Odiapua.com

କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଉଦଘାଟିତ

କୋରାପୁଟ ; ତା୧୧-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଉଦଘାଟିତ ହୋଇଯାଇଛି ।ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା କୋରାପୁଟ କଫି ବ୍ରାଣ୍ଡର ଶୁଭାରମ୍ଭ କରାଯାଇଥିଲା ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ କଫି ଚାଷ କରି କୋରାପୁଟର ଚାଷୀମାନଙ୍କ ଯେତିକି ବିକ୍ରୀ କରୁଥିଲେ ସେତିକି ଖର୍ଚ୍ଚ ହୋଇଯାଉଥିଲା ଲାଭାଂଶ କିଛି ମିଳୁ ନ ଥିଲା ବୋଲି ପ୍ରକାଶ କରିଥିଲେ ।କୋରାପୁଟ କଫି ବ୍ରାଣ୍ଡ ଶୁଭାରମ୍ଭ ହେବାଦ୍ୱାରା ଏହା ରାଜ୍ୟ ,ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିବେ ବୋଲି ସୂଚନା ଦେଇଥିଲେ ।ସ୍ଥାନୀୟ ଚନ୍ଦନପୋଖରୀଠାରେ ଏକ ବିକ୍ରୟ କେନ୍ଦ୍ର ଖୋଲାଯାଇଛି କିନ୍ତୁ କୋରାପୁଟର କଫିର ପ୍ରଚାର ଓ ପ୍ରସାର ନିମନ୍ତେ ନାଲକୋ ଓ ହାଲଠାରେ ମଧ୍ୟ ବିକ୍ରୟ କେନ୍ଦ୍ର ଖୋଲିଲେ କୋରାପୁଟ କଫି ଜିଲ୍ଲାରେ ହିଁ ବିକ୍ରୀ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ କଫିର ପ୍ରଚାର ଓ ପ୍ରସାର ନିମନ୍ତେ ଯୋଜନା କମିଟିରୁ ୫ କୋଟି ଟଙ୍କା ଦିଆଯାଇଥିଲା ବୋଲି ପୂର୍ବତନ ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ ପ୍ରକାଶ କରିବା ସହ ଏହି ଅର୍ଥକୁ ଖର୍ଚ୍ଚ କରାଯାଇଛି କି ନାହିଁ ସେ ଜାଣନ୍ତି ନାହିଁ ବୋଲି ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରମୁଖ ଯୋଗଦେଇ କୋରାପୁଟ କଫି ବ୍ରାଣ୍ଡ କୋରାପୁଟ ଜିଲ୍ଲାରେ କାହିଁକି ସମଗ୍ର ବିଶ୍ୱରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶାବ୍ୟକ୍ତ କରିଥିଲେ ।ମୁଁ ଅନେକ ଚାଷ କରୁଥିଲି କିନ୍ତୁ କଫିଚାଷ କରି ନ ଥିଲି ବୋଲି ମୁଖ୍ୟ ଅତିଥି ଶ୍ରୀ ପଡାଲ ପ୍ରକାଶ କରିବା ସହ ଏଥର ସେ ନିଶ୍ଚିତ ଭାବେ କଫି ଚାଷ କରିବେ ବୋଲି ମତବ୍ୟକ୍ତ କରିଥିଲେ ।ରାଜ୍ୟ ସରକାରଙ୍କ ଉଦ୍ୟମରେ କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଖୋଲିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣେଇଥିଲେ ।କୋରାପୁଟ ହେଉଛି ପ୍ରକୃତିର ଗନ୍ତାଘର ଏଠାରେ କଫିଚାଷ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିବାରୁ ପରିବେଶ ସନ୍ତୁଳନ ହୋଇ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।କଫିମଞି ଆ୍ଦ୍ରପ୍ରଦେଶର ଦଲାଲମାନେ କ୍ରୟ କରିନେଇଥିବାରୁ ଚାଷୀମାନେ ବିଶେଷ ଲାଭ ପାଉନ ଥିଲେ ।କିନ୍ତୁ ଏବେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଚାଷୀମାନଙ୍କଠାରୁ କ୍ରୟ କରିବେ ଯଦ୍ୱରା ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।ଏହି ସଭାରେ ଜୟପୁର ବିଦାୟକ ତାରା ପ୍ରସାଦ ବାହିନିପତି ବିଳମ୍ବରେ ପହଂଚି ୟୁନିଟକୁ ପରିଦର୍ଶନ କରିଥିଲେ ।କାର୍ଯ୍ୟକ୍ରମକୁ କଫି ଉନ୍ନୟନ ଟ୍ରଷ୍ଟର ଏପିଡି ଦୟାନିଧି ବାଘ ପରିଚାଳନା କରିଥିବା ବେଳେ ଆଦିବାସୀ ଉନ୍ନୟନ ସମବାୟ ନିଗମ ସୁନାବେଡାର ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ , କୋରାପୁଟ ବନଖନ୍ଡ ଅଧିକାରୀ ରିଙ୍ଗୁ କୁମାରୀ ,କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟର ପିଡି ଭବାନୀ ଶଙ୍କର କାଲ , କୋରାପୁଟ ଉପଜିଲ୍ଲାପାଲ ଲଲିତ କୁମାର କହଁର , ଉଦ୍ୟାନ ବିଭାଗର ଉପନିଦେ୍ର୍ଦଶକ ଶଙ୍କର୍ଷଣ ରାଉତ , ଡିପିଏମୟୁର ଡିପିଡି ଲକ୍ଷ୍ମିଧର ବିଶ୍ୱାଲ , କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,କଫି ବୋର୍ଡର ଏସଏଲଓ ଅଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଓ ସୁନାବେଡାଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ନିମନ୍ତେ ଆଦିବାସୀ ଉନ୍ନୟନ ସମବାୟ ନିଗମ ତରଫରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ସୁନାବେଡାଠାରେ ୨୬ ଲକ୍ଷ ଟଙ୍କାରେ ମେସିନ ସ୍ଥାପନ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ମହାନ୍ତି ସୂଚନା ଦେବା ସହ କୋରାପୁଟଠାରେ ସମସ୍ତ ମେସିନ ସ୍ଥାପନ କରାଯାଇଛି ବୋଲି ପ୍ରକାଶ କରିଥିଲେ ।