବା ବେଳେ କୋରାପୁଟ ପୌରାଂଚଳରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।ସୁନାବେଡା ପୌରାଂଚଳରୁ ହାଲ ଟାଉନସିପରୁ ଜଣେ ଏବଂ କୋଟପାଡ ଏନଏସି ବଣ୍ଡାଗୁଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜୟପୁର ବ୍ଲକ ବଡମୁଂଜୁରୁଗୁଡା ଓ କୁମୁଲିପୁଟରୁ ଜଣେ ଲେଖାଏଁ ,କୋଟପାଡ ବ୍ଲକ ଆସନା ଗ୍ରାମରୁ ୧,ନନ୍ଦପୁର ବ୍ଲକ ଖଡାପୁଟରୁ ୧ ଏବଂ ପଟ୍ଟାଙ୍ଗୀ ବ୍ଲକ୍ ଦଳେଇସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୧ଲକ୍ଷ ୯୦ ହଜାର ୪୭୩ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦିଆଯାଇଛି ।