କୋରାପୁଟ ୨୩-୦୫(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ମୂର୍ତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅନଲାଇନ ମାଧ୍ୟମରେ ପାଳନ କରାଯାଇଛି ।ଏହି ଅବସରରେ ଆମେ ସମାଧାନର ଏକ ଅଂଶ ପ୍ରକୃତି ପାଇଁ ଶୀର୍ଷକ ଅନଲାଇନ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଅନଲାଇନ ଆଲୋଚନା ଚକ୍ରକୁ ଉଦଘାଟନ କରି ସମସ୍ତ ଜୀବଜଗତକୁ ବଂଚିବା ନିମନ୍ତେ ଆମ ପ୍ରକୃତିର ସୁରକ୍ଷା ସହ ଏକ ସୁସ୍ଥ ପରିବେଶ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଜୈବ ବିବିଧତାର ମହତ୍ୱ ବିଷୟରେ ସଚେତନତାର ବାର୍ତା ସମାଜର ସବୁ ସ୍ତରରେ ପହଂଚିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ ।ଜୈବ ବିବିଧତା ଉପରେ ଧାରଣା ସୃଷ୍ଟି କରିବା ,ଏହି ଧାରଣାକୁ ଜ୍ଞାନରେ ରୂପାନ୍ତରିତ କରିବା ଓ ପ୍ରକୃତିର ସୁରକ୍ଷା ନିମନ୍ତେ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍କଲ ଅଫ ଲାଇଫ ସାଇନସର ପୂର୍ବତନ ପ୍ରଫେସର ତଥା ସ୍କୁଲ ଅଫ ସାଇନସ ଆଣ୍ଡ ଟେକ୍ନୋଲୋଜିର ଡିନ ପ୍ରଫେସର ଏନ.ବେହେରା ଯୋଗଦେଇ ଆହ୍ୱାନ ଦେଇଥିଲେ ।ଜୈବ ବିବିଧତାର କ୍ଷୟ ଏକ ସଂକଟ ଅଟେ,ତେବେ ଏହାକୁ ମନିଭାବ,କାର୍ଯ୍ୟ ଓ ସଚେତନତା ଦ୍ୱାରା ସାମାଧାନ କରାଯାଇପାରିବ ଏବଂ ତେଣୁ ବଂଚିବା ପାଇଁ ଓ ପ୍ରକୃତିର ସଂରକ୍ଷଣ ପାଇଁ ଆମେ ସମାଧାନର ଏକ ଅଂଶ ହେବାକୁ ସେ ପରାମର୍ଶ ଦେଇଥିଲେ ।ଇକୋସିଷ୍ଟମ ନିମନ୍ତେ ଜୈବ ବିବିଧତାର ବସ୍ତୁତା ଓ ପରିବେଶ ପ୍ରଣାଳୀକୁ ସୁରକ୍ଷା ଦେବା ନିମନ୍ତେ ଏହାର ପ୍ରୟୋଗ ଉପରେ ନ୍ୟାସନାଲ ଇନଭେଷ୍ଟମେଂଟ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଟର(ଏନଆଇଏଫ)ର ଅଧ୍ୟକ୍ଷ ଡ. ଅଶୋକ ଇମାନି ଯୋଗଦେଇ ଗୁରୁତ୍ୱାରୋପ କରିଥିଲେ ।ପୂର୍ବଘାଟ ପର୍ବତମାଳା ଏବଂ ଓଡିଶାର ଦେଓମାଳି ଓ ସିମିଲିପାଳ ବ୍ୟାଘ୍ର ସଂରକ୍ଷଣର ସମୃଦ୍ଧ ଜୈବ ବିବିଧତାର ଅର୍ଥନୈତିକ ଗୁରୁତ୍ୱ ଉପରେ ସେ ଆଲୋକପାତ କରି ଜୈବ ବିବିଧତାର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅନୁଧ୍ୟାନ ଓ ଗବେଷଣା ନିମନ୍ତେ ଏକ ସମୃଦ୍ଧ କ୍ଷେତ୍ର ଓ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହାନ ଯୋଗାଇଦେବେ ବୋଲି ସେ ପ୍ରକାଶ କରିଥିଲେ । ଜୈବ ବିବିଧତା ବଜାଇ ରଖିବା ପାଇଁ ମାଟି ଓ ଜଳର ଗୁରୁତ୍ୱ ବିଷୟରେ ଭାରତୀୟ ମୂର୍ତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ଆଂଚଳିକ ନିର୍ଦ୍ଦେଶକ ଡ. ମଧୁ ସ୍ୱାଗତ ଭାଷଣରେ ଆଲୋକପାତ କରିଥିଲେ ।ନିରନ୍ତର ବିକାଶ ହେଉଛି ଜୈବ ବିବିଧତା ସଂରକ୍ଷଣର ଚାବିକାଠି ଏବଂ ସେହି ଲକ୍ଷ୍ୟ ନିମନ୍ତେ ଆମକୁ ସାମଗ୍ରିକ ଭାବରେ କାର୍ଯ୍ୟ କରିବାକୁ ପଡିବ ବୋଲି ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ସ୍କୁଲର ଡିନ ପ୍ରଫେସର ଶରତ କୁମାର ପଲିତା ଯୋଗଦେଇ ଆହ୍ୱାନ ଦେଇଥିଲେ ।ବିଶ୍ୱବିଦ୍ୟାଳୟର ପ୍ରଫେସର କାମେଶ୍ୱର ରାଓ ସମାପନ ମନ୍ତବ୍ୟ ପ୍ରଦାନ କରିଥିଲେ ।ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂପଦ ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ.କାକୋଳି ବାନାର୍ଜି ଓ ଡ.ଦେବବ୍ରତ ପଣ୍ଡା ଯୋଗଦେଇ କାର୍ଯକ୍ରମ ସଂଯୋଜନା କରିଥିଲେ ।ଡେରାଡୁନସ୍ଥିତ ଭାରତୀୟ ମୂର୍ତିକା ଏବଂ ଜଳ ସଂରକ୍ଷଣ ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ.ଏମ.ମୁରୁଗାନନ୍ଦନମ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯକ୍ରମରେ ବହୁ ସଂଖ୍ୟକ ଛାତ୍ର ,ଗବେଷଣା ବିଦ୍ୱାନ , ଅଧ୍ୟାପକ ,ଅଧିକାରୀ ଓ ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ ।