Odiapua.com

‘କବିଙ୍କ ସାହିତ୍ୟାକୃତି ଆଗାମୀ ପିଢ଼ିଙ୍କୁ ପ୍ରେରଣା’ କବି ବ୍ରଜନାଥ ରଥଙ୍କ ୮୬ତମ ଜୟନ୍ତୀ

ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କବି ବ୍ରଜନାଥ ରଥଙ୍କ ୮୬ ତମ ଜୟନ୍ତୀ ଓ ବିଶ୍ୱତାରା ଓଡିଆ ଗବେଷଣା ଗ୍ରନ୍ଥାଗାରର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ସୁନହଟସ୍ଥିତ ବାସଭବନରେ ପାଳିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କବି ବ୍ରଜନାଥଙ୍କ ଜୀବନାଦର୍ଶ ଓ ତାଙ୍କର କାବ୍ୟକୃତିର ବୈଶିଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ଜଣେ ପ୍ରଗତିବାଦୀ କବି ଭାବେ ସ୍ୱର୍ଗତ ରଥଙ୍କ ସାହିତ୍ୟାକୃତି ଆଗାମୀ ପିଢ଼ିଙ୍କୁ ପ୍ରେରଣା ଦେବ ବୋଲି ପ୍ରଫେସର ସାମଲ ମତବ୍ୟକ୍ତ କରିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ତଥା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଡକ୍ଟର ମଣୀନ୍ଦ୍ର କୁମାର ମେହେର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଆ କାବ୍ୟ ଜଗତରେ କବି ବ୍ରଜନାଥଙ୍କ ସ୍ୱତନ୍ତ୍ର ସ୍ଥାନ ରହିଥିବା ମତପ୍ରକାଶ କରିଥିଲେ। କବି ସ୍ୱର୍ଗତ ରଥ ତାଙ୍କ ପାଇଁ ଓ ତାଙ୍କ ଭଳି ଓଡିଶାର ବହୁ ସାହିତ୍ୟ ଉପାସକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ଡକ୍ଟର ମେହେର କହିଥିଲେ। ଟ୍ରଷ୍ଟର ଉପଦେଷ୍ଟା ତଥା ଆଦିବାସୀ ଲୋକସାହିତ୍ୟ ଓ ପ୍ରଗତିଶୀଳ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟା ବିଜୟ ଉପଧ୍ୟାୟ ଏଥିରେ ସଭାପତିତ୍ୱ କରିବା ସହ କବି ବ୍ରଜନାଥ ରଥ ଦଳିତ ନିଷ୍ପେସିତ ମଣିଷଙ୍କ ସ୍ୱର ପାଲଟିଥିଲେ ବୋଲି ମତବ୍ୟକ୍ତ କରିଥିଲେ। କବି କାଳିପଦ ପଣ୍ଡା କାର୍ଯ୍ୟକ୍ରମରେ ପ୍ରାକ ସୂଚନା ଦେଇଥିବା ବେଳେ କବି କାଳିକିଙ୍କର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଶାସକ ତଥା ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କୁ ଚଳିତ ବର୍ଷପାଇଁ ବ୍ରଜନାଥ ରଥ ସାରସ୍ୱତ ସମ୍ନାନ -୨୦୨୧ ପ୍ରଦାନ କରାଯାଇଥିଲା। ଏଥି ସହିତ ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ଡକ୍ଟର ଅରବିନ୍ଦ ଗିରିଙ୍କୁ ଚଳିତବର୍ଷର କବି ବ୍ରଜନାଥ ରଥ ସ୍ମୃତି ସମ୍ନାନ ପ୍ରଦାନ କରାଯାଇଥିଲା। କବି ବ୍ରଜନାଥ ରଥଙ୍କ ଉପରେ ଗବେଷଣା ପାଇଁ ଉତ୍କୃଷ୍ଟ ସନ୍ଦର୍ଭ ପ୍ରସ୍ତୁତି ପାଇଁ ଅଧ୍ୟାପକ ଡକ୍ଟର ରମାକାନ୍ତ ଜେନାଙ୍କୁ ବ୍ରଜନାଥ ରଥ ସମ୍ବର୍ଦ୍ଧନା ୨୦୨୧ ପ୍ରଦାନ କରାଯାଇଥିଲା। ଏହି ଅବସରରେ କବି କାଳିକିଙ୍କର ଦାସଙ୍କ ବ୍ୟଙ୍ଗଧର୍ମୀ କବିତା ସଙ୍କଳନ ‘ଜଟାୟୁ ଜୀବନ’ ଓ ଉମାକାନ୍ତ ଜେନାଙ୍କ ଗବେଷଣା ପୁସ୍ତକ ‘ବ୍ରଜନାଥ ରଥ ସୃଷ୍ଟ ସୌରଭ’ ଲୋକାର୍ପିତ ହୋଇଥିଲା। ଟ୍ରଷ୍ଟର ଟ୍ରଷ୍ଟି ବ୍ୟୋମନାଥ ରଥ, ବ୍ରହ୍ମ ରଥ, ବିଧୁନାଥ ରଥ, ଡା. ମୃତ୍ୟୁଞ୍ଜୟ ମିଶ୍ର, ପରମାନନ୍ଦ ପଣ୍ଡା, ରାଧାନାଥ ରଥ ଓ ଓଜସ୍ୱିନୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ କବି ବ୍ରଜନାଥ ରଥଙ୍କ ନିର୍ବାଚିତ କବିତାକୁ ଉପସ୍ଥିତ କବି ଓ କବୟିତ୍ରୀମାନେ ପାଠ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବ୍ରଜନାଥ ପ୍ରେମୀ, କବି, ଲେଖକ, ପାଠକ ତଥା ବିଶିଷ୍ଟ ବ୍ୟକ୍ତିଯୋଗ ଦେଇଥିଲେ।