Odiapua.com

କାହାକୁ ବିଶ୍ୱାସ କରିବା ?

ଅବିବାହିତ ନରିଆ ଚାକିରୀ ପାଇଲା ପରେ, ଘର କାମ କରିବା ପାଇଁ ମାଧିଆ (ଚାକର) ନାମକ ପୁଅଟିକୁ ନିଜ ପାଖରେ ରଖିଥାଏ। ଦିନେ ନରିଆ ବଜାରରୁ ଗୋଟେ ଇଲିଶି କିଣି ଘରକୁ ନେଲା। ମାଧିଆକୁ କହିଲା ତୁ ଭଲ ଭାବରେ ଇଲିଶିକୁ ଧୋଇ, କାଟି, ଭାଜି ଝୋଳ କରିଥିବୁ। ମୁଁ ଅଫିସରୁ ଆସିଲେ ମିଶିକି ଖାଇବା। ମାଧିଆ ଇଲିଶି ଭାଜୁଥାଏ, ଲୋଭ ସମ୍ଭାଳି ପାରିଲା ନାହିଁ। ଖଣ୍ଡେ ପରେ ଖଣ୍ଡେ ସବୁ ଇଲିଶି ଖାଇଦେଲା, ତା’ପରେ ଭାବିଲା ବାବୁଙ୍କୁ କ’ଣ କହିବି ?

ନରିଆ ଅଫିସରୁ ଘରକୁ ଆସୁଥାଏ, ଜଣେ ଲୋକ ତାକୁ ଖାଇବାକୁ ମାଗିଲା। ନରିଆ ଦୟାଳୁ ସ୍ୱଭାବର ପିଲା ସେ ଲୋକଟିକୁ ଗାଡ଼ିରେ ବସେଇ ଘରକୁ ନେଇ ଆସିଲା। ଲୋକଟିକୁ ବାରଣ୍ଡାରେ ବସାଇ ଦେଇ, ମାଧିଆକୁ କହିଲା ମୋ ସହିତ ଜଣେ ଲୋକ ଆସିଛନ୍ତି ସେ ମଧ୍ୟ ଖାଇବେ। ଖାଇବା ଜିନିଷ ସବୁ ବଢ଼ାବଢି କରୁଥା, ମୁଁ ଟିକେ ଗାଧୁଆ ଘରୁ ଧୋଇ ହୋଇ ଆସୁଛି। ମାଧିଆ କହିଲା ଭାତ, ଡାଲି କରିଦେଇଛି କିନ୍ତୁ……, ନରିଆ କହିଲା ପୁଣି କିନ୍ତୁ କ’ଣ କିରେ ? ମାଧିଆ କହିଲା ପୁରୁଣା ଛୁରୀ କଳଙ୍କି ଲାଗି ଯାଇଛି ବହୁତ ଚେଷ୍ଟା କଲି କିନ୍ତୁ ମାଛ କାଟି ପାରିଲି ନାହିଁ। ନରିଆ କହିଲା ଭାତ, ଡାଲି ହୋଇଛି, ଇଲିଶି ଭାଜିବାକୁ କେତେ ସମୟ ଲାଗିବ ? ଭାତ, ଡାଲି ଆଉ ଇଲିଶି ଭଜା ଖାଇଦେବା। ତୁ ବ୍ୟସ୍ତ ହେବା ଦରକାର ନାହିଁ, ମୁଁ ସେ ଛୁରିକୁ ପଥରରେ ଘଷି ଦାଢ଼ କରିଦେଉଛି। ନରିଆ ଘର ପଛପଟରେ ଗୋଟେ ପଥର ସାହାଯ୍ୟରେ ଛୁରୀଟି ଘସି ଦାଢ଼ କରୁଥାଏ। ସେହି ସମୟରେ ମାଧିଆ ଘର ବାହାରକୁ ଆସି ଲୋକଟିକୁ ପଚାରିଲା ଆମ ବାବୁଙ୍କୁ ତମେ କେବେ ଠାରୁ ଜାଣିଛ ? ଲୋକଟି କହିଲା ମୁଁ ତାଙ୍କୁ ଜାଣିନି, ଖାଇବାକୁ ମାଗିବାରୁ ସେ ମୋତେ ସାଙ୍ଗରେ ନେଇ ଆସିଛନ୍ତି। ମାଧିଆ କହିଲା ଆଜିକାଲି ଏମିତି କେତେ ଟା ଦୟାଳୁ ଅଛନ୍ତି ଯେ ଅଜଣା ଲୋକଙ୍କୁ ଡ଼ାକି ଘରେ ଖାଇବାକୁ ଦେଉଛନ୍ତି ? ଲୋକଟି କହିଲା ତମେ କଣ କହୁଛ ମୁଁ ବୁଝିପାରୁନି। ମାଧିଆ କହିଲା ଆମ ବାବୁ ଗୁଣି ଶିଖୁଛନ୍ତି, ତାଙ୍କର ଗୋଟେ ଆଙ୍ଗୁଠି ଦରକାର। ଖାଇ ସାରିବା ପରେ ତମ ଆଙ୍ଗୁଠି କାଟିବେ। ଶୁଣନ୍ତୁ କେମିତିକା ଶବ୍ଦ ହେଉଛି, ସେ ଛୁରୀ ଦାଢ଼ କରୁଛନ୍ତି। ଲୋକଟି ଜାଣିପାରିଲା ନରିଆ ଛୁରୀ ଦାଢ଼ କରୁଛି ତେଣୁ ପ୍ରାଣ ବିକଳରେ ଘର ଛାଡି ଦୌଡ଼ି ପଳେଇଲା। ନରିଆ ଛୁରୀ ଦାଢ଼ କରି ମାଧିଆକୁ କହିଲା ତୁ ଶୀଘ୍ର ମାଛ କାଟିଦେ ମୁଁ ଭାଜି ଦେଵି। ମାଧିଆ ମିଛ ଅଭିନୟ କରି ଘରର ସବୁ ପାର୍ଶ୍ୱକୁ ଅନେଇଦେଲା। ତା’ପରେ କହିଲା ଆପଣ ଗୋଟେ ମାଛ ଚୋରକୁ ସାଙ୍ଗରେ ନେଇ ଆସିଥିଲେ। ଯାହା ହେଉ ସେ ଖାଲି ମାଛ ନେଇ ପଳେଇଛି ଆଉ କିଛି ଚୋରି କରିନି। ମୁଁ ସେପଟ ଘରେ ଥିଲି କିଛି ଜାଣିପାରିଲିନି। ଏତେ କମ୍ ସମୟ ଭିତରେ ସେ ମାଛ ନେଇ ପଳେଇଛି। ନରିଆ କହିଲା ସେ ଲୋକଟିକୁ ଖାଇବାକୁ ଦେବା ପାଇଁ ଘରକୁ ଆଣିଥିଲି ସେ ଏମିତି କଲା, କାହାକୁ ଆଉ ବିଶ୍ୱାସ କରିବା ?

ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା