Odiapua.com

କୂଆପଥର ମାଡରେ ଫସଲ ନଷ୍ଟ ଅଭିଯୋଗ

କୋରାପୁଟ ୧୪-୦୫-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୂଆପଥର ମାଡରେ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରେଙ୍ଗା ଓ ପରଜାମୁଠେଇ ପଂଚାୟତର ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।ପରଜାମୁଠେଇ ଓ ରେଙ୍ଗା ପଂଚାୟତର ୩ ଟି ଗ୍ରାମରେ ଫସଲ ନଷ୍ଟ ହୋଇଥିବା ସୂଚନା ଆସିଛି ବୋଲି ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ ପ୍ରକାଶ କରିଛନ୍ତି।ଭିଏଡବ୍ଲୁ ପୁଷ୍ପାଞ୍ଜଳି ସୁବୁଦ୍ଧି ଉକ୍ତ ଗ୍ରାମକୁ ଯାଇ କ୍ଷୟକ୍ଷତି ଦେଖିକରି ଫେରିଛନ୍ତି ଓ ଯୁଗ୍ମ ତଦାରଖ ହୋଇ ରିପୋର୍ଟ ଆସିଲା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡିବ ବୋଲି ସେ ସୂଚନା ଦେଇଛନ୍ତି। ମାଳିମରୁଆ ଗ୍ରାମର ଚାଷୀ ଗୋପବନ୍ଧୁ ହନ୍ତାଲ, ଲଲିତ ଖରା, ଗଙ୍ଗାଧର ଖରା, ଲୋକନାଥ ଗେମେଲ ପ୍ରମୁଖ ଚାଷୀ ସେମାନଙ୍କର ପନିପରିବା ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି।କୋବି, କଲେରା, ଟମାଟୋ ଇତ୍ୟାଦି ପନିପରିବା ନଷ୍ଟ ହୋଇଯାଇଥିବା ବେଳେ ପାଚିଲା ଧାନ ତଳେ ପଡିଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି।ଲ୍ୟାମ୍ପ ତଥା ବ୍ୟାଙ୍କରୁ ରଣ କରି ଚାଷ କରିଥିଲେ ଏବଂ ଚାଷ ନଷ୍ଟ ହୋଇଯାଇଥିବାରୁ କ୍ଷତିପୂରଣ ଦେଲେ ରଣ ଶୁଝିବେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।