Odiapua.com

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶାରେ ‘ସଂସ୍କୃତ କାବ୍ଯର ପରମ୍ପରା’ ଶୀର୍ଷକ Seminar ଆୟୋଜିତ

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ/ରଞ୍ଜନ ଦାସ) କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, କୋରାପୁଟ ର ସଂସ୍କୃତ ବିଭାଗ ଦ୍ଵାରା ‘ସଂସ୍କୃତ କାବ୍ଯର ପରମ୍ପରା’/’Tradition of Sanskrit Kavyas’ ଶୀର୍ଷକ ସେମିନାର ବିଶ୍ଵବିଦ୍ୟାଳୟ ସୁନାବେଡା କ୍ଯାମ୍ପସ ଠାରେ ୧୩.୦୯.୨୦୧୮ ରେ ଆୟୋଜିତ ହୋଇଯାଇଛି। କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଉତ୍କଳ ବିଶ୍ଵବିଦ୍ୟାଳୟ ସଂସ୍କୃତ ବିଭାଗର ଅବସର ପ୍ରାପ୍ତ ବିଭାଗ ମୁଖ୍ୟ ପ୍ର. ରଘୁନାଥ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସେମିନାର ବକୃତା ପ୍ରଦାନ କରିଥିଲେ। ଶିକ୍ଷା ବିଭାଗର ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡାଃ. କୁମୁଦ ଆଚାର୍ଯ୍ୟ ସ୍ଵଗତ ଭାଷଣ ପ୍ରଦାନ କରିଥିଲେ।

ପ୍ର. ମହାନ୍ତି ନିଜ ଉଦ୍ଘାଟନି ଭାଷଣରେ ସଂସ୍କୃତ ବିଭାଗର ସମସ୍ତ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ ପ୍ରାଧ୍ୟାପିକାଙ୍କୁ ସଫଳତାର ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଥିଲେ। ସେ ସଂସ୍କୃତ ଭାଷାର ଗୌରବମୟ ଇତିହସକୁ ବର୍ଣନା କରି ଛାତ୍ର ଛାତ୍ରୀଙ୍କୁ ସଂସ୍କୃତ ଭାଷାର ବହୁଳ ବ୍ୟବହାର ଦ୍ଵାରା ସମସ୍ତ ପାଖକୁ ଏହାକୁ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ‘ଯେକେହି ଭାରତ ଏବଂ ଭାରତୀୟ ସଂସ୍କୃତି ସମ୍ବନ୍ଧରେ ଜାଣିବାକୁ ଇଛା କରେ ତାକୁ ପ୍ରଥମେ ସଂସ୍କୃତ ଭାଷା ସମ୍ବନ୍ଧୀୟ ଜ୍ଞାନ ଆହୋରଣ କରିବାକୁ ପଡ଼ିବ। ସଂସ୍କୃତ ଭାଷାର ଅଧ୍ୟୟନ ଦ୍ଵାରା ମନୁଷ୍ୟର ଆଚରଣର ଶୁଦ୍ଧି ହୋଇଥାଏ ”। ପ୍ର. ମହାନ୍ତି ନିଜ ଭାଷଣରେ ଭାରତ ଏବଂ ପାଶ୍ଚ୍ଯାତ ଦେଶରେ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ଆଲୋକ ପାତ କରିଥିଲେ।

ପ୍ର.ପଣ୍ଡା ନିଜ ବକ୍ତବ୍ୟରେ ଭାରତୀୟ ସାହିତ୍ଯ ଏବଂ ପାଶ୍ଚ୍ଯାତ ସାହିତ୍ୟରେ ସଂସ୍କୃତ ଭାଷାର ସ୍ଵତନ୍ତ୍ର ପ୍ରଭାବ ଉପରେ ଗୁରୁତ୍ଵ ଦେବାସହ କାବ୍ୟଶାସ୍ତ୍ର, ମମତା ର କାବ୍ୟପ୍ରକାଶ ଏବଂ ଜୟଦେବଙ୍କ ଗୀତଗୋବିନ୍ଦ ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ। ସେ କହିଥିଲେ ଯେ ‘ସଂସ୍କୃତର କାବ୍ୟଗୁଡିକ ଜ୍ଞାନରେ ପରିପୂର୍ଣ ଏବଂ ଏହାଠାରୁ ଆମ୍ଭେ ବର୍ତ୍ତମାନ ଯୁଗର ଅନେକ ଗମ୍ଭୀର ସମସ୍ୟାର ସମାଧାନ ପାଇପାରିବ। ଏଥିଯୋଗୁଁ ଆମେ ଆମ ପ୍ରାଚୀନ ପରମ୍ପରା ଏବଂ ଭାଷାର ସମ୍ମାନ କରିବା ସହ ଏହାକୁ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଆବଶ୍ୟକ”। ପ୍ର. ପଣ୍ଡା ନିଜ ଭାଷଣରେ ନୈଷଧା, କାଳିଦାସ, ଭାରବି ଏବଂ ମାଘା ଭୋଳି ଅନେକ ସଂସ୍କୃତ କାବ୍ଯ ଉପରେ ଆଲୋକପାତ କରିଥିଲେ।

ସଂସ୍କୃତ ବିଭାଗର ଲେକ୍ଚର ଡାଃ. କୁମୁଦ ଆଚାର୍ଯ୍ୟ ‘ନୈଷଧୀୟଚରିତମ’ ଶୀର୍ଷକ ଗବେଷଣା ପତ୍ର ଉପସ୍ଥାପନ କରିଥିଲେ ଏବଂ ଡାଃ. ବିରେନ୍ଦ୍ର କୁମାର ଷଡଙ୍ଗୀ ‘କିରାତର୍ଜୁନ ମହାକାବ୍ୟେ ବିଦ୍ୟମାଧବ କୋମେନ୍ତ୍ରୀ’ ଶୀର୍ଷକ ଗବେଷଣା ପତ୍ର ଉପସ୍ଥାପନ କରିଥିଲେ। ଏହି ଅବସରରେ ସଂସ୍କୃତ ବିଭାଗର ଅନେକ ଛାତ୍ର ଛାତ୍ରୀ ମଧ୍ୟ ନିଜ ନିଜ ଗବେଷଣା ପତ୍ର ଉପସ୍ଥାପନ କରିଥିଲେ।

ସଂସ୍କୃତ ବିଭାଗର ଛାତ୍ରୀ ସୁଶ୍ରୀ ଶୁଭଦା ପ୍ରିୟଦର୍ଶିନୀ ରଥ ଏବଂ ଛାତ୍ର ଶ୍ରୀ ବିଶ୍ଵନାଥ ଚଉଧ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଶିକ୍ଷା ବିଭାଗର ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ ପ୍ରାଧ୍ୟାପିକା ଏବଂ କର୍ମକର୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।