Odiapua.com

ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ “ଓଡ଼ିଆ ଭାଷା ଓ ସାହିତ୍ୟ; କିଛି ଦୃଷ୍ଟି, କିଛି ଚିନ୍ତା” ପ୍ରସଙ୍ଗକୁ ନେଇ ଅନଲାଇନ ଆଲୋଚନାଚକ୍ର (ୱେବିନାର) ଅନୁଷ୍ଠିତ

ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ୯୦୦ରୁ ଉର୍ଦ୍ଧ୍ୱ ସାହିତ୍ୟ ଅନୁରାଗୀଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, ୨୫ ଜୁଲାଇ (ଓଡ଼ିଆ ପୁଅ) : ଅଗ୍ରଣୀ ଅଣ-ଲାଭଜନକ ତଥା ସାମାଜିକ-ସାଂସ୍କୃତିକ, ପ୍ରଭାବଶାଳୀ ଏବଂ ନିରପେକ୍ଷ ବିଚାରଧାରା ସମ୍ପନ୍ନ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଓଡ଼ିଆ ଭାଷା ଏବଂ ସାହିତ୍ୟ ଉପରେ ପର୍ଯ୍ୟବେସିତ ‘ଓଡ଼ିଆ ଭାଷା ଓ ସାହିତ୍ୟ: କିଛି ଦୃଷ୍ଟି, କିଛି ଚିନ୍ତା’ ପ୍ରସଙ୍ଗକୁ ନେଇ ଅନ୍‌ଲାଇନ୍‌ରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ବା ୱେବିନାର ଅନୁଷ୍ଠିତ ହୋଇଯାଇଅଛି।

ଆଜିର ଏହି ଆଲୋଚନାଚକ୍ରରେ ଓଡ଼ିଆ ସାହିତ୍ୟ ଜଗତର ସୁପ୍ରସିଦ୍ଧ ଲେଖିକା ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ଡଃ ପ୍ରତିଭା ରାୟ, ବିଶିଷ୍ଟ ଲେଖକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର, ଓଡ଼ିଆ ବିଭାଗ ପ୍ରାଧ୍ୟାପକ ତଥା ଲେଖକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ଭାଷା ସଂପର୍କରେ ନିଜ ବକ୍ତବ୍ୟ ରଖିଥିଲେ ଏବଂ ଶ୍ରୀମତୀ ପାରମିତା ଶତପଥୀ, ଲେଖିକା ତଥା ମୁଖ୍ୟ ଆୟକର କମିସନର୍ ଏହି ୱେବିନାରଟିକୁ ସଂଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଆଇଆର୍‌ଏସ (ଅବସର ପ୍ରାପ୍ତ), ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ଶ୍ରୀମତୀ ମୃଦୁଳା ପ୍ରଧାନ ଓ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ୯୦୦ରୁ ଉର୍ଦ୍ଧ୍ୱ ସାହିତ୍ୟ ଅନୁରାଗୀ ଅଂଶଗ୍ରହଣ କରିଥିଲେ।

ଆଲୋଚନା ଚକ୍ର ପ୍ରାରମ୍ଭରେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦିଆଯିବାପରେ ଶ୍ରୀ ରାମଚନ୍ଦ୍ର ନାଥ, ଚିଫ୍ ଏଡ଼ିଟର, ପଲ୍ଲୀ ବାଣୀ ଉପସ୍ଥିତ ଦର୍ଶକଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରିବା ସହ ଏହାର ଉଦ୍ଦେଶ୍ୟ ସଂପର୍କରେ ସମ୍ଭାଷଣ ପ୍ରଦାନ କରିଥିଲେ ଓ ଆଲୋଚନାରେ ଭାଗନେଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହା ପରେ ସଂଚାଳିକା ଶ୍ରୀମତୀ ପାରମିତା ଶତପଥୀ ଆଜିର ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହୋଇଥିବା ବେଳେ ଓଡ଼ିଆ ସାହିତ୍ୟ ହେଉଛି ପ୍ରାଚୀନ। ସାହିତ୍ୟ ହେଉଛି ଏକ ପ୍ରବାହମାନ ଧାରା ଏବଂ ଏହି ଧାରାର ଉତ୍ସ ଭାବେ କୌଣସି ଜାତି ଓ ଭାଷାର ଐତିହ୍ୟ ଓ ପରମ୍ପରା, ସାମାଜିକ ପ୍ରତିବଦ୍ଧତା ଓ ଗଭୀର ଆତ୍ମାନ୍ୱେଷ ମୁଖ୍ୟସ୍ରୋତରେ ମିଶ୍ରିିତ ହୋଇ ସାହିତ୍ୟକୁ ସମୃଦ୍ଧ କରିଥାଏ ବୋଲି ଶ୍ରୀମତୀ ଶତପଥୀ କହିଥିଲେ।

ପଦ୍ମଶ୍ରୀ ଡଃ ପ୍ରତିଭା ରାୟ ଏହି ଅବସରରେ କହିଥିଲେ ଯେ, ଭାରତୀୟ ସାହିତ୍ୟ ପ୍ରଚ୍ଛଦ ପଟ୍ଟରେ ସମ୍ପ୍ରତି ଓଡିଆ ସାହିତ୍ୟ ମର୍ଯ୍ୟାଦାଜନକ ସ୍ଥାନରେ ରହିଛି। ଆତ୍ମାର ଆନନ୍ଦ ପାଇଁ ସାହିତ୍ୟ ଲେଖାଯାଏ। ସାହିତ୍ୟ ସର୍ବଦା ମାଟି ଓ ସମାଜ ସହ ସଂଶ୍ଳିଷ୍ଟ ହୋଇରହିଛି। ସାହିତ୍ୟ ବ୍ୟକ୍ତିକୌନ୍ଦ୍ରିକ ନୁହେଁ। ମାଟିରେ ଗୋଳେଇ ହୋଇ ଚରିତ୍ର ସହ ଏକାକାର ହୋଇ ସାହିତ୍ୟ ରଚନା କରିବାକୁ ହେବ। ସାହିତ୍ୟ ରଚନା ସମୟରେ ଆତ୍ମ ସମ୍ମାନ, ଆତ୍ମବିଶ୍ୱାସ ଓ ଆତ୍ମମର୍ଯ୍ୟାଦାକୁ ମନେ ରଖିବାକୁ ହେବ। ଓଡିଆ ସାହିତ୍ୟର ଭବିଷ୍ୟତ ସମ୍ପର୍କରେ ନିଜର ମତ ରଖି ଶ୍ରୀମତୀ ରାୟ କହିଥିଲେ, ବର୍ତମାନ ସମୟରେ କେବଳ ଉଚ୍ଚାଙ୍ଗ ସାହିତ୍ୟର ସୃଷ୍ଟି କଲେ ହେବ ନାହିଁ, ବରଂ ଏହାର ବ୍ୟବହାର ବଢିଲେ ଓଡିଆ ସାହିତ୍ୟ ବଂଚି ରହିବ।

ସାହିତ୍ୟର ପ୍ରାସଙ୍ଗିତା ସମ୍ପର୍କରେ ମତ ରଖି ବିଶିଷ୍ଟ ସାହିତ୍ୟ ସାଧକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ କହିଥିଲେ ଯେ, ସାହିତ୍ୟ ହେଉଛି ବିଶ୍ୱର ଇଞ୍ଜିନ। ସାହିତ୍ୟ ନ ରହିଲେ ବିଶ୍ୱ ପରିଚାଳିତ ହେବ ନାହିଁ। ଆତ୍ମାର ଅଭିବ୍ୟକ୍ତି ହେଉଛି ସାହିତ୍ୟ ରଚନା। କିନ୍ତୁ ସାହିତ୍ୟ ଏବେ ମୂମୂର୍ଷୁ ଅବସ୍ଥାରେ ରହିଛି। ଆମେ ସମାଜ ପ୍ରତି ସଚେତନ ଅଛୁ, କିନ୍ତୁ ଆତ୍ମସଚେତନ ନାହୁଁ। ୧୯୧୩ରେ ରବୀନ୍ଦ୍ର ନାଥ ଟାଗୋରଙ୍କ ପରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ସାହିତ୍ୟିକ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ନ ହେବା ଏକ ବିଡମ୍ବନାର ବିଷୟ। ଆଂଚଳିକତା ଭିତରେ ରହିଗଲେ ସାହିତ୍ୟ ପରିପୃଷ୍ଟ ହେବ ନାହିଁ।

ଏହାପରେ ସ୍ୱାଧିନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସାହିତ୍ୟର ତୁଳନା କରି ପ୍ରଫେସର ମଣୀନ୍ଦ୍ର କୁମାର ମେହେର କହିଥିଲେ, ପ୍ରାଚୀନତାକୁ କେବେହେଲେ କମ୍ କରି ଦେଖି ହେବ ନାହିଁ। ସ୍ୱାଧିନତା ପୂର୍ବବର୍ତ୍ତୀ ସାହିତ୍ୟର ସୁଦୃଢ ଭିତିଭୂମି ଉପରେ ସ୍ୱାଧିନତା ପରବର୍ତ୍ତୀ ସାହିତ୍ୟ ପ୍ରତିଷ୍ଠିତ ହୋଇଛି। ସ୍ୱାଧିନତା ପୂର୍ବବର୍ତ୍ତୀ ସାହିତ୍ୟକୁ ପାଠ କଲେ ଜଣେ ଆବିଳତାମୁକ୍ତ ହେବ ଓ ତାର ଚେତନା ପରିଶୁଦ୍ଧ ହେବ। ବର୍ତମାନ ସମୟରେ ସାହିତ୍ୟର ଲୋକାଭିମୁଖୀତାକୁ ନେଇ ସେ କହିଥିଲେ ଯେ, ସାହିତ୍ୟ ଲୋକାଭିମୁଖୀ, ହେଲେ ଲୋକେ ସାହିତ୍ୟାଭିମୁଖୀ ହେବା ଦରକାର। ସମାଲୋଚକମାନେ ନିଜେ ସାହିତ୍ୟ ରଚନାକୁ ପଢି ଉଦ୍‌ବୁଦ୍ଧ ହେବା ଦରକାର, ଯାହା ଦ୍ୱାରା ସେମାନେ ଅନ୍ୟ ଜଣକୁ ପଢିବା ପାଇଁ ଉଦ୍‌ବୁଦ୍ଧ କରିପାରିବେ। ନଚେତ ସାହିତ୍ୟ ସମୃଦ୍ଧ ହେବ ନାହିଁ।

ଆଲୋଚନା ଶେଷରେ ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଅତିଥି ତଥା ସମସ୍ତ ସାହିତ୍ୟପ୍ରେମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ନିଆଯାଇଥିବା ଏପରି ପ୍ରୟାସ ସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ, ଓଡ଼ିଆ ଭାଷା ଓ ସାହିତ୍ୟ ହିଁ ଓଡ଼ିଶାର ଗରିମାମୟ ପରିଚୟର ଅଂଶବିଶେଷ। ଆଲୋଚନାରେ ଭାଗ ନେଇଥିବା ବରେଣ୍ୟ ବକ୍ତାମାନଙ୍କୁ ନିଜର ସୁଚିନ୍ତିତ ମତାମତକୁ ପରିପ୍ରକାଶ କରି ଏହି ୱେବିନାରକୁ ଋଦ୍ଧିମନ୍ତ କରିଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ଆଲୋଚନା ଚକ୍ରରେ ସାହିତ୍ୟ ଜଗତର ବିଶିଷ୍ଟ ସାଧକ, ବ୍ୟକ୍ତିବିଶେଷଙ୍କ ସମେତ ଦେଶ ବିଦେଶରୁ ଯେପରିକି ଦିଲ୍ଲୀ, ନୋଏଡ଼ା, ହାଇଦ୍ରାବାଦ, କଲିକତା, ମୁମ୍ବାଇ, ଉତରପ୍ରଦେଶ ଏବଂ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଆଦି ଦେଶରୁ ପ୍ରାୟ ୯୦୦ରୁ ଉର୍ଦ୍ଧ୍ୱ ଦର୍ଶକ ଏହି ଅନଲାଇନ ଆଲୋଚନାଚକ୍ରରେ ଭାଗ ନେଇଥିଲେ।