Odiapua.com

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ମହାରାଷ୍ଟ୍ର ୱାର୍ଦ୍ଧାର ମହାତ୍ମା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ୫୬ ସଦସ୍ୟଙ୍କ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗସ୍ତ

କୋରାପୁଟ ୪/୨ (ଓଡ଼ିଆ ପୁଅ) ଫେବୃଆରୀ ୪ରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଭାରତ ଶ୍ରେଷ୍ଠ ଭାରତ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦେଶର ବିଭିନ୍ନ ରାଜ୍ୟର ବିବିଧ ସଂସ୍କୃତିର ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ପାରସ୍ପରିକ ଭାବବିନିମୟକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଦିବସ ପାଳନ ଲାଗି ମହାରାଷ୍ଟ୍ର ୱାର୍ଦ୍ଧାସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ୫୬ଜଣ ସଦସ୍ୟ ଏକ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନ୍ତର୍ଗତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଁଚିଥିଲେ। ମଙ୍ଗଳବାର ଏହି ୫ ଦିନିଆ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ୱାର୍ଦ୍ଧା ଏମଜିଏଏଚଭିରୁ ଆସିଥିବା ଛାତ୍ରଛାତ୍ରୀ, ଅଧ୍ୟାପକମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅସିସ୍ତ କୁମାର ଦାସ, ୱାର୍ଦ୍ଧା ଏମଜିଏଏଚଭିର ଏକ ଭାରତ ଶ୍ରେଷ୍ଠ ଭାରତ ନୋଡାଲ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅତିଥି ପ୍ରାଧ୍ୟାପକ ପ୍ରଫେସର ହେମରାଜ ମୀନା, ଏକ ଭାରତ ଶ୍ରେଷ୍ଠ ଭାରତ ନୋଡାଲ ଅଧିକାରୀ ଡ. ସୌରଭ ଗୁପ୍ତା ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ କୁଳପତି ଭାରତର ଅଭିନବ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ବିବିଧତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ। ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଫଳରେ ଓଡ଼ିଶା ଓ ମହାରାଷ୍ଟ୍ର ଭଳି ଦୁଇଟି ରାଜ୍ୟ ମଧ୍ୟରେ ସଂସ୍କୃତି, ବିଚାର ଓ ପରମ୍ପରା ବିନିମୟ ଲାଗି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଡ଼ାଲ କହିଥିଲେ ଯେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟରେ ପ୍ରତିଷ୍ଠା ହେବା ଫଳରେ ଏହା ସ୍ଥାନୀୟ ଅଂଚଳରେ ଶିକ୍ଷାର ବିକାଶ ହୋଇପାରିବ।

ପ୍ରଫେସର ମୀନା ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ମହାପୁରୁଷମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଫେସର ତ୍ରିପାଠୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ଆମେ କେବଳ ଗୋଟିଏ ରାଜ୍ୟର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବା ଯଥେଷ୍ଟ ନୁହେଁ ଏହାକୁ ନିଜ ଜୀବନରେ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଆମ ଦେଶ ଏକ ଏବଂ ଆମର ସଂସ୍କୃତି ମଧ୍ୟ ଏକ ବୋଲି ସେ କହିଥିଲେ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ଦାସ ଓଡ଼ିଶା ଏବଂ ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ। ଡ. ଗୁପ୍ତା ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀକୁ ନେଇ ପରିବେଷିତ କାର୍ଯ୍ୟକ୍ରମକୁ ୱାର୍ଦ୍ଧା ଏମଜିଏଏଚଭିର ସଦସ୍ୟମାନେ ଦେଖିଥିଲେ। ଏଥିରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା, ବନସ୍ତେ ଡାକିଲା ଗଜ ସଂଗୀତ ସହିତ ଓଡ଼ିଶା ପ୍ରସିଦ୍ଧ ରଜପର୍ବ, ଦଣ୍ଡ ନାଚ, ତଅପୋଇ, ସାବିତ୍ରୀ ବ୍ରତ ଆଦି ଉପରେ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୋଡାଲ ଅଧିକାରୀ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଭାରତ ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ସାଂସ୍କୃତିକ ବିବିଧତା ମଧ୍ୟରେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ଦିଗରେ ସହାୟକ ହେବ। ସେ ତାଙ୍କ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଦଳ ସହିତ ଓଡ଼ିଶା ଆସିଥିବାରୁ ଗର୍ବିତ ବୋଲି କହିଥିଲେ।

ଶେଷରେ ଡ. ଶ୍ରୀନିବାସ ବି. କୋଟନାକ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ୫ ଦିନିଆ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରେ ଓଡ଼ିଶା ଭାଷା ଓ ସାହିତ୍ୟକୁ ନେଇ କର୍ମଶାଳା, କ୍ୟାମ୍ପସ ପରିଦର୍ଶନ, କୋରାପୁଟର ଜୈବବିବିଧତା ଉପରେ ଅଧିବେଶନ, ଓଡ଼ିଶାର ଗଣମାଧ୍ୟମ ଉପରେ ଆଲୋଚନା, ଚଳଚ୍ଚିତ୍ର ଓ ସ୍ଲାଇଡ ଶୋ କାର୍ଯ୍ୟକ୍ରମ, ଓଡ଼ିଶା ସମ୍ପର୍କରେ ବିଶିଷ୍ଟ ପ୍ରାଧ୍ୟାପକମାନଙ୍କୁ ନେଇ ଆଲୋଚନା ଚକ୍ର, ଖାଦ୍ୟ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯିବ।

ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକ ଛାତ୍ର ତଥା ଅଧ୍ୟାପକ ପ୍ରତିନିଧି ଦଳ ୱାର୍ଦ୍ଧାସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ଗସ୍ତରେ ଯାଇଥିଲେ। ୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତରେ ୪୮ ଜଣ ଛାତ୍ରଛାତ୍ରୀ, ୨ ଜଣ ଅଧ୍ୟାପକ ଓ ୩ ଜଣ କଳାକାର ଯୋଗ ଦେଇଥିଲେ।