Odiapua.com

କୋଡିଙ୍ଗାମାଳି ଖଣିରେ ପୁନଃନିଯୁକ୍ତି ନିମନ୍ତେ ଶ୍ରମିକମାନଙ୍କ ଧାରଣା ୨ୟ ଦିନରେ

କୋରାପୁଟ ୨୮-୧୨(ଓଡିଆ ପୁଅ /ରଂଜନ ଦାସ)କୋଡିଙ୍ଗାମାଳି ଖଣିରେ ମୈତ୍ରୀ ଇନଫ୍ରାଷ୍ଟକଚର ଓ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ୩୪ ଜଣ ଶ୍ରମିକଙ୍କୁ ବଦଳି କରାଯାଇଥିଲା ।ଅଗଣତାନ୍ତ୍ରିକ ବଦଳି ବିରୁଦ୍ଧରେ ସ୍ଥାନୀୟ ଶ୍ରମିକ ମାନେ କଂପାନୀ ପରିଚାଳନା କର୍ତୂପକ୍ଷ ଓ ଓଏମସି ସମ୍ମୁଖରେ ଦାବି ଉପସ୍ଥାପନା କରିବାପରେ ସ୍ଥାନୀୟ ଶ୍ରମିକମାନଙ୍କ କାର୍ଯ୍ୟ ବନ୍ଦ କରିଦେଇଥିଲେ ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଉକ୍ତ ଖଣିରେ ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ତୁରନ୍ତ ହସ୍ତକ୍ଷେପ କରି ଦାବି ସମାଧାନ କରିବାକୁ ସେ ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ବାଘ ,ଦେବଧର ବାଘ ,ନାହୁମ ଗରଡା ,ଭୂପତି ସାହୁ ,ଯୁଗାନ୍ତ ଗରଡା ,ଅନିଲ ଗରଡା , ଆନନ୍ଦ ତୁରୁକ ,ଶିଶିର ବାଘ ପ୍ରମୁଖ ଉପସ୍ଥିତ ଥିଲେ ।
ଗତ ଡିସେମ୍ବର ମାସ ୨୨ ତାରିଖ ଦିନ ୩୪ ଜଣ ଶ୍ରମିକଙ୍କୁ  ଜାମସେଦପୁରର  ୟୁରାନିୟମ ଖଣିକୁ ବଦଳି କରାଯାଇଥିବା ବିନା ଦସ୍ତଖତରେ ନୋଟିସ ବୋର୍ଡରେ ମରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ ।ଏହି ବଦଳି ପ୍ରତିବାଦରେ ଶ୍ରମିକମାନେ ମୈତ୍ରୀ କଂପାନୀ ପରିଚାଳନା କର୍ତୂପକ୍ଷ ଓ ଓଏମସି ନିକଟରେ ଦାବି ଉପସ୍ଥାପନା କରିବା ପରେ ସ୍ଥାନୀୟ ଶ୍ରମିକମାନଙ୍କ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା ବୋଲି  ଶ୍ରମିକ ଦେବଧର ବାଘ ପ୍ରକାଶ କରିଥିଲେ । ଶ୍ରମିକମାନେ ନ୍ୟାୟ ପାଇଁ ଗତ ୪ ତାରିଖ ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।ପୁନଃବାର ୧୮ ତାରିଖ ଦିନ କୋରାପୁଟ ଆସି ନ୍ୟାୟ ପାଇଁ ଦାବି ଜଣେଇବା ସହ ଧାରଣାରେ ବସିଥିଲେ ।୨୭ ତାରିଖ ଦିନ କର୍ତୂପକ୍ଷଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ ଜିଲ୍ଲା ପ୍ରଶାସନ ତରଫରୁ କୁହାଯିବା ପରେ ଶ୍ରମିକମାନେ ଧାରଣାରୁ ଓହରିଯାଇଥିଲେ ।୨୭ ତାରିଖ ଦିନ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଦାବି ସମାଧାନ ନିମନ୍ତେ ଓମଏସି ଅଧିକାରୀ ହେମନ୍ତ କୁମାର ସିଂ , ମୈତ୍ରୀ ତରଫରୁ ଲଲିତ ବ୍ରହ୍ମା ,ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।ଖଣି ବଦଳରେ ପରିବହନ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ବୋଲି କଂପାନୀ କର୍ତୂପକ୍ଷ କହିବା ପରେ  ଶ୍ରମିକମାନେ ରାଜି ହୋଇ ନ ଥିଲେ ।ଯାହାକି ଆଲୋଚନାଟି ବିଫଳ ହୋଇଥିଲା ।ଏହାପରେ ଶ୍ରମିକମାନେ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ।ଧାରଣାଟି ୨ ୟ ଦିନରେ ପହଂଚିଥିବା ବେଳେ କୈାଣସି ଅଧିକାରୀ ଦାବି ସମାଧାନ ନିମନ୍ତେ ଧାରଣାସ୍ଥଳକୁ ଆସି ନ ଥିବା ଜଣାପଡିଛି ।କୁଶଳୀକାରିଗର ନାମରେ ଆନ୍ଧ୍ର ଓ ଅନ୍ୟାନ୍ୟ ଅଂଚଳରୁ ୩୦୦ ରୁ ଉର୍ଦ୍ଧ୍ୱ ଶ୍ରମିକ କାମ କରୁଛନ୍ତି । ସମାନ କାମ ନିମନ୍ତେ ବାହାର ରାଜ୍ୟର ଶ୍ରମିକମାନେ ସ୍ଥାନୀୟ ଶ୍ରମିକମାନଙ୍କଠାରୁ ଅଧିକା ମଜୁରୀ ନେଉଥିବା ଶ୍ରୀ ବାଘ ସୂଚନା ଦେଇଛନ୍ତି ।ସ୍ଥାନୀୟ ଶ୍ରମିକମାନେ ଖଣିରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ କାହିଁକି ବଦଳି କରାଗଲା ଓ ନ୍ୟାୟ ଦାବିରେ କୋରାପୁଟ ସଦର ମହକୁମାରେ ଶ୍ରମିକମାନେ ଧାରଣାରେ ବସି ରହିଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ଦାବି ସମାଧାନ ନିମନ୍ତେ ପ୍ରଚେଷ୍ଟା କରୁନାହାନ୍ତି ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଶ୍ରମିକମାନେ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପାଉଛନ୍ତି କି ନାହିଁ ତାହା ଓଏମସି କର୍ତୂପକ୍ଷ ତଦାରଖ କରୁଛନ୍ତି କି ନାହିଁ ତାହା ଏବେ ବଡ ପ୍ରଶ୍ନ  ଉଠୁଛି ।କୋରାପୁଟ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକମାନଙ୍କ ନ୍ୟାୟଯୁକ୍ତ ଦାବି ସମାଧାନ କରିବାକୁ ଦାବି ହେଉଛି ।