Odiapua.com

କୋରାପୁଟରେ ପହଂଚିଲା ମାଟ୍ରିକ ପ୍ରଶ୍ନପତ୍ର

କୋରାପୁଟ ୧୫-୦୨-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତା ୨୨ ତାରିଖଦିନ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିଯାଇଛି।କୋରାପୁଟ ଜିଲ୍ଲାରେ ୬୬ ଟି ପରୀକ୍ଷା କେନ୍ଦ୍ରରେ ୧୪ ହଜାର ୭୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ପରୀକ୍ଷା ସୁପରିଚାଳନା ନିମନ୍ତେ ପରୀକ୍ଷା ନିୟନ୍ତ୍ରକମାନଙ୍କ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ତାଲିମ ପ୍ରଦାନ କରିଥିଲେ।କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶଚନ୍ଦ୍ର ସରକାରଙ୍କ ସମେତ ଜିଲ୍ଲାର ୬୬ ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ଅଧିକ୍ଷକ ଓ ଉପ-ଅଧିକ୍ଷକ ଏବଂ ବ୍ଲକ ଶିକ୍ଷା ଅଧିକାରୀମାନେ ତାଲିମ ନେଇଥିଲେ।କୋରାପୁଟ ଜିଲ୍ଲା ବିଜ୍ଞାନ ସୁପରଭାଇଚର ଶିବ ପଟନାୟକ ତାଲିମ ପରିଚାଳନା କରିଥିଲେ।

ନକ୍ସଲ ପ୍ରବଣ ଲମତାପୁଟ, ନାରାୟଣପାଟଣା ଓ ବନ୍ଧୁଗାଁ ପୋଲିସ ଥାନା ସମେତ ସୁଦାୟ ୮ ଟି ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି।ପରୀକ୍ଷା ତଦାରଖ ନିମନ୍ତେ ୩ ଟି ସ୍କାର୍ଡ ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ।ପରୀକ୍ଷା ଦିନ ହିଁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରମାନଙ୍କୁ କଡା ସୁରକ୍ଷା ମଧ୍ୟରେ ପଠାଯିବ ବୋଲି ସେ ପ୍ରକାଶ କରିଥିଲେ।ବୋର୍ଡ ନିର୍ଦ୍ଦେଶନୁଯାୟୀ ଜିଲ୍ଲାର ୩ ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଥିଲେ।