Odiapua.com

କିଶୋରୀ ନର୍ସିଂ ହୋମରେ କୋଭିଡ ଟୀକାକରଣ ଆରମ୍ଭ : ପଶ୍ଚିମ ଓଡିଶାରେ ପ୍ରଥମ

ବରଗଡ଼, ୧୨/୬(ଓଡିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ବରଗଡ଼ର ପ୍ରତିଷ୍ଠିତ ସ୍ୱାସ୍ଥ୍ୟକେନ୍ଦ୍ର କିଶୋରୀ ନର୍ସିଂ ହୋମ ଠାରେ ଆଜି କୋଭିଡ ଟୀକାକରଣର ଶୁଭାରମ୍ଭ ହୋଇଛି। ପଶ୍ଚିମ ଓଡିଶାର ପ୍ରଥମ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ଏହି ନର୍ସିଂ ହୋମ ଜନସାଧାରଣଙ୍କ ପାଇଁ ଟୀକାକରଣ ଆରମ୍ଭ କରିଛି। ପୁନାର ସେରମ ଇନଷ୍ଟିଚ୍ୟୁଟରୁ ସିଧାସଳଖ ୩ ହଜାର ଡୋଜ କୋଭିସିଲ୍ଡ ଏହି କେନ୍ଦ୍ରରେ ପହଂଚିବା ପରେ ଶନିବାର ସକାଳୁ ଏହି କାର୍ଯ୍ୟକ୍ରମକୁ କିଶୋର ନର୍ସିଂ ହୋମର ମୁଖ୍ୟ ଡକ୍ଟର ପ୍ୟାରେଲାଲ ତ୍ରିପାଠୀ ଶୁଭାରମ୍ଭ କରିଥିଲେ। କୋୱିନ ଆପ୍ ଜରିଆରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ଏଠାରୁ ନିଆଯାଇପାରିବ। ୪୫ ବର୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ପାଇଁ ସ୍ପଟ ବୁକିଂର ମଧ୍ୟ ସୁବିଧା ରହିଛି। ସୋମବାରଠାରୁ ନିୟମିତ ଭାବରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ନର୍ସିଂ ହୋମ ପକ୍ଷରୁ କୁହାଯାଇଛି।