Odiapua.com

କାମ କରୁନି ଅଲଟ୍ରାସାଉଣ୍ଡ ମେସିନ ;ରୋଗୀ ହନ୍ତସନ୍ତ

କୋରାପୁଟ ୧୯-୦୪-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟରେ ମେଡିକାଲ କଲେଜ୍ ପ୍ରତିଷ୍ଠା ହେବା ପରେ ଅବିଭକ୍ତ କୋରାପୁଟ ଜିଲାର ଲୋକେ ଉତମ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଆଶା କରା ଯାଉଥିଲା। ହେଲେ ଆଜି ତାହା ଭୁଲ ପ୍ରମାଣିତ ହେବା ଅବସ୍ଥାକୁ ଗଲାଣି। ଜିଲା ଚିକିତ୍ସାଳୟରେ ଯେଉଁ ପ୍ରକାର ଚିକିତ୍ସା ସେବା ମିଳୁଥିଲା ମେଡିକାଲ କଲେଜରେ ତାହା ସ୍ୱପ୍ନ ହୋଇଛି। ଜିଲା ମୁଖ୍ୟ ହସ୍ପିଟାଲରେ ଥିବା ଅନେଚ ମେସିନ ଅଚଳ ହୋଇଥିବାବେଳେ ମେଜିକାଲ କଲେଜର ସେହି ସେବା ଦେବାକୁ ମେସିନ ଥିଲେ ମଧ୍ୟ ବିଶେଷଜ୍ଞ ନାହାନ୍ତି। ସରକାର ଯେଉଁ ଡାକ୍ତର ବା ବିଶେଷଜ୍ଞଜ୍ଞୁ ପଠାଉଛନ୍ତି ସେମାନେ କାର୍ଯ୍ୟରେ ଯୋଗ ଦେବାର ମାତ୍ର କିଛି ଦିନ ରହିବା ପରେ ଲମ୍ବା ଛୁଟିରେ ଚାଲି ଯାଉଛନ୍ତି। ଫଳରେ ଅଂଚଳର ହଜାର ହଜାର ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି। ବର୍ତମାନ ଏଭଳି ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି କୋରାପୁଟ ଏସଏଲଏନ ମେଡିକାଲ୍ କଲେଜ ଓ ହସ୍ପିଟାଲର ଅଲଟ୍ରା ସାଉଣ୍ଡ ବିଭାଗରେ। ପ୍ରତି ଦିନ ଶହ ଶହ ଗର୍ଭବତୀ ଓ ପେଟରୋଗୀ ହସ୍ପିଟାଲ୍ ଆସି ନିରାଶ ମନରେ ଫେରୁଥିବା ଦେଖିବାକୁ ମିଳୁଛି। ଗର୍ଭବତୀ ଏବଂ ଅନ୍ୟାନ୍ୟ ରୋଗୀଙ୍କୁ ସରକାରୀ ହସ୍ପିଟାଲରେ ମାଗାଣାରେ ଅଲଟ୍ରା ସାଉଣ୍ଡ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ପ୍ରତିଦିନ କୋରାପୁଟ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଶହ ଶହ ରୋଗୀ, ଗର୍ଭବତୀ ମହିଳା ଆସି ଥାଆନ୍ତି କିନ୍ତୁ ମେସିନ୍ ଅଚଳ ଯୋଗୁଁ ସେମାନେ ଡାକ୍ତରଙ୍କ ପରାମର୍ଶରେ ବାହାରକୁ ଯାଇ ଅଲଟ୍ରା ସାଉଣ୍ଡ କରି ବହୁଳ ଖର୍ଚାନ୍ତ ହୁଅନ୍ତି। ଏପରିକି ପରିସ୍ଥିତିର ଚାପରେ ପ୍ରତିଦିନ ଶହ ଶହ ଗରିବ ରୋଗୀ ଓ ଗର୍ଭବତୀ ବାହାରେ ଅଲଟ୍ରା ସାଉଣ୍ଡ କରୁଥିବା ଦେଖିବାକୁ ମିଳୁଛି। କୋରାପୁଟ ହସ୍ପିଟାଲରେ ଥିବା ପୁରୁଣା ମେସିନ ଖରାପ ହେବାରୁ କଲେଜ କର୍ତୂପକ୍ଷ ୨୫ଲକ୍ଷ ଟଙ୍କା ବ୍ୟୟରେ ଏକ ନୂଆ ଅଲଟ୍ରା ସାଉଣ୍ଡ ମେସିନକିଣିଛନ୍ତି। କିନ୍ତୁ ଅଲଟ୍ରା ସାଉଣ୍ଡ ବିଭାଗ ନିମନ୍ତେ ରାଜ୍ୟ ସରକାର ନିଯୁକ୍ତି କରିଥିବା ପ୍ରଫେସର ଛୁଟିରେ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନି। ନିୟମ ପ୍ରକାରେ ଅଲଟ୍ରା ସାଉଣ୍ଡ ମେସିନ ଲଗାଇବା ପାଇଁ ରେଡିଓଲୋଜି ବିଭାଗ ମୁଖ୍ୟଙ୍କ ଅନୁମୋଦନ ଆବଶ୍ୟକ, ସେ ଦୀର୍ଘ ଦିନରୁ ଛୁଟିରେ ଥିବାରୁ ତାହା ହୋଇ ପାରୁନଥିବା ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ହରେକୃଷ୍ନ ଦଳେଇ କହିଛନ୍ତି। ତେବେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚାଇ ଦିଆ ଯାଇଥିବା କଲେଜ୍ ଅଧ୍ୟକ୍ଷ୍ୟ ପ୍ରଫେସର କୃଷ୍ନଚନ୍ଦ୍ର ବିଶ୍ୱାଳ ସୂଚନା ଦେବା ସହ ନୂଆ ମେସିନ୍ କଲେଜରେ ପହଂଚି ସାରିଛି, ରେଡିଓଲୋଜି ବିଭାଗ ପ୍ରଫେସର ଆସିବା ସଂଗେ ସଂଗେ କାର୍ଯ୍ୟକ୍ଷମ କରା ଯିବ ବୋଲି ପ୍ରକାଶ କରିଛନ୍ତି। ଆଦିବାସୀ ବହପଳ ପଛୁଆ ଅଂଚଳବାସୀଙ୍କ ସମସ୍ୟା ପ୍ରତି ଗୁରୂତ୍ୱ ଦେଇ ରାଜ୍ୟ ସରକାର ଏ ଦିଗରେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

