Odiapua.com

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି – ଆଜି ୧୩୯ତମ ଜୟନ୍ତୀ

ମାହାଙ୍ଗା, ୨୦/୧୦ (ଓଡ଼ିଆ ପୁଅ / ଅଭୟ ଜେନା ) ବୈଷ୍ଣବ ପାଣି, ଗୀତିନାଟ୍ୟ ଜଗତରମୁକୁଟ ବିହୀନ ସମ୍ରାଟ। ସାଲେପୁର ଓ ମାହାଙ୍ଗା ମାଟିର ମୌଡ଼ମଣି। ଗଣ ହୃଦୟର କବି। ପ୍ରଥିତଯଶା ସାରସ୍ୱତ ସାଧକ। ସେ ମଧ୍ୟ ଗଣକବି, ବୈଷ୍ଣବ ପାଣି। ସେ ପୁଣି ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା। ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ। ଆଜିବି ତାଙ୍କ ନାଟକକୁ ନେଇଲୋକ ମାନଙ୍କ ମଧ୍ୟରେ ଅସୀମ ଆଗ୍ରହ। ତେବେ ବିଗତ ୨ ବର୍ଷ ହେଵ କରୋନା ପାଇଁ ନାଟକ ବନ୍ଦ, ଶ୍ରଦ୍ଧାଞ୍ଜଳିରେ ଅଟକି ରହିଛି ଉତ୍ସବ।

ମନେ ପଡୁଛି ତାଙ୍କ ଗୀତିନାଟ୍ୟକୁ ନେଇ ସେଇ ଉନ୍ମାଦନା। ସେଇ ଚମତ୍କାରୀତା। କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ କଳାର ତୀର୍ଥଭୂମିରେ ପରିଣତ କରିଥିବା ଯାତ୍ରାବାଲା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି।

ମାତ୍ର ପଞ୍ଚମ ଶ୍ରେଣୀରୁ ଅଟକି ଯାଇଥିଲା ଗଣକବିଙ୍କ ସ୍କୁଲ ଶିକ୍ଷା। ଦାରିଦ୍ର୍ୟ ସାଜିଲା ପ୍ରତିବନ୍ଧକ। ରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ମିଳିଗଲା ନିଯୁକ୍ତି। ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ। କୋଠପଦା ମାଇନର ସ୍କୁଲରେ ରୋଷେଇୟା ଦାୟୀତ୍ୱ ମଧ୍ୟ ମିଳିଗଲା ବୈଷ୍ଣବଙ୍କୁ।

ଏସବୁ ଭିତରେ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ କୋଠପଦାରେ ଗୋଟିପୁଅ ନୃତ୍ୟ କରିବାର ସୁଯୋଗ ପାଇଲେ କିଶୋର ବୈଷ୍ଣବ। ଯାତ୍ରା ଓସ୍ତାଦୀ, ପାଲା ଗାୟକ, ଶହଶହ ଗୀତିନାଟ୍ୟର ସଫଳ ସ୍ରଷ୍ଟା। ୧୯୦୩ ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ। କେତେବେଳେ ଅଭିନେତା, କେବେ ନିର୍ଦ୍ଦେଶକ, କେବେ ଗାୟକ ଆଉ କେବେ ବାୟକ। କୋଠପଦା ରଘୁନାଥ ଜୀୟୁ ମଠରୁ ବୈଷ୍ଣବ ପାଣିଙ୍କ ସୃଜନ ଜୀବନର ହୁଏ ଅୟମାରମ୍ଭ ଓ ପରବର୍ତ୍ତୀ କାଳରେ ଦିଗ ଦିଗନ୍ତକୁ ଛୁଇଁ ପାରିଥିଲା।

ଚଳିତ ବର୍ଷ ସବୁ ଓଲଟ ପା ଲଟ କରିଦେଇଛି କରୋନା। ଆଖଡ଼ା ଘରେ ବହିପୂଜା ବଂଦ। ରିହରସଲ ମନା। ମୁହଁରେ ରଙ୍ଗବୋଳି ମଞ୍ଚରେ ଅଭିନୟ କରିବାର ସମ୍ଭାବନା ପୁରା ହାତଛଡା। ଗୀତିନାଟ୍ୟ ଦେଖିବାର ସୁଯୋଗବି ନାହିଁ। ସବୁଠି କାରୁଣ୍ୟର ଛିଟା।

ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଯିଏକି ବୈଷ୍ଣବ ପାଣିଙ୍କ ଅଣନାତି, କବିଙ୍କ ବ୍ୟବହୃତ ସାମଗ୍ରୀ, ପାଣ୍ଡୁଲିପି ଓ ପ୍ରକାଶିତ ଆଦି କୁ ପ୍ରଦର୍ଶନ କରି ସ୍ମୃତି ଚାରଣ କରିଥିଲେ।

ଏହି କାଳଜୟୀ ସ୍ରଷ୍ଟା ୧୮୮୨ କୁମାର ପୂର୍ଣ୍ଣିମାରେ ଜନ୍ମହୋଇ ୧୯୫୬ ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଯାଇଥିଲେ। ମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସଂଭାର।

ତା’ଙ୍କ ନିର୍ଦ୍ଦେଶିତ ଯାତ୍ରା, ତା’ଙ୍କ ବିରଚିତ ଗୀତିନାଟ୍ୟ, ତା’ଙ୍କ ନାଟକ, ତା’ଙ୍କ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ, ସବୁ ଯେମିତି ଓଡ଼ିଆ ବାଣୀ ଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି।

ପାଣିସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି। ଶହେ ବର୍ଷ ତଳୁ ଅଭିନୀତ ତା’ଙ୍କ ନାଟକର କ୍ରେଜ ଆଜିବି ଲୋକପ୍ରିୟତା ବଜାୟ ରଖିଛି।

ତେବେ ଦୁଃଖ ଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଏହି ମାଟିର ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜିବି ଝୁରୁଛି, ପୂଜ୍ୟ ପୂଜା ଜାରିରଖିଛି।