Odiapua.com

କୋଟିଆ ଗ୍ରାମପୁଞରେ  ଜଙ୍ଗଳଜମି ପଟ୍ଟା ପାଇ ନ ଥିବା ହିତାଧିକାରୀଙ୍କ  ଆବେଦନ ପ୍ରକ୍ରୀୟା ଆରମ୍ଭ

କୋରାପୁଟ ୨୨-୦୭(ଓଡିଆ ପୁଅ /ରଂଜନ ଦାସ)ଗତ ମଙ୍ଗଳବାର ଦିନ ସାଲୁର ବିଧାୟକ ନେରେଡିବାଲସାରେ ବୈଠକ କରି ଜଙ୍ଗଳ ଜମି ପଟ୍ଟା ବଂଟନ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଅଧିକାରୀମାନେ ନେରେଡିବାଲସା ଗ୍ରାମ ଗସ୍ତ କରି ସ୍ଥିତି ପରଖିଥିବା ଜଣାପଡିଛି ।ଆଜି କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ  ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳଙ୍କ ସହ ଏକ ଟିମ ନେରେଡିବାଲସା , ଆର୍ଜୁବାଲସା ଓ ତାଡିବାଲସା ଗ୍ରାମକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।ଆନ୍ଧ୍ରପ୍ରଦେଶ ତରଫରୁ ଦିଆଯାଇଥିବା ପଟ୍ଟା ଦେଖାଇବା ପାଇଁ ଗ୍ରାମବାସୀଙ୍କୁ ଅଧିକାରୀମାନେ କହିଥିଲେ କିନ୍ତୁ ଗ୍ରାମବାସୀ ପଟ୍ଟା ଦେଖାଇ ନ ଥିଲେ ଜଣାପଡିଛି ।ଓଡିଶା ତରଫରୁ ମିଳିଥିବା ଆବାସ ଯୋଜନାରେ ନିର୍ମାଣଧିନ ଗୃହଗୁଡିକ ବୁଲି ଦେଖିଥିଲେ ।୪ ମାସ ସମୟ ସୀମା ମଧ୍ୟରେ ନିର୍ମାଣ ଶେଷ ହେଲେ ଓଡିଶା ସରକାର  ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା  ଉପଜିଲ୍ଲାପାଳ ଶ୍ରୀ କହଁର ହିତାଧିକାରୀମାନଙ୍କୁ ସଚେତନ କରାଇଥିଲେ ।  ଜଙ୍ଗଳଜମି ପଟ୍ଟା ପାଇ ନ ଥିବା ହିତାଧିକାରୀଙ୍କୁ ଆବେଦନ ପ୍ରକ୍ରୀୟା ଆରମ୍ଭ  କରାଯାଇଥିବା ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ସୂଚନା ଦେଇଛନ୍ତି ।ଆର୍ଜୁବାଲସା , ତାଡିବାଲସା ଓ ନେରେଡିବାଲସାରେ ପ୍ରାୟ ୪୦ ଜଣ ବ୍ୟକ୍ତି ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଂଚିତ ହୋଇଥିବା ଜଣାପଡିବା ପରେ ସେମାନଙ୍କର ଆବେଦନ ପ୍ରକ୍ରୀୟା ଆରମ୍ଭ କରାଯାଇଥିବା ଜଣାପଡିଛି ।ପଟ୍ଟାଙ୍ଗୀ ତହସିଲର ସୁପରଭାଇଜର ଗୋଲକ ବିହାରୀ ପରିଡା , ଆରଆଇ ଜି.ଡମ୍ବୁରୁ,କୋରାପୁଟ ଆଇଟିଡିଏର  ଶଙ୍କର ପ୍ରଧାନ ,ପଟ୍ଟାଙ୍ଗୀ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନୀଲ ସେଠୀ ,ଏଫଇଏସ ଅନୁଷ୍ଠାନର ପ୍ରଦୀପ ମିଶ୍ର ,ସମାଜସେବୀ ରଞିତ ପାଙ୍ଗୀ ପ୍ରମୁଖ  ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।ଗସ୍ତ ସମୟରେ ଆନ୍ଧ୍ର ତରଫରୁ ଲୋକମାନଙ୍କୁ ଚାଉଳ ଓ କ୍ଷୀର ପ୍ୟାକେଟ ମାଗଣାରେ ବଂଟନ କରାଯାଉଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କୋଟିଆ ଗ୍ରାମପୁଞରେ ୨୧୭୧ଜଣ ହିତାଧିକାରୀଙ୍କୁ ଜଙ୍ଗଳଜମି ପଟ୍ଟା ବଂଟନ କରାଯାଇଥିବା ଜଣାପଡିଛି ।