କୋରାପୁଟ ହସପିଟାଲରେ ଅନେକ ସମସ୍୍ୟା ରହିଥିବା ନଜର କରାଯାଇଛି।ବିଜୁଳି ଗଲେ ହସପିଟାଲର ସର୍ଜରୀ ଅନ୍ତଃବିଭାଗ ଅନ୍ଧାରରେ ରୁହେ।ଖରାଦିନ ଥିବାରୁ ଅନ୍ତଃବିଭାଗରେ ପାଣିର ସମସ୍୍ୟା ଦେଖାଦେଇଛି।ରାତି ହେଲେ ପାଣି ସରିଯାଉଥିବାରୁ ଅନ୍ତଃବିଭାଗରେ ରହୁଥିବା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି।ଏ ସଂପର୍କରେ ହସପିଟାଲର ଅଧିକ୍ଷକ ଡାକ୍ତର ଦଳେଇଙ୍କୁ ପଚାରିବାରେ ହଁ କରିବା ବୋଲି କେବଳ କହୁଁଛନ୍ତି କିନ୍ତୁ ସ୍ଥାୟୀ ସମସ୍୍ୟା ସମଧାନ କେବେ ହେବ ତାହା ସ୍ପଷ୍ଟ କରି ନାହାଁନ୍ତି।ରାଜ୍ୟ ସରକାର ତୁରନ୍ତ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପ୍ରତି ଧ୍ୟାନ ଦେଇ ସମାଧାନ କରିବାକୁ ଦାବି ହେଉଛି।