Odiapua.com

କୁକୁର ବିଶ୍ୱସ୍ତ

ସନିଆ ଓ ମାଧିଆ ଦୁଇ ବନ୍ଧୁ ଥିଲେ। ସନିଆ ଭଲ ସ୍ୱଭାବର ପିଲା, ତା’ର ବ୍ୟବହାର ଓ ଶାନ୍ତ କଥାବାର୍ତ୍ତା ପାଇଁ ତାକୁ ସମସ୍ତେ ଭଲ ପାଆନ୍ତି। ମାଧିଆ ସ୍ୱଭାବରେ ସ୍ୱାର୍ଥପର, ତା’ର ଯେତେବେଳେ ସ୍ୱାର୍ଥ ଥାଏ, ଭଲ ଅଭିନୟ କରି କାର୍ଯ୍ୟ ହାସଲ କରେ, ସ୍ୱାର୍ଥ ପୂରଣ ହୋଇଗଲା ପରେ ନିଜକୁ ଜ୍ଞାନୀ ବୋଲି ପ୍ରଦର୍ଶିତ କରେ। ମାଧିଆ ର ଅସୁବିଧା ବେଳେ ସନିଆ ଅନେକ ଥର ସାହାଯ୍ୟ କରିଛି କିନ୍ତୁ ମାଧିଆ ସାହାଯ୍ୟ ପାଇଲା ପରେ ସନିଆ ପଛରେ ନିନ୍ଦା କରେ। ମାଧିଆ ର ବହୁରୂପୀ ଚରିତ୍ର ବିଷୟରେ ଜାଣିବା ପରେ ସନିଆ ରାଗିଯାଇଥାଏ।

ଦିନେ କୌଣସି ଏକ କାମରେ ମାଧିଆ ସନିଆକୁ ଦେଖା କରିବାକୁ ଯାଇଥାଏ। ସେହି ସମୟରେ ସନିଆ ଗୋଟିଏ କୁକୁର ଉପରେ ହାତ ବୁଲାଇ ତାକୁ ଖୁବ୍ ଆଦର କରୁଥାଏ। ଏହା ଦେଖି ମାଧିଆ ରାଗରେ ସନିଆକୁ କହିଲା ମୁଁ ତୋ’ ଆଗରେ ଛିଡା ହୋଇଛି ମୋତେ ନଦେଖିଲା ଭଳି ଅଭିନୟ କରୁଛୁ, ମୋ ଠାରୁ ତୋ’ କୁକୁର ବଡ କି ? ସନିଆ କହିଲା କୁକୁର ବହୁତ ଭଲ, ତୋ’ ଠାରୁ ମହାନ୍। କୁକୁରକୁ ଖଣ୍ଡିଏ ଶୁଖିଲା ରୋଟି ଦେଲେ ସେ ତାର ଦାତାର ଘର ସମ୍ମୁଖରେ ଜଗି ରହିଥାଏ। କୁକୁର ହେଉଛି ଏକ ବିଶ୍ୱସ୍ତ ପ୍ରାଣୀ, ସେ ନିଜର ବିଶ୍ୱସ୍ତତା ସବୁବେଳେ ପ୍ରମାଣ ଦେଇଥାଏ। ତୋତେ ଆଉ ବେଶୀ ବୁଝାଇବାକୁ ପଡ଼ିବନି ତୁ କ’ଣ ? ମାଧିଆ କହିଲା ମୁଁ ତୋ’ ବନ୍ଧୁ। ସନିଆ କହିଲା ତୋ’ ପାଖରେ ବନ୍ଧୁତାର କେଉଁ ଗୁଣ ଗୁଡିକ ଅଛି ଟିକେ କହିଲୁ ? ମାଧିଆ ଚୁପ ରହିବା ଦେଖି ସନିଆ କହିଲା ସ୍ନେହ, ସଂପର୍କ, ସମ୍ମାନବୋଧ, ମୁକ୍ତ ମତ ବିନିମୟ ଓ ବିଶ୍ୱାସ ହେଉଛି ବନ୍ଧୁତାର ସବୁ ଗୁଣ। ପ୍ରକୃତ ବନ୍ଧୁ ଇର୍ଷା କରନ୍ତି ନାହିଁ ବରଂ ସୁଖ ଓ ଶକ୍ତି ପ୍ରଦାନ କରନ୍ତି। ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣ-ସୁଦାମା, କୃଷ୍ଣ-ଅର୍ଜୁନ, କର୍ଣ୍ଣ-ଦୁର୍ଯ୍ୟୋଧନଙ୍କ ବନ୍ଧୁତା ବିଷୟରେ ଟିକେ ଜାଣିବାକୁ ଚେଷ୍ଟା କର, ସେମାନଙ୍କ ବନ୍ଧୁତା କଥା ମନେପକାଇଲେ ପ୍ରେରଣା ମିଳେ। ବନ୍ଧୁତା ଏକ ଲାଭଜନକ ସମ୍ପର୍କ ନୁହେଁ। ଯଦି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଇ ବନ୍ଧୁତା ହୋଇଥାଏ ତେବେ ପରବର୍ତ୍ତୀ ସମୟରେ ତାହା କଳୁଷିତ ହୋଇଯାଏ। ସନିଆ ର ଏପରି ବିଶ୍ଳେଷଣ ଶୁଣି ମାଧିଆ କୁକୁର ମୁହଁକୁ ଚାହିଁଥାଏ…

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା