Odiapua.com

ଓଡ଼ିଆ ସାହିତ୍ୟ ଟୁଙ୍ଗିର ଆନ୍ତର୍ଜାତୀୟ ସ୍ମୃତି ସନ୍ମିଳନ – ସଚ୍ଚିଶ୍ରୀ

ନୂଆଦିଲ୍ଲୀ ୨-୬ (ଓଡ଼ିଆ ପୁଅ) ପ୍ରବାସରେ ରହୁଥିବା କେତେଜଣ ସମଧର୍ମା ସାହିତ୍ୟ ସୁହୃଦଙ୍କ ପ୍ରୟାସରେ ଉତ୍ତର ଆମେରିକାରେ ହୋଇଛି “ଓଡ଼ିଆ ସାହିତ୍ୟ ଟୁଙ୍ଗି”। ଓଡ଼ିଆ ସାହିତ୍ୟ ଟୁଙ୍ଗିର ପ୍ରୟାସ ରହିଛି ଯେ, ସାରା ବିଶ୍ୱରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ହେବ। ଅଧିକରୁ ଅଧିକ ଲୋକ ଓଡ଼ିଆରେ ବାର୍ତ୍ତାଳାପ ତଥା ଓଡ଼ିଆ ଲେଖିବାକୁ ଆଗ୍ରହ ସୃଷ୍ଟି କରିବାର ଏକ ପ୍ରଚେଷ୍ଟା କରାଯାଉଛି ଏହି ଅନୁଷ୍ଠାନ ତରଫରୁ।

ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଯୁଗସ୍ରଷ୍ଟା ମହାନ ସାହିତ୍ୟିକଙ୍କ ଜନ୍ମ ତଥା ମହାପ୍ରୟାଣ ତିଥିରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେମାନଙ୍କ ସ୍ମୃତିସଭା ନିୟମିତ ଭାବରେ କରୁଛି ଏହି ଅନୁଷ୍ଠାନ। ଧୀରେନ୍ଦ୍ର କରଙ୍କ ପ୍ରୋତ୍ସାହନ, ପ୍ରଶାନ୍ତ ଭୂୟାଁଙ୍କ ପ୍ରଗାଢ଼ ଉଦ୍ୟମ ତଥା ତନ୍ମୟ ପଣ୍ଡା ଏବଂ ଧର୍ମପତ୍ନୀ ସୁନନ୍ଦା ମିଶ୍ର ପଣ୍ଡାଙ୍କ ସହୃଦୟ ସହଯୋଗରେ ଏହି ଅନୁଷ୍ଠାନ ଗୋପୀନାଥ ମହାନ୍ତିଙ୍କ ସ୍ମୃତିସଭା “ସ୍ରୋତସ୍ୱତୀ”, ମଧୁସୂଦନ ଦାସଙ୍କ ସ୍ମୃତିସଭା “ଉତ୍କଳଗୌରବ” ପରେ ଏବେ ୨୪ ମଇ ୨୦୨୦ରେ ଆଉ ଏକ ସ୍ମୃତିସଭା ଆୟୋଜନ କରିଥିଲେ ମହାନ କବି ସଚ୍ଚି ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳିରେ। ଏହାର ନାମ ରଖାଯାଇଥିଲା “ସଚ୍ଚିଶ୍ରୀ”।

ସଚ୍ଚି ରାଉତରାୟ; ଏକାଧାରରେ ଛାତ୍ରନେତା, ପ୍ରଜାନେତା, ଚାଷୀନେତା, କବି, କଥାକାର, ଦରଦୀ ମଣିଷଟିଏ । ଓଡ଼ିଆ ଭୂଇଁର ଆୟୁଷ୍ମାନ ପୁତ୍ର। ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରାଇବାର ଏକ ବୈପ୍ଲବିକ ବହ୍ନିଟିଏ। ସର୍ବହରାର ହୃଦୟର ଅନ୍ତଃସ୍ୱର ଚିହ୍ନିବାରେ ସମସ୍ୱର। ସ୍ୱେଦ ଓ ଲହୁରେ ଶବ୍ଦସାଧନାର ଅମରଶିଳ୍ପୀ। ଓଡ଼ିଆ ଜୀବନଧାରାକୁ ଶବ୍ଦସ୍ୱନରେ ଋଦ୍ଧିମନ୍ତ କରିଥିବା ପ୍ରାଣବନ୍ତ କାବ୍ୟିକ ହୃଦଟିଏ। ସେଇ ମାଟିର ସେଇ ବରପୁତ୍ରଙ୍କ ଶ୍ରଦ୍ଧାଞ୍ଜଳିରେ ଓଡ଼ିଆ ସାହିତ୍ୟ ଟୁଙ୍ଗିର ଆନ୍ତର୍ଜାତୀୟ ସ୍ମୃତି ସନ୍ମିଳନ ଥିଲା; ସଚ୍ଚିଶ୍ରୀ।

ଓଡ଼ିଆ ସାହିତ୍ୟ ଟୁଙ୍ଗିର ପ୍ରଗଢ଼ ପ୍ରଚେଷ୍ଟାରେ ଦୃଶ୍ୟଶ୍ରାବ୍ୟ ସମ୍ପ୍ରୟୋଗ ଜରିଆରେ ସମଗ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟପ୍ରେମୀଙ୍କ ସହ ଯୋଡ଼ି ହୋଇଥିଲେ ସୁଧୀ ସତ୍କଥକଗଣ। ସେମାନଙ୍କ ଭିତରେ ଥିଲେ; ମନୋରମା ମହାପାତ୍ର, ହୁସେନ୍‌ରବି ଗାନ୍ଧୀ, ପ୍ରଦୀପ୍ତ କୁମାର ବାରିକ, ସୁକାନ୍ତି ମହାପାତ୍ର ତଥା ସରୋଜ ବଳ। ମଞ୍ଚ ପରିଚାଳନା କରିଥିଲେ ସୁନନ୍ଦା ମିଶ୍ର ପଣ୍ଡା, ପ୍ରଶାନ୍ତ ଭୂୟାଁ, ପରାଶର ମିଶ୍ର, କୁକୁ ଦାସ, ତନ୍ମୟ ପଣ୍ଡା, ଧୀରେନ୍ଦ୍ର କର।

ଶିଶୁ ସାହିତ୍ୟପ୍ରେମୀ ଦିତ୍ୟା ଯୋଶୀ ଛୋଟ ମୋର ଗାଁଟିର ଆବୃତ୍ତି ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାପରେ ସତ୍କଥକଗଣ ସଚ୍ଚି ରାଉତରାୟଙ୍କର କାବ୍ୟକବିତାର ଆବୃତ୍ତି ସହ ନିମ୍ନୋକ୍ତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
ମନୋରମା ମହାପାତ୍ର – ସଚ୍ଚିଶ୍ରୀ – ଓଡ଼ିଆ କାବ୍ୟିକ ଜଗତ ଅସ୍ମିତାର ଉନ୍ମେଷ ( ପଲ୍ଲୀ କବିତା, ଦେଶପ୍ରେମ ଓ ଆଧୁନିକ କବିତାର ଜନକ ),
ହୁସେନ୍‌ରବି ଗାନ୍ଧୀ – ସଚ୍ଚିଶ୍ରୀ – ସାଧାରଣ ମଣିଷର ଅସାଧାରଣ କାବ୍ୟଗୀତି
ପ୍ରଦୀପ୍ତ କୁମାର ବାରିକ – ସଚ୍ଚିଶ୍ରୀ – ମାନବାତ୍ମାର କାରିଗର ( ଗଦ୍ୟ ସାହିତ୍ୟର ଆଲୋଚନା )
ସୁକାନ୍ତି ମହାପାତ୍ରଙ୍କ – ସଚ୍ଚିଶ୍ରୀ – ଅନ୍ଧାରୁଆ ପାଇଁ ଆଲୋକପାତ
ତନ୍ମୟ ପଣ୍ଡା -ସଚ୍ଚିଶ୍ରୀ – ଯୁଗସ୍ରଷ୍ଟାଙ୍କ ସାହିତ୍ୟର ଅନ୍ତଃସ୍ୱର
ପରାଶର ମିଶ୍ର – ସଚ୍ଚିଶ୍ରୀ – ସାମାଜିକ ଚେତନା ଓ ଜନମାନସର କବି

କବିତା ଆବୃତ୍ତି ବିଭାଗରେ
ସରୋଜ ବଳଙ୍କ – ହେ ବନ୍ଧୁ ମିଳାଅ ହାତ
ଧୀରେନ୍ଦ୍ର କର – ଭଗବାନ ଅଛ କାହିଁ
ଆର୍ଯ୍ୟବେଳା ନାୟକ – ନୁହେ ବନ୍ଧୁ, ନୁହେ ଏହା ଚିତା
ସ୍ୱପ୍ନଲତା ମିଶ୍ର ରଥ -ତୁମେ ତ ଦେଖିଛ ଶିଳାରେ ତାହାର ରମ୍ୟ କଳାର ରୂପ
ଏହା ପରେ କୁନି ଓଠ ଧାରରେ
କାନାଡ଼ାର ଶିଶୁଗଣ;
ଶ୍ରୀୟାଂସ ଦାଶ – ବଜାରେ ପାଇକ ବାଜା,
ଶ୍ରୀଜା ପଟ୍ଟନାୟକ – କାରାଗାର
ଅରିଜିତ ସାହୁ-ମାର୍୍‌ତୁ ଯେତେ ଗୁଳି
ଆମେରିକାର ଶିଶୁଗଣ;
ସାନ୍‌ଭି ମହାପାତ୍ର – ଛୋଟ ମୋର ଗାଁ’ଟି
ରିତେଶ୍‌ଶତପଥୀ – ବାଜି ରାଉତ
(ଅର୍ପିତ ପଣ୍ଡା / ଅପର୍ଣ୍ଣା ଆଚାର୍ଯ୍ୟ/ଦେବବନ୍ଦ୍ୟା ଦାଶ
/ଅନୁଷ୍କା ଜେନା/ ରିଆ ସାହୁ/ ଆଦିତ୍ୟ ପଟ୍ଟନାୟକ/
ଦେବସ୍ନାତା ଦାଶ – ପଦେ ଦୁଇପଦ ସଚ୍ଚି ରାଉତରାୟଙ୍କ ପାଇଁ କହିଥିଲେ।

ଏହି ସ୍ମୃତିସଭାରେ ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ସଚ୍ଚି ରାଉତରାୟଙ୍କ ପରିବାରର ୨୦ ଜଣ ସଦସ୍ୟ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ସଚ୍ଚି ରାଉତରାୟଙ୍କ ଜୀବନ ଓ ପରିବାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଝିଅ ଚିତ୍ରା ରାଉତରାୟ, ପୁଅ ହର୍ଷ ରାଉତରାୟ ତଥା ନାତୁଣୀ ପ୍ରୀତି ରାଉତରାୟ ସ୍ମୃତିଚାରଣ କରିଥିଲେ ସଚ୍ଚି ରାଉତରାୟଙ୍କର।

ସଭା ଶେଷରେ ଓଡ଼ିଶା ସାହିତ୍ୟ ଟୁଙ୍ଗିର ଉପଦେଷ୍ଟା ଧୀରେନ୍ଦ୍ର କର ସମସ୍ତ ଶ୍ରଦ୍ଧେୟ ଶ୍ରୋତା, ବକ୍ତା ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜୁମ୍‌ମାଧ୍ୟମରେ ଦେଶ ବିଦେଶରୁ ୮୫ରୁ ଉର୍ଦ୍ଧ୍ୱ ପରିବାର ଯୋଗ ଦେଇ ଏହି ସ୍ମୃତି ସଭା ଭାଗ ନେଇଥିଲେ ତଥା ଫେସ୍‌ବୁକ୍‌ରେ ସିଧା ପ୍ରସାରଣର ସୁଯୋଗ ଦିଆ ଯାଇଥିବାରୁ ୫୦୦ରୁ ଉର୍ଦ୍ଧ୍ୱ ପରିବାର ଏହା ଦେଖିଥିଲେ ବୋଲି ଓଡ଼ିଆ ସାହିତ୍ୟ ଟୁଙ୍ଗିର ପରିଚାଳକ ପ୍ରଶାନ୍ତ ଭୂୟାଁ ଜଣାଇଥିଲେ। ପ୍ରଶାନ୍ତ ଭୂୟାଁ ସମସ୍ତ ଉପସ୍ଥିତ ଶ୍ରୋତାଙ୍କୁ ସହୃଦୟ କୃତଜ୍ଞତା ଜଣାଇ ଆହୁରି କହିଥିଲେ ଯେ “ଏଇତ ଆରମ୍ଭ – ଅୟମାରମ୍ଭ। ଏହି ଶ୍ରଦ୍ଧା ଓ ଆଶିଷ ଥାଉ। ଓଡ଼ିଆ ଭାଷା ଓ ସାହିତ୍ୟ ନିମନ୍ତେ ଆମର ଏହି ପ୍ରୟାସ ସାର୍ଥକ ହେଉ।”। ଭାଷା ଓ ସାହିତ୍ୟର ସମୃଦ୍ଧି ଓ ପ୍ରସାର ହେତୁ ଏହି ଭଳି ଆହୁରି ଅନେକ ପ୍ରକଳ୍ପ ରହିଛି ଏବଂ ଏହା ସମୟ ଓ ସୁଯୋଗ ନେଇ ସମଗ୍ର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବୁ ବୋଲି ସେ ଜଣାଇଥିଲେ।

ଓଡ଼ିଆ ସାହିତ୍ୟ ଟୁଙ୍ଗି ସହ ଯୋଡ଼ି ହେବାକୁ ହେଲେ odiasahityatungi@gmail.com ଇ_ଡାକରେ ଯୋଗାଯୋଗ କରିବାକୁ ସମସ୍ତ କଳା-ସାହିତ୍ୟ-ସଂସ୍କୃତ ପ୍ରେମୀଙ୍କୁ ସେ ଅନୁରୋଧ କରିଛନ୍ତି।