Odiapua.com

କେନ୍ଦ୍ର ଶାସିତ ଅଂଚଳ ହେଲେ କୋଟିଆ ବିବାଦର ସମାଧାନ ହୋଇପାରିବ –ଜୟରାମ ପାଙ୍ଗୀ

କୋରାପୁଟ ୦୫-୧୦(ଓଡିଆ ପୁଅ /ରଂଜନ ଦାସ)ବିଜୁ ପଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ଆରମ୍ଭ କରିଥିଲି ।୪୪ ବର୍ଷ ରାଜନୀତିରେ ବିଧାୟକ ,ମନ୍ତ୍ରୀ ଓ ସାଂସଦ ହେଲି ।କିନ୍ତୁ ଜିଲ୍ଲା ପାଇଁ ଆଖି ଦୃଶିଆ କାମ କରିପାରିଲି ନାହିଁ ବୋଲି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରକାଶ କରିଛନ୍ତି ।ବିନା ପଦପଦବୀରେ ମଧ୍ୟ ଲୋକମାନଙ୍କର ସେବା କରିହେବ ବୋଲି ସେ ସୂଚନା ଦେଇଛନ୍ତି ।ସେ ଦୃଷ୍ଟିରୁ ଦଳଗତ ନିର୍ବିଶେଷରେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ପରିଷଦ ଗଠନ ବେଳେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ,ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , ରାୟଗଡା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ଯୋଗଦେଇଥିଲେ ।
ଏହି ପରିଷଦ ମାଧ୍ୟମରେ ଦଣ୍ଡକାରଣ୍ୟ ପର୍ବତମାଳା ଆଦିବାସୀ କେନ୍ଦ୍ର ଶାସିତ ଅଂଚଳ କରିବାକୁ ଦାବି କରାଯିବ ବୋଲି ଶ୍ରୀ ପାଙ୍ଗୀ ସୂଚନା ଦେଇଛନ୍ତି ।ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଂଚଳ ନ କଲେ ଆମେ ବିକାଶ କରିପାରୁବି ନାହିଁ  ବୋଲି ସେ ପ୍ରକାଶ କରିଛନ୍ତି ।କେନ୍ଦ୍ରର ବିନା ସହଯୋଗ ଓ ଅନୁଦାନରେ ଏହା ସମ୍ଭବପର ନୁହେଁ ବୋଲି ସେ ସୂଚନା ଦେଇଛନ୍ତି ।କେନ୍ଦ୍ର ଶାସିତ ଅଂଚଳରେ ଅବିଭିକ୍ତ କୋରାପୁଟ ଜିଲ୍ଲା ରହିଥିବା ବେଳେ କନ୍ଧମାଳ ଜିଲ୍ଲା , ବିଜୟନଗରମ ଜିଲ୍ଲାର ସାଲୁର ବ୍ଲକ ,ବିଶାଖାପାଟଣା ବ୍ଲକର ୧୧ ଟି ବ୍ଲକ ମିଶିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।କେନ୍ଦ୍ର ଶାସିତ ଅଂଚଳ ହେଲେ କୋଟିଆ ବିବାଦର ସମାଧାନ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